ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ-ସପ୍ତମ ଶ୍ରେଣୀ, ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୧୫ ତାରିଖ ଠାରୁ କୋଭିଡ-୧୯ କଟକଣା ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୧୯ ମାସ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହୁଛି।

ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିବାରୁ ସରକାର ପର୍ଯ୍ୟାୟ କ୍ରମେ ବିଦ୍ୟାଳୟ ଗୁଡ଼ିକ ଖୋଲୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଥିଲା। ଏହା ପରେ ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କର ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ ହୋଇଥିଲା। ସେହିଭଳି ରାଜ୍ୟ ସରକାର ଦଶହରା ପରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ ଗତ ଅକ୍ଟୋବର ଶେଷ ସପ୍ତାହରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠ ପଢା ଆରମ୍ଭ ହୋଇଥିଲା । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଥିଲା । ଏବେ ଅଷ୍ଟମ ଶ୍ରେଣୀର ପାଠପଢ଼ା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲୁଛି ।

ସମ୍ବନ୍ଧିତ ଖବର