ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି କ୍ଷମା ପ୍ରାର୍ଥନା କଲେ ଧବଳଗିରି ଓପିଟିସିଏଲ୍‌ର ଏସଡିଓ

ବ୍ୟାସନଗର : ଧବଳଗିରି ଓପିଟିସିଏଲ୍‌ର ଏସଡିଓ ରାଜୀବ ଲୋଚନ ସାହୁ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବାକୁ କେନ୍ଦ୍ରକରି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଓପିଟିସିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନେ ଧାରଣା ଦେଇଥିଲେ। ୩ ଘଣ୍ଟା ଧରି ଫାଟକ ଆଗରେ ବସିବା ପରେ ଘଟଣାସ୍ଥଳରେ ଡିଜିଏମ୍‌ ଅଜୟ ରଣା ଓ ଯାଜପୁର ରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ରନାଥ ପ୍ରଧାନ ପହଞ୍ଚିଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା କରିବା ପରେ ଦୁର୍ବ୍ୟବହାର କରିଥିବା ଏସଡିଓ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ।

ଖବର ଅନୁସାରେ ଗୁରୁବାର ଦିନ ୩ ଜଣ ସାମ୍ବାଦିକ ବିଦ୍ୟୁତ୍‌ ସମସ୍ୟା ବାବଦରେ ବୁଝିବା ପାଇଁ ଏସଡିଓ କାର୍ଯ୍ୟାଳୟକୁ ଯାଇଥିଲେ। ଏସ୍‌ଡିଓ ଶ୍ରୀ ସାହୁ ଏମାନଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିଲେ। ଉଭୟ ପକ୍ଷ ମଧ୍ୟରେ କଥା କଟାକଟିରୁ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ଓପିଟିସିଏଲର ଡିଜିଏମ ଶ୍ରୀ ରଣା ଓ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କଠାରୁ ସମସ୍ତ କଥା ପଚାରି ବୁଝିଥିଲେ। ଆଲୋଚନା ପରେ ଏସଡିଓ ଶ୍ରୀ ସାହୁ ଦୁଃଖ ପ୍ରକାଶ କରିବା ସହ ଆଗାମୀ ଦିନରେ ଏଭଳି ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସାମ୍ବାଦିକମାନେ ଆନ୍ଦୋଳନରୁ ଓହରିଥିଲେ।

ଆନ୍ଦୋଳନରେ ଉଦୟ ଖଣ୍ତାଇ, ଶରତ ପଥାଳ, ଚିନ୍ତାମଣି ପାଢ଼ୀ, ପ୍ରକାଶ ରାଉତ, ପୀତବାସ ଭୂୟାଁ, ସୁଜିତ ମଲିକ, ଉମାକାନ୍ତ ରାଉତ, ପ୍ରଭୁଦତ୍ତ ମହାନ୍ତି, ବିଶ୍ବଜିତ କର, ଜ୍ୟୋତିସ୍ମିତା ନାୟକ, ବିକ୍ରମ କେଶରୀ ସାହୁ, ଜ୍ଞାନରଂଜନ ଓଝା, ରଙ୍ଗବଲ୍ଲଭ ସାହୁ, ଜନ୍ମେଜୟ ଦାସ, ଶୁଭାଶିଷ ରାଉତ, ପ୍ରତାପ ବେହେରା, ଯଜ୍ଞଦତ୍ତ ତ୍ରିପାଠୀ, ଶୁଭାଶିଷ ଦାସମହାପାତ୍ର, ସନ୍ତୋଷ ସାହୁ, ଆଶୁତୋଷ ବଳ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର