ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ୧୧ରୁ, ଅଗଷ୍ଟ ୨୨ସୁଦ୍ଧା ପରୀକ୍ଷାଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜୁଲାଇ ୩୦ ତାରିଖରୁ ଆରମ୍ଭ ହୋଇଥିବା ଅଫ୍‌ଲାଇନ୍ ମାଟ୍ରିକ୍ ଓ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ।

ମୂଲ୍ୟାୟନ କାର୍ଯ୍ୟ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ ଆଦି ୭ ଜିଲ୍ଲାର ୯ଟି କେନ୍ଦ୍ରରେ ସଂପାଦନ କରାଯିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି। ମାତ୍ର ୩ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମୂଲ୍ୟାୟନ ପାଇଁ ପ୍ରାଥମିକ ଭାବେ ୧୫ଶହ ଶିକ୍ଷକଙ୍କୁ ଚୟନ କରାଯାଇଛି। ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ, ପରୀକ୍ଷକ, ଅନୁ ନିରୀକ୍ଷକଙ୍କ ନାମ ତାଲିକା ବୋର୍ଡ ୱେବ୍‌ସାଇଟ୍‌ରେ ଦିଆଯାଇଛି। ବିଦ୍ୟାଳୟର ମୁଖ୍ୟମାନେ ମୂଲ୍ୟାୟନ କାର୍ଯ୍ୟ ପାଇଁ ଚୟନ ହୋଇଥିବା ଶିକ୍ଷକମାନଙ୍କୁ ଅଗଷ୍ଟ ୧୦ ତାରିଖ ପୂର୍ବରୁ କାର୍ଯ୍ୟରୁ ଅବ୍ୟାହତି ଦେବ‌େ ଓ ସେମାନେ ଅଗଷ୍ଟ ୧୦ ତାରିଖ ପୂର୍ବାହ୍‌ଣ ୧୧ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ରହିବାକୁ ବୋର୍ଡ ପକ୍ଷରୁ କୁ‌ହାଯାଇଛି। ସଂପୃକ୍ତ ୭ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ବା ସେମାନଙ୍କ ପ୍ରତିନିଧି ଅଗଷ୍ଟ ୧୦ ତାରିଖ ଅପରାହ୍‌ଣ ୨ଟାରେ ମୂଲ୍ୟାୟନ କେନ୍ଦ୍ରରେ ଏକ ବୈଠକ ଆୟୋଜନ କରି ମୂଲ୍ୟାୟନ ବିଷୟରେ ଆଲୋଚନା କରିବେ। ଯଦି କୌଣସି କେନ୍ଦ୍ରରେ ପରୀକ୍ଷକଙ୍କ ଅଭାବ ପରିଲକ୍ଷିତ ହୁଏ, ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜରୁରିକାଳୀନ ଭିତ୍ତିରେ ପରୀକ୍ଷକ ନିଯୁକ୍ତି କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭା‌ବେ ପାଳନ କରାଯିବ ଓ ଜିଲ୍ଲା ଶିକ୍ଷାଧିକାରୀ ଏହାକୁ ଅନୁଧ୍ୟାନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଯୋଗ୍ୟ, ଅଫ୍‌ଲାଇନ୍ ମାଟ୍ରିକ୍‌ ପରୀକ୍ଷା ପାଇଁ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ ୩ ବର୍ଗରୁ ମୋଟ ୧୫ ହଜାର ୧୫୧ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବ‌େଳେ ପାଖାପାଖି ୩ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ପ୍ରତି ବିଷୟରୁ ମୋଟ ୮୦ ନମ୍ବର ପରୀକ୍ଷା ହେଉଥିବା ବେଳେ ଅବ୍‌ଜେକ୍ଟିଭ୍ ପାର୍ଟରେ ୫୦ ନମ୍ବର ଓ ସବ୍‌ଜେକ୍ଟିଭ୍ ପାର୍ଟରେ ୩୦ ନମ୍ବର ପରୀକ୍ଷା କରାଯାଉଛି। ଅବ୍‌ଜେକ୍ଟିଭ୍ ପାର୍ଟର ୫୦ ନମ୍ବର ଉତ୍ତର ଓଏମ୍‌ଆର ସହାୟତାରେ ଦିଆଯାଉଥିବାବେଳେ ଏହା ରାଜ୍ୟ ବାହାରେ କମ୍ପ୍ୟୁଟର ଦ୍ବାରା ମୂଲ୍ୟାୟନ କରାଯିବ। କେବଳ ୩୦ନମ୍ବର ବିଶିଷ୍ଟ ସବ୍‌ଜେକ୍ଟିଭ୍ ପାର୍ଟ ଶିକ୍ଷକଙ୍କ ଦ୍ବାରା ମୂଲ୍ୟାୟନ କରାଯିବ। ଖାତା ମୂଲ୍ୟାୟନ ମାତ୍ର ୩ ଦିନରେ ସରୁଥିବାରୁ ଅଗଷ୍ଟ ୨୨ତାରିଖ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର