୨୦୧୯ ନିର୍ବାଚନୀ ମଇଦାନକୁ ଓହ୍ଲାଇ ପାରନ୍ତି ଓଡ଼ିଶାର ଏହି ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଏଏସ୍‌

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ସଫଲ ବ୍ୟକ୍ତି ରାଜନୀତିକୁ ଆସୁଛନ୍ତି। ଏ କ୍ଷେତ୍ରରେ ପଛରେ ନାହାନ୍ତି ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଏଏସ୍‌ ଭଳି ସର୍ବଭାରତୀୟ ସେବାରେ କାର୍ଯ୍ୟ କରି ଅବସର ନେଇଥିବା ପ୍ରଶାସକ।

୨୦୧୯ ନିର୍ବାଚନରେ କିଛି ବରିଷ୍ଠ ପ୍ରଶାସକ ନଜର ଆସିବେ । ତେବେ ଉଭୟ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ଶିବିରରେ ପୂର୍ବରୁ କିଛି ବରିଷ୍ଠ ପ୍ରଶାସକ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡ଼ିରେ ସାମିଲ ହୋଇଥିବା ଅରୂପ ପଟ୍ଟନାୟକଙ୍କ ନାମ ସର୍ବପ୍ରଥମେ ରହିଛି।

ମୁମ୍ବାଇର ପୁଲିସ କମିସନର ଭାବେ ଖ୍ୟାତି ଅର୍ଜନ କରିଥିବା ୧୯୭୯ ମସିହା ବ୍ୟାଚର ମହାରାଷ୍ଟ୍ର ଆଇପିଏସ୍‌ ଅଧିକାରୀ ଅରୂପ ପଟ୍ଟନାୟକ ବିଜେଡିରେ ଯୋଗଦେଇ କହିଥିଲେ ଯେ ସୁଯୋଗ ମିଳିଲେ ଲୋକଙ୍କ ସେବା ପାଇଁ ୨୦୧୯ ନିର୍ବାଚନରେ ଲଢିବେ। ବିଜୁ ଯୁବ ବାହିନୀର ମୁଖ୍ୟ ଥିବା ଶ୍ରୀ ପଟ୍ଟନାୟକଙ୍କୁ ବିଜେଡି ପକ୍ଷରୁ ତାଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଯାଇପାରେ।

ସେହିଭଳି ବିଜେପିରେ ମଧ୍ୟରେ ଗତ କିଛିଦିନ ତଳେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଥିଲେ । ୧୯୮୧ ବ୍ୟାଚର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଶ୍ରୀ ତ୍ରିପାଠୀ ୨୦୧୬ରେ ଚାକିରିରୁ ଅବସର ନେଇଛନ୍ତି । ତେବେ ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ମଧ୍ୟ ରାଜନୀତି ମଇଦାନକୁ ଅଶୋକଙ୍କୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଅବସରପ୍ରାପ୍ତ ପ୍ରିନସିପାଲ ଆକାଉଂଟାଟ ଜେନେରାଲ ଥିବା ଆଇଏଏଏସ୍‌ ଅମର ପଟ୍ଟନାୟକ ବିଜେଡିରେ ଯୋଗଦେଇଛନ୍ତି । ତାଙ୍କୁ ବିଜେଡି ଦଳର ଆଇଟି ସେଲ ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲେ ବିଜେଡ଼ି ସୁପ୍ରିମୋ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଦୋଷ ତ୍ରୁଟି ବାହାର କରୁଥିଲେ, ଆଉ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇ ଆଗାମୀ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ଅପେକ୍ଷାରେ ଅଛନ୍ତି । ଏବେ ୨୦୧୯ ନିର୍ବାଚନରେ ଅମରଙ୍କ ପାଇଁ କେଉଁ ନିର୍ବାଚନ ମଇଦାନ ପ୍ରସ୍ତୁତ କରିବ ବିଜେଡ଼ି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଗତକାଲି ୧୯୯୪ ବ୍ୟାଚର ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ସ୍ୱଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଖୁବଶୀଘ୍ର ଅପରାଜିତାଙ୍କ ଆବେଦନ ପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି । ତିନି ମାସିଆ ନୋଟିସ୍‌ ଦେବା ସହ ଡିସେମ୍ବର ୧୪ରେ ତାଙ୍କର ଶେଷ କାର୍ଯ୍ୟଦିବସ ହେବ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ଅପରାଜିତା । ସେ ରାଜନୀତିରେ ସାମିଲ ହେବା ପାଇଁ ସ୍ୱେଚ୍ଛାକୃତ ଅବସର ନେଇଥିବା ଚର୍ଚ୍ଚା ହେଉଛି । ତେବେ ଅବସର ନେବା ପରେ ପ୍ରକୃରେ ଅନ୍ୟ ପ୍ରଶାସକଙ୍କ ଭଳି ରାଜନୀତିରେ ପାଦଥାପିବେ ନା ଅନ୍ୟ କିଛି କାର୍ଯ୍ୟ କରିବେ ତାକୁ ନେଇ ସସପେନ୍‌ସ ଜାରି ରହିଛି ।

ସମ୍ବନ୍ଧିତ ଖବର