ଅଧିକାରୀଙ୍କ ଭଙ୍ଗା, ଅଭଙ୍ଗା ରିପୋର୍ଟ: ଆଗରୁ କହିଥିଲେ ୨୦୬ କୋଠା ଭାଙ୍ଗିଛି, ଏବେ କଟକରେ ‘ୟାସ୍‌’ କିଛି କ୍ଷତି କରିନି

କଟକ : ପ୍ରଥମେ ଦେଇଥିଲେ ‘ୟାସ୍‌’ ଉଡ଼ାଇଦେଲା ୨୦୬ ସରକାରୀ କୋଠା। ଏବେ କିନ୍ତୁ ସେହି ଅଧିକାରୀମାନେ ରିପୋର୍ଟ ଦେବା ଆରମ୍ଭ କଲେଣି ଯେ, କଟକ ଜିଲ୍ଲାରେ ‘ୟ‌ାସ୍‌’ ପ୍ରଭାବରେ ଭାଙ୍ଗିନି ସରକାରୀ କୋଠା, ବରଂ ସେ ସବୁ ପୂର୍ବରୁ ଭାଙ୍ଗିଥିଲା। ‘ୟାସ୍‌’ କ୍ଷୟକ୍ଷତି ନେଇ କଟକ ଜିଲ୍ଲା ପ୍ରଶାସନ ପ୍ରାଥମିକ ଆକଳନ କରି କେବଳ ସରକାରୀ କୋଠା ଭାଙ୍ଗିଥିବା ଦର୍ଶାଇଥିଲା। ଏହାକୁ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ଓ ଉପରସ୍ତରରେ  ଏସ୍‌ଆର୍‌ସିଙ୍କ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଏବେ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ସଂପୂର୍ଣ୍ଣ ପଲ୍‌ଟି ଯାଇଛନ୍ତି। ଏବେ ପୁଣି ନୂଆ ରିପୋର୍ଟ ପ୍ରସ୍ତୁତ କରି ଦେଇଛନ୍ତି ଯେ, ‘ୟାସ୍‌’ରେ କୌଣସି ସରକାରୀ କୋଠା ଭାଙ୍ଗିନି। ପ୍ରଥମ ରିପୋର୍ଟରେ ୨୦୬ କୋଠା ଭାଙ୍ଗିଥିବା ଓ ଏବେ ପୁଣି କିଛି କ୍ଷୟକ୍ଷତି ହୋଇ ନ ଥିବା ଭଳି ପରସ୍ପର ବିରୋଧୀ ରିପୋର୍ଟ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

କଟକରେ ବାତ୍ୟା ‘ୟାସ୍‌’ କେବଳ କ୍ଷତି କରିଛି ସରକାରୀ ଘରକୁ। ଗୋଟିଏ ବି ସାଧାରଣ ଲୋକଙ୍କ ଘର ଭାଙ୍ଗି ପାରିନି। ଝୁମ୍ପୁଡ଼ିରେ ରହୁଥିବାରୁ ୩୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲେ ବି ସେମାନଙ୍କ ମଧ୍ୟରୁ ବି କାହାର ଘର ଭାଙ୍ଗିନି କି ଚାଳ ଉଡ଼ିନି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ୟାସ୍‌’କୁ ନେଇ ଯେଉଁ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଇଥିଲା, ସେଥିରେ ଜିଲ୍ଲାରେ ୧୧କୋଟି ୫୯ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଦର୍ଶାଯାଇଥିଲା। ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଲା କଟକ ଜିଲ୍ଲାର କେବଳ ନି‌ର୍ଦ୍ଦିଷ୍ଟ ୪ଟି ବ୍ଲକ୍‌ କଟକ ସଦର, ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିରେ ହିଁ କେବଳ ସରକାରୀ ଘର ଭାଙ୍ଗିଥିବା ନେଇ ରିପୋର୍ଟରେ ଦର୍ଶାଯାଇଥିଲା।

ସଦର ବ୍ଲକରେ  ୩୬ଟି ସରକାରୀ ଘର ବା ଇନ୍‌ଷ୍ଟିଚ୍ୟୁସନାଲ ବିଲିଡିଙ୍ଗ୍‌ ଥିବା ବେଳେ ସାଲେପୁରର ୫୦, ନିଶ୍ଚିନ୍ତକୋଇଲିର ୬୦ ଓ ମାହାଙ୍ଗାର ୬୦ଟି ଘର ରହିଛି। ଏହି ସରକାରୀ କୋଠାଗୁଡ଼ିକର ମରାମତି ପାଇଁ ୪ କୋଟି ୪୫ଲକ୍ଷ ୫୦ହଜାର ଟଙ୍କାର ଆବଶ୍ୟକ ବୋଲି ମଧ୍ୟ ବିଡିଓ ଓ ତହସିଲଦାରମାନେ ପ୍ରଶାସନକୁ ଦେଇଥିବା ପ୍ରାଥମିକ କ୍ଷୟକ୍ଷତି ଆକଳନରେ ଦର୍ଶାଇଛନ୍ତି। ଯେଉଁଠି ସାରାଜିଲ୍ଲାରେ ପକ୍କାଘରଟିଏ ବି ଭାଙ୍ଗିଲାନି ସେଠାରେ କେବଳ ସରକାରୀ କୋଠା କିପରି ଭାଙ୍ଗିଲା? ଏପରିକି ସଦର ବ୍ଲକ୍‌ ଆୟତ୍ତପୁର ନୋଡାଲ ସ୍କୁଲର ପ୍ରଧାନଶିକ୍ଷକ ଡିପିସିଙ୍କ କାର୍ଯ୍ୟାଳୟକୁ ଦେଇଥିବା ଚିଠିରେ (ରେଫରେନ୍ସ ନମ୍ବର ୨୩୯୧(୧୪)ତା ୨୫/୫/୨୦୨୩ ଅନୁସାରେ) ବାତ୍ୟା ୟାସ୍‌ ପ୍ରଭାବରେ ତାଙ୍କ ସ୍କୁଲର ତିନୋଟି ଶ୍ରେଣୀ ଗୃହର ଆଜ‌ବେଷ୍ଟର ଭାଙ୍ଗିଯାଇଥିବା ଦର୍ଶାଇଥିଲେ। ତେବେ ସ୍କୁଲର କୌଣସି ଆଜବେଷ୍ଟର ଭାଙ୍ଗି ନ ଥିବା କି ଉଡ଼ି ନଥିବା ଓ ‘ୟ‌ାସ୍‌ ପୂର୍ବରୁ ଏହାର କେବଳ ଟିଣ ଉଠିଥିବା ସଂପର୍କରେ ‘ସମ୍ବାଦ’ରେ ୩ତାରିଖ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଏସ୍‌ଆରସିଙ୍କୁ ଟୁଇଟ୍‌ କରିଥିଲେ। ଏହାକୁ ନେଇ ଏସ୍‌ଆର୍‌ସି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପରେ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଦିଲ୍ଲୀପ ମଲ୍ଲିକ୍‌ ମଧ୍ୟ ଏସ୍‌ଆରସିଙ୍କୁ ଚିଠି ଲେଖିବା ପରେ ଘଟଣା ନୂଆ ମୋଡ଼ ନେଇଥିଲା।

ଜିଲ୍ଲାପାଳ ‘ୟାସ୍‌’ କ୍ଷତି ରିପୋର୍ଟର ତର୍ଜମା କରିବା ପାଇଁ ସିଏମ୍‌ସି, କଟକ ସଦର, ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ ପାଇଁ ଜଣ ଅଧିକାରୀଙ୍କୁ ଦାୟିତ୍ବ ଦେଇଥିଲେ। ସିଏମ୍‌ସି ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ପ୍ରଶାସନ) ବିଜୟ କୁମାର ଖଣ୍ଡାୟତରାୟ, କଟକ ସଦର ବ୍ଲକ୍‌ ପାଇଁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ପୂର୍ଣ୍ଣଚନ୍ଦ୍ର ମିଶ୍ର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ ପାଇଁ ପିଡି ଡିଆରଡିଏ ଅମ୍ବର କୁମାର କର ଓ ସାଲେପୁର ବ୍ଲକ୍‌ ପାଇଁ ସଦର ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ଦାୟିତ୍ବ ଦେଇଥିଲେ। ଏହାର ତଦନ୍ତ ପାଇଁ ଅଧିକାରୀ ବ୍ଲକ୍‌ ଗସ୍ତ ପୂର୍ବରୁ କଟକ ସଦର ବିଡିଓ ଓ ନିଶ୍ଚିନ୍ତକୋଇଲି ବିଡିଓ ତାଙ୍କ ବ୍ଲକ୍‌ରେ ‘ୟାସ୍‌ ପ୍ରଭାବରେ କୌଣସି ସରକାରୀ କୋଠା ତାଙ୍କ ବ୍ଲକ୍‌ରେ ଭାଙ୍ଗି ନ ଥିବା ସଂପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି।

‌ଦୁଇ ବିଡିଓଙ୍କ କହିବା କଥା ହେଲା, ବ୍ଲକ୍‌ର ଟେକ୍‌ନିକାଲ ଟିମ୍‌ ଯାହା ରିପୋର୍ଟ ଦେଇଥିଲେ, ତାକୁ ଆଧାର କରି ପ୍ରାଥମିକ ରିପୋର୍ଟ ଦିଆଯାଇଥିଲା। ତେବେ, ଟେକ୍‌ନିକାଲ୍‌ ଟିମ୍‌ ଦେଇଥିବା ରିପୋର୍ଟ କଣ ବିଡିଓଙ୍କ ଜାଣତରେ ପଠାଯାଇ ନଥିଲା କି?

ଅନ୍ୟପଟେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା‌ରେ ଭାଙ୍ଗିଥିବା ସରକାରୀ କୋଠା ଭିତରେ ଅଧିକ ପୁରୁଣା ଓ ଭଙ୍ଗା ସ୍କୁଲଘର, ଅଙ୍ଗନବାଡ଼ି ଘର ଦର୍ଶାଯାଇଥିଲା। ‘ୟାସ୍‌’ ନାଁରେ ଟଙ୍କା ଆସିଲେ ସେହି ଟଙ୍କାରେ ସେଗୁଡ଼ିକୁ ମରାମତି କରାଯାଇଥାନ୍ତା। ସରକାରୀ କୋଠାର କ୍ଷୟକ୍ଷତି ରିପୋର୍ଟକୁ ନେଇ ଯଦି ଏଭଳି ସ୍ଥିତି ତାହେଲେ ରାସ୍ତା ଓ କଲଭର୍ଟ‌ ଧୋଇ ହୋଇଯିବା ରିପୋର୍ଟ କେତେ ସତ ତାକୁ ନେଇ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର