କଟକ: ଅଫ୍ଲାଇନ୍ ମାଟ୍ରିକ୍, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଅଫ୍ଲାଇନ୍ ମାଟ୍ରିକ୍ରେ ପାସ୍ ହାର ୮୦.୮୩ ପ୍ରତିଶତ ରହିଛି। ବିନା ପରୀକ୍ଷାରେ ବା ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ବାହାରିଥିବା ପାସ୍ ହାରଠାରୁ ଏହା ପାଖାପାଖି ୧୬ ପ୍ରତିଶତ କମ୍ ରହିଛି। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମାଟ୍ରିକ୍ ପାସ୍ ହାର୍ ୯୬.୭୩ ପ୍ରତିଶତ ଥିଲା। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାସ୍ ହାର ୭୪.୩ ପ୍ରତିଶତ ରହିଥିବା ବେଳେ ମଧ୍ୟମା ପରୀକ୍ଷା ପାସ୍ ହାର ଶହେ ପ୍ରତିଶତ ରହିଛି। ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପ୍ରକାଶିତ ଫଳାଫଳରେ ଅସନ୍ତୋଷ ବ୍ୟକ୍ତ କରି ଅଫ୍ଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ଜଣ ଛାତ୍ରଛାତ୍ରୀଙ୍କର ଗ୍ରେଡ୍ ବଢ଼ି ଥିବା ବେଳେ ୪୫୯ ଛାତ୍ରଛାତ୍ରୀଙ୍କ ଗ୍ରେଡ୍ ହ୍ରାସ ପାଇଛି।
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜୁଲାଇ ୩୦ରୁ ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷା କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ ପଦ୍ଧତି ପରୀକ୍ଷାଫଳରେ ଅସନ୍ତୁଷ୍ଟ ଥିବା ୬୬୨୦ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମପୂରଣ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୧୪୬ଜଣ ଅଫ୍ଲାଇନ୍ ପରୀକ୍ଷା ନ ଦେବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା ବେଳେ ୧୦୮୬ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ ଓ ୧୪ଜଣ ମାଲ୍ପ୍ରାକ୍ଟିସ୍ ହୋଇଥିଲେ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୪୧ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି। ପାସ୍ ବର୍ଗରେ ୩୧୦୦ଜଣ ଛାତ୍ର ରହିଥିବାବେଳେ ୨୧୩୩ଜଣ ଛାତ୍ରୀ ରହିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୨ଜଣ ଏ-୧ ଗ୍ରେଡ୍, ୨୫୫ଜଣ ଏ-୨ଗ୍ରେଡ୍, ୩୪୮ଜଣ ବି-୧ ଗ୍ରେଡ୍, ୪୫୮ଜଣ ବି-୨ ଗ୍ରେଡ୍, ୫୯୯ ସି ଗ୍ରେଡ୍, ୪୮୬ ଜଣ ଡି-ଗ୍ରେଡ୍, ୨୬୮୫ଜଣ ଇ-ଗ୍ରେଡ୍ ପାଇଥିବା ବେଳେ ୧୪୧ଜଣ ଏଫ୍-ଗ୍ରେଡ(ଫେଲ୍) ପାଇଛନ୍ତି। ଅଫ୍ଲାଇନ୍ ପରୀକ୍ଷା ଦେଇ ଫେଲ୍ ହୋଇଥିବା ୧୪୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୦ଜଣ ପରୀକ୍ଷାର୍ଥୀ ଗୋଟିଏ/ଦୁଇଟି ପରୀକ୍ଷା ଦେଇ ଅବଶିଷ୍ଟ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଏହି ୮୦ ଜଣଙ୍କର ପୂର୍ବ ମୂଲ୍ୟାୟନ (ବିକଳ୍ପ ମୂଲ୍ୟାୟନ) ଅନୁସାରେ ପାସ୍ କରାଯିବାକୁ ବୋର୍ଡ ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବାରୁ ସେମାନଙ୍କ ପାସ୍ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଉଛି। ଏହି ଏଫ୍-ଗ୍ରେଡର ଅବଶିଷ୍ଟ ୬୧ଜଣ ପିଲା ସବୁ ବିଷୟରେ ଅତି ଦୁର୍ବଳ ନମ୍ବର ରଖିଥିବାରୁ ସେମାନଙ୍କୁ ଫେଲ୍ କରାଯିବାକୁ ବୋର୍ଡ ପରୀକ୍ଷା କମିଟି ବୈଠକରେ ସ୍ଥିର ହୋଇଛି। ସେହିପରି ଅଫ୍ଲାଇନ୍ ପରୀକ୍ଷା ପାଇଁ ଫର୍ମପୂରଣ କରି ପରେ ପ୍ରତ୍ୟାହାର ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ ପୂର୍ବ ମୂଲ୍ୟାୟନ ଅନୁସାରେ ବିଚାର କରାଯିବାକୁ ପରୀକ୍ଷା କମିଟି ବୈଠକରେ ସ୍ଥିର ହୋଇଛି।
ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୮୪୯୧ଜଣ ଫର୍ମପୂରଣ କରିଥିବା ବେଳେ ୧୩୮୩ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ ଏବଂ ୧୯ଜଣ ମାଲପ୍ରାକ୍ଟିସ୍ ହୋଇଥିଲେ। ଏହି ପରୀକ୍ଷାରେ ୬୩୦୯ଜଣ ପାସ୍ କରିଥିବା ବେଳେ ହାରାହାରି ପାସ୍ ହାର ୭୪.୩୦ ପ୍ରତିଶତ ରହିଛି। ଏହି ବର୍ଗର କେହି ଏ-୧ ଗ୍ରେଡ୍ ପାଇନଥିବା ବେଳେ ୧୭ଜଣ ଏ-୨ ଗ୍ରେଡ୍, ୧୯୪ଜଣ ବି-୧, ୩୪୭ଜଣ ବି-୨ଗ୍ରେଡ୍, ୮୧୬ଜଣ ସି, ୧୪୨୫ଜଣ ଡି-ଗ୍ରେଡ୍, ୩୫୧୦ ଜଣ ଇ-ଗ୍ରେଡ୍ ଓ ୩୨୮ଜଣ ଏଫ୍(ଫେଲ୍) ଗ୍ରେଡ୍ ପାଇଛନ୍ତି।
ମଧ୍ୟମା ପରୀକ୍ଷାର ପାସ୍ ହାର ଶତ ପ୍ରତିଶତ ରହିଛି। ମଧ୍ୟମା ପାଇଁ ମୋଟ ୬୧ଜଣ ଫର୍ମପୂରଣ କରିଥିବା ବେଳେ ୧୦ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତେ ପାସ୍ କରିଥିବା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଓ ଉପପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ ଉପସ୍ଥିତ ଥିଲେ। ମାଟ୍ରିକ୍ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ବୋର୍ଡ ୱେବ୍ ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଥିବା ବେଳେ ମଧ୍ୟମା ପରୀକ୍ଷାଫଳ ପିଲାଙ୍କ ପାଖକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲିଠାରୁ ସେପ୍ଟେମ୍ବର ୮ତାରିଖ ପର୍ଯ୍ୟନ୍ତ ପିଲାମାନେ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଅନ୍ଲାଇନ୍ରେ ରିଚେକିଂ ଓ ରିଆଡିସନ ପାଇଁ ଆବେଦନ କରିପାରିବେ ବୋଲି ଉପସଭାପତି ଡକ୍ଟର ମହାନ୍ତି ସୂଚନା ଦେଇଛି।
ସୂଚନା ଯୋଗ୍ୟ, ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷା ଜୁଲାଇ ୩୦ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ତାରିଖରେ ସରିଥିଲା। ପ୍ରତି ବିଷୟରେ ୮୦ନମ୍ବର ଲେଖାଏଁ ପରୀକ୍ଷା ହୋଇଥିବା ବେଳେ ପାର୍ଟ-୧(ଅବ୍ଜେକ୍ଟିଭ୍)ରେ ୫୦ନମ୍ବର ଓ ପାର୍ଟ-୨(ସବ୍ଜେକ୍ଟିଭ୍)ରେ ୩୦ ନମ୍ବର ପରୀକ୍ଷା ହୋଇଥିଲା। ମୂଲ୍ୟାୟନ କାର୍ଯ୍ୟ ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୪ ତାରିଖରେ ସରିଥିଲା।
ସୋରଡ଼ା ବିଧାୟକ ‘ବି-୨’ ଗ୍ରେଡ଼୍ ପାଇଲେ
ସୋରଡ଼ା: ଦଶମ ଶ୍ରେଣୀ ପରୀକ୍ଷାରେ ‘ବି-୨’ ଗ୍ରେଡ଼୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଆଜି ଅଫ୍ଲାଇନ୍ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଶ୍ରୀ ସ୍ବାଇଁ ମୋଟ ୫୦୦ ମାର୍କରୁ ୩୪୦ ମାର୍କ ରଖିଛନ୍ତି। ବିଧାୟକ ପୂର୍ଣ୍ଣଚନ୍ଦ୍ର ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଅଧୀନରେ ଦଶମ ଶ୍ରେଣୀ ପାଇଁ ଗତମାସ ୩୦ ତାରିଖରେ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଅଫ୍ଲାଇନ୍ରେ ପରୀକ୍ଷା ଦେଇଥିଲେ। ଇଂରାଜୀ, ଓଡ଼ିଆ, ସାମାଜିକ ବିଜ୍ଞାନ, ଗୃହବିଜ୍ଞାନ ଓ ପେଣ୍ଟିଂ ପରୀକ୍ଷା ଦେଇଥିଲେ। ପେଣ୍ଟିଂ ବିଷୟରେ ସର୍ବାଧିକ ୮୫ ମାର୍କ ରଖିଥିବା ବେଳେ ଇଂରାଜୀରେ ସର୍ବନିମ୍ନ ୪୪ ମାର୍କ ରଖିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ସ୍ବାଇଁ ଜଣେ ସାଧାରଣ ପରୀକ୍ଷାର୍ଥୀ ଭଳି ଦଶମ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଥିଲେ। ପୂର୍ବରୁ ଅନେକ ଥର ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାରିବାରିକ ଓ ରାଜନୈତିକ ବ୍ୟସ୍ତତା ଯୋଗୁଁ ସୁଯୋଗ ପାଇ ପାରି ନଥିଲେ। ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ମନ ବଳାଇଥିବା ବେଳେ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସ୍ବତନ୍ତ୍ର ଆଇସୋଲେସନ୍ କକ୍ଷରେ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ଫଳାଫଳକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି।