କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ଜୁଲାଇ ୩୦ରୁ ଆରମ୍ଭ ହୋଇଥିବା ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷାରେ ପ୍ରତିଦିନ ବହୁସଂଖ୍ୟାରେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଥିବା ଜଣାପଡ଼ିଛି। ଶନିବାର ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷାରେ ରାଜ୍ୟର ୨୭ଟି ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ୩ହଜାର ୨ଶହ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଏଥିରୁ ଅଳ୍ପ କିଛି ବର୍ଗର ପିଲାଙ୍କ ପରୀକ୍ଷା ନଥିବା ବେଳେ ଅବଶିଷ୍ଟ ବର୍ଗ ପିଲାଙ୍କ ପରୀକ୍ଷା ଥାଇ ମଧ୍ୟ ସେମାନେ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।
ଏଠାରେ ସୂଚନାଯୋଗ୍ୟ, ଚଳିତ ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷାରେ ଏଚ୍ଏସ୍ସି(ମାଟ୍ରିକ୍), ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମା ବର୍ଗରେ ମୋଟ ୧୫୧୫୧ଜଣ ଫର୍ମ ପୂରଣ କରିଥିଲେ। ଏଥିରୁ ମାଟ୍ରିକ୍(ଅସନ୍ତୋଷ) ଓ ପତ୍ରବିନିମୟ ବର୍ଗରେ ୬୫୯୭ ଜଣ, ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୮୪୯୩ ଜଣ ଓ ମଧ୍ୟମା(ସଂସ୍କୃତ ଟୋଲ୍) ପାଇଁ ୬୧ଜଣ ଫର୍ମ ପୂରଣ କରିଥିଲେ। ଏହି ପରୀକ୍ଷା ପ୍ରତି ଜିଲ୍ଲା ଓ ବ୍ଲକ୍ ମୁଖ୍ୟାଳୟରେ ହୋଇଥିବା ୫୦୪ଟି ପରୀକ୍ଷା କେନ୍ଦ୍ରରେ ଚାଲିଛି। ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ଫଳାଫଳରେ ଅସନ୍ତୋଷ ବ୍ୟକ୍ତ କରି ଅଫ୍ଲାଇନ୍ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ଅନୁପସ୍ଥିତ ରହୁଥିବା ସୂଚନା ମିଳିଛି।