ପୁରୀ ବ୍ଲୁ ଫ୍ଲାଗ ବିଚ୍‌ର ଆନୁଷ୍ଠାନିକ ଉଦ୍‌ଘାଟନ

ଏକକାଳୀନ ୮ଟି ବ୍ଲୁ ଫ୍ଲାଗ ବିଚ୍‌ରେ ଉଡ଼ିଲା ପତାକା

ପୁରୀ : ବ୍ଲୁ ପ୍ଲାଗ୍‌ ବିଚ୍‌ର ମାନ୍ୟତା ମିଳିବା ପରେ ଆଜି ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ର ଆନୁଷ୍ଠାନିକ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦିଲ୍ଲୀରୁ ଭର୍ଚୁଆଲ୍‌ ମାଧ୍ୟମ ଜରିଆରେ ଏହାର ଉଦ୍‌ଘାଟନ କରିଛନ୍ତି। ପୁରୀ ବ୍ଲୁ ଫ୍ଲାଗ ବିଚ୍‌ ସହ ଏକକାଳୀନ ଦେଶର ଅନ୍ୟ ୭ଟି ବ୍ଲୁ ଫ୍ଲାଗ ବିଚ୍‌ ମଧ୍ୟ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି।

ଯେଉଁଥିରେ କର୍ଣ୍ଣାଟକର ଦୁଇଟି ବେଳାଭୂମି ସହ ଗୁଜୁରାଟ, ଆଣ୍ଡାମାନ, ଆନ୍ଧ୍ରପ୍ରଦେଶ, ଡାମନ୍‌ ଡ୍ୟୁର ଗୋଟିଏ ଲେଖାଏଁ ବେଳାଭୂମି ରହିଛି। ଆଜିଠାରୁ ବିଧିବଦ୍ଧ ଭାବେ ବ୍ଲୁ ଫ୍ଲାଗ ବିଚ୍‌ରେ ତ୍ରିରଙ୍ଗା ସହ ବ୍ଲୁ ଫ୍ଲାଗ ଉଡ଼ିଛି। ପୁରୀ ବେଳାଭୂମିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉଡ଼ାଇଥିଲେ। ମନ୍ତ୍ରୀ ଶ୍ରୀ ଦାଶ ବେଳାଭୂମିର ସୁରକ୍ଷା ସାଙ୍ଗକୁ ଏହାର ସ୍ବଚ୍ଛତା ଉପରେ ଗୁରୁତ୍ବାରୋପ କରିଥିଲେ। ନିଜେ ସଚେତନ ହେବା ସହ ଏ ଦିଗରେ ଅନ୍ୟମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର