ମିଳୁନି ସରକାରୀ ଆଳୁ ବିହନ

କବାଟବନ୍ଧ: ଧର୍ମଶାଳା ବ୍ଲକ କବାଟବନ୍ଧ ଅଞ୍ଚଳରେ ସରକାରୀ ଆଳୁ ବିହନ ମିଳୁନଥିବାରୁ ଆଳୁ ଚାଷୀମାନେ ଘୋର ଚିନ୍ତାରେ ଅଛନ୍ତି। ମାସେ ହେଲା ସାର ଔଷଧ ପକାଇ ଜମି ପ୍ରସ୍ତୁତ କରି ରଖିଥିଲେ ହେଁ ସରକାରୀ ଆଳୁ ବିହନ ମିଳୁନଥିବା ସେମାନେ କହିଛନ୍ତି। ଧର୍ମଶାଳା ବ୍ଲକ କବାଟବନ୍ଧ ଅଞ୍ଚଳର ଲୋକମାନେ ଚାଷ ଉପରେ ନିର୍ଭର କରିଥାନ୍ତି। ଆଳୁ ବିହନ ଯୋଗାଣରେ ସରକାର ତଥା ଜିଲ୍ଲା ଉଦ୍ୟାନ ବିଭାଗର ପାତରଅନ୍ତର ନୀତିକୁ ଚାଷୀ ସମାଲୋଚନା କରିଛନ୍ତି।

କବାଟବନ୍ଧ ଅଞ୍ଚଳର ୧୧ ନମ୍ବର ଜୋନ୍‌ରେ ୯ ପଞ୍ଚାୟତ ପାଇଁ ଏକହଜାର ବସ୍ତା ଆଳୁ ବିହନ ଆବଶ୍ୟକ। କେବଳ ମର୍ଜିତାପୁର  ପାଇଁ ୩୪୦ ବସ୍ତା ଆଳୁ ବିହନ ଆବଶ୍ୟକ। ବିଭାଗ ପକ୍ଷରୁ ସେମାନଙ୍କ ପାଇଁ ମାତ୍ର ୬୦ ବସ୍ତା ବିହନ ବ୍ୟବସ୍ଥା କରାଯାଇଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୧ ନମ୍ବର ଜୋନ ଅନ୍ତର୍ଗତ ମର୍ଜିତାପୁର, ମଧୁସୂଦନପୁର, ଚକ୍ରଧରପୁର, ଅଂଜିରା, କବାଟବନ୍ଧ, ତାଳଜଙ୍ଗ, ରାଇଛନ୍ଦା, ରେଖିଦେଈପୁର ଓ ଏଣ୍ତଳବା ପଞ୍ଚାୟତର ପ୍ରାୟ ୬ଶହରୁ ଅଧିକା ଚାଷୀ ଆଳୁ ଚାଷ କରିଥାନ୍ତି। ସେମାନଙ୍କ ପାଇଁ ପ୍ରତିବର୍ଷ ଏକ ହଜାର ବସ୍ତା ଆଳୁ ବିହନ ଦରକାର ହୋଇଥାଏ। ସରକାରୀ ଆଳୁ ବିହନ ୫୦ କେଜି ବସ୍ତାର ଦାମ ୫ଶହ ଟଙ୍କା ରହୁଥିବାବେଳେ ଏହା ଉନ୍ନତମାନର ବୋଲି ଚାଷୀଙ୍କ ବିଶ୍ବାସ ରହିଛି। ତେଣୁ ସେମାନେ ସରକାରୀ ଆଳୁ ବିହନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଚାଷୀଙ୍କ ଦରକାର ଅନୁସାରେ ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷୀମାନେ ନିମ୍ନମାନର ବିହନକୁ ଅଧିକ ଦାମରେ କିଣିବାକୁ ବାଧ୍ୟ ହେଉଛନ୍ତି।

ଏ ସଂପର୍କରେ ଧର୍ମଶାଳା ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ଶୁଭଶ୍ରୀ ଶୁଭଦର୍ଶିନୀଙ୍କ ସୂଚନା ଅନୁସାରେ ଦରକାର ଅନୁଯାୟୀ ବିହନ ଆସିନାହିଁ। ୨/୩ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କୁ ବିହନ ଯୋଗାଇ ଦେବା ପାଇଁ ଆମେ ଚେଷ୍ଟା କରୁଛୁ। ସାଢ଼େ ୬ ଗୁଣ୍ଠ ଆଳୁ ଚାଷ କରିବା ପାଇଁ ୧୫୦ କେଜି ବିହନ ଯୋଗାଇବାର ସରକାରୀ ନିୟମ ରହିଛି। ଅନ୍ୟ ବ୍ଲକ ତୁଳନାରେ ଧର୍ମଶାଳା ବ୍ଲକକୁ ଅଧିକ ବିହନ ଆସିଛି, ଆଗାମୀ ଦିନରେ ସମସ୍ତ ଚାଷୀଙ୍କୁ ବିହନ ଯୋଗାଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଅପରପକ୍ଷରେ ନିର୍ଦିଷ୍ଟ ସମୟ ମଧ୍ୟରେ ବିହନ ଯୋଗାଣ କରାନଗଲେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର