‘ଓଡ଼ିଶା ଏଫ୍‌ସି’ର ଅଫିସିଆଲ କିଟ୍ ଉନ୍ମୋଚିତ, ଅକ୍ଟୋବରରୁ ଆରମ୍ଭ ହେବ ଇଣ୍ଡିଆନ୍ ସୁପର ଲିଗ୍

ଭୁବନେଶ୍ବର: ଆସନ୍ତା ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ ପାଇଁ ‘ଓଡ଼ିଶା ଫୁଟବଲ୍‌ କ୍ଲବ୍‌’ର ୩ଟି ନୂଆ କିଟ୍‌ ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଓଡ଼ିଶା ଏଫ୍‌ସି ପକ୍ଷରୁ ଏହି ଘୋଷଣା କରାଯାଇଛି। ‘ଓଡ଼ିଶା ଏଫ୍‌ସି’ର ଏହା ଅଫିସିଆଲ୍ କିଟ୍‌। ସନ୍ଧ୍ୟାରେ ଭୁବନେଶ୍ବର କିଟ୍‌ ବିଶ୍ବବିଦ୍ୟାଳୟର କ୍ୟାମ୍ପସ-୧୫ର ଚେସ୍‌ ହଲ୍‌ରେ ଏହି ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଯାଇଛି। ଚଳିତ ସିଜନ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ଉପସ୍ଥିତିରେ ଉନ୍ମୋଚନ କାର୍ଯ୍ୟ ସରିଛି। ଏଥର ଟିମର ଥିମ ରହିଛି ‘ଆମ ଟିମ୍ ଆମ ଗେମ୍’।

 

ଏହି ଅବସରରେ ଖେଳାଳିମାନେ କ୍ଲବ୍‌ର ନୂଆ କିଟ୍‌ ପିନ୍ଧି ଷ୍ଟେଜ୍‌ ଉପରେ ୱାକ୍‌ଆଉଟ୍‌ କରିଥିଲେ। ମହାପ୍ରବନ୍ଧକ ଅଭିକ୍‌ ଚାଟାର୍ଜୀ ଅତିଥି, ଫ୍ରାଞ୍ଚାଇଜ୍‌ ଓ କର୍ମଚାରୀଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ। ଓଡ଼ିଶା ଫୁଟବଲ କ୍ଲବ ପକ୍ଷରୁ ଶନିବାର (ଅଗଷ୍ଟ ୧୩) ଭୁବନେଶ୍ବର ଏସ୍‌ପ୍ଲାନେଡ ୱାନ୍‌ ମଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତା ଶୈଳେନ୍ଦ୍ର, ଭାରତୀୟ ମହିଳା ଫୁଟବଲ ଦଳର ଖେଳାଳି ପ୍ୟାରୀ ଖାଖା ଏବଂ ଦଳର ଖେଳାଳିମାନେ ଯୋଗ ଦେଇଥିଲେ। ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଦଳ ଆଗାମୀ ସିଜିନ ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରକାଶ କରିଥିଲା ଏବଂ ଅଧିକରୁ ଅଧିକ ଫ୍ୟାନ ବେସ୍ ବନାଇବାକୁ ଫ୍ରାଞ୍ଚାଇଜି ପ୍ରୟାସ କରିବ ବୋଲି ମଧ୍ୟ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ମାସରେ ହିରୋ ଇଣ୍ଡିଆନ ସୁପର ଲିଗ୍‌ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିରେ ‘ଓଡ଼ିଶା ଏଫ୍‌ସି’ ତାର ଅଭିଯାନ ଆରମ୍ଭ କରିବ। ଏଥିରେ ଭାଗ ନେବାକୁ ଥିବା ଖେଳାଳିମାନେ ଏବେ ଭୁବନେଶ୍ୱରରେ ରହି ଅଭ୍ୟାସ କରୁଛନ୍ତି।

ସମ୍ବନ୍ଧିତ ଖବର