ରାଉରକେଲା : ଜାନୁଆରୀ ୧୩ ତାରିଖରୁ ରାଉରକେଲାସ୍ଥ ନବ ନିର୍ମିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ସୋମବାରଠାରୁ ଅଫ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଛି। ଷ୍ଟାଡିୟମର ଦୁଇଟି ଗେଟ୍‌ରେ ୨ ଟି କାଉଣ୍ଟର୍‌ରେ ଟିକେଟ୍‌ ବିକ୍ରି ହୋଇଥିଲା। ଷ୍ଟାଡିୟମର ଗେଟ୍‌ ନଂ ୨ ଓ ଗେଟ୍‌ ନଂ ୬ରେ ଉଭୟ କାଉଣ୍ଟର୍‌ ରହିଥିଲା। ପ୍ରତ୍ୟେକ କାଉଣ୍ଟର୍‌ରେ ୩ଟି ଧାଡ଼ିରେ, ଏକକାଳୀନ ତିନି ଜଣଙ୍କୁ ଟିକେଟ୍‌ ବିକ୍ରି କରାଯାଇଥିଲା। ପ୍ରତ୍ୟେକ କାଉଣ୍ଟର୍‌ରେ ମହିଳାଙ୍କ ପାଇଁ ଗୋଟିଏ ଓ ପୁରୁଷଙ୍କ ପାଇଁ ୨ଟି ଲେଖାଏଁ ଧାଡ଼ିର ବ୍ୟବସ୍ଥା କରାଯାଇଥିଲା। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ପ୍ରାୟ ୭ଟା ଯାଏଁ ଟିକେଟ୍‌ ପାଇଁ ଲମ୍ବା ଭିଡ଼ ଦେଖିବାକୁ ମିଳିଥିଲା। ଉଭୟ କାଉଣ୍ଟର୍‌ରେ ପାଖାପାଖି ୧୦ ହଜାର ହକିପ୍ରେମୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Advertisment

ରାଉରକେଲାରେ ପ୍ରଥମଥର ପାଇଁ ଖେଳାଯିବାକୁ ଥିବା ଏହି ବିଶ୍ବକପ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କ ମୁହଁରେ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଟିକେଟ୍‌ ବିକ୍ରି ଆରମ୍ଭ ହେବାର ଢ଼େର୍‌ ପୂର୍ବରୁ କାଉଣ୍ଟର୍‌ ସମ୍ମୁଖରେ ପହଞ୍ଚିଯାଇଥିଲେ ହକିପ୍ରେମୀ। ଭୋର୍‌ ପ୍ରାୟ ୫ଟାରୁ ଆରମ୍ଭ ହୋଇଯାଇଥିଲା ଦର୍ଶକଙ୍କ ଭିଡ଼। ଘନ କୁହୁଡ଼ି ସହ ପ୍ରବଳ ଜାଡ଼କୁ ଖାତିର୍‌ ନ କରି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ସମୟ ଯେମିତି ଗଡ଼ି ଚାଲିଥିଲା, ଠିକ୍‌ ସେମିତି ଦର୍ଶକଙ୍କ ଭିଡ଼ ଜମିବାରେ ଲାଗିଥିଲା। ଉଭୟ ଗେଟ୍‌ରେ ଥିବା ଟିକେଟ୍‌ କାଉଣ୍ଟର୍‌ରେ ପ୍ରାୟ ୪ ଶହ ମିଟର ପର୍ଯ୍ୟନ୍ତ ଧାଡ଼ି ଦେଖିବାକୁ ମିଳିଥିଲା।

ପ୍ରଥମ ଦିନରେ କିନ୍ତୁ ଦର୍ଶକଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟିକେଟ୍‌ ବିକ୍ରି ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ; ଅର୍ଥାତ୍‌ ପାଖାପାଖି ୧୨ଟା ୩୫ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଥମେ ୨ଟି ଲେଖାଏଁ ଟିକେଟ୍‌ ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ କିନ୍ତୁ ଗୋଟିଏ ଲେଖାଏଁ ଟିକେଟ୍‌ ଦିଆଯାଇଥିଲା। କେବଳ ଅଳ୍ପସଂଖ୍ୟକ ୫ ଶହ ଟଙ୍କିଆ ଟିକେଟ୍‌ ବିକ୍ରି କରାଯାଇଥିଲା। ତେବେ ୪ ଶହ ଓ ୨ ଶହ ଟଙ୍କିଆ ଟିକେଟ୍‌ ଅପେକ୍ଷାକୃତ ଅଧିକ ବିକ୍ରି ହୋଇଥିଲା। ଲୋକେ ୫ ଶହ ଟଙ୍କିଆ ଟିକେଟ୍‌ ଦାବି କରିବାରୁ ଟିକେଟ୍‌ ଶେଷ ହୋଇଯାଇଥିବା ହକି ଇଣ୍ଡିଆ ପ୍ରତିନିଧି କାରଣ ଦର୍ଶାଇଥିଲେ।