ଓଏଫ୍ଏସ୍ ଅଫିସରଙ୍କ ଆତ୍ମହତ୍ୟା

ଆଜି କାର୍ଯ୍ୟରେ ନୂତନ ଭାବେ ଯୋଗ ଦେଇଥା’ନ୍ତେ

ଭୁବନେଶ୍ବର: ଗୋଟିଏ ଦିନ ପରେ କାର୍ଯ୍ୟରେ ଯୋଗ ଦେଇଥା’ନ୍ତେ। ପରିବାରରେ ଥିଲା ଖୁସିର ମାହୋଲ୍। କିନ୍ତୁ କ୍ଷଣିକରେ ସବୁ ଖୁସି ପାଣିଫୋଟକା ଭଳି ମିଳେଇଗଲା। ଓଢ଼ଣୀରେ ଝୁଲି ଆତ୍ମହତ୍ୟା କରିଦେଲେ ଓଏଫ୍ଏସ୍ (ଓଡ଼ିଶା ଫାଇନାନ୍ସ ସର୍ଭିସ୍‌) ଅଫିସର୍‌। ମୃତକ ହେଲେ, ବଲାଙ୍ଗୀର ଟିଟିଲାଗଡ଼ର ଅଭିଳାଷ ସ୍ବରୂପ ମହାପାତ୍ର।

ରାଜଧାନୀର ଖଣ୍ଡଗିରି ଥାନା ଡୁମୁଡୁମା ଫେଜ୍-୪ରେ ସପରିବାରେ ରହନ୍ତି। ପୁଲିସ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। କିନ୍ତୁ କେଉଁ କାରଣରୁ ଅଭିଳାଷ ଏପରି ଚରମ ନିଷ୍ପତ୍ତି ନେଲେ, ତାହା ଅସ୍ପଷ୍ଟ ରହିଛି। ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସ ସୂଚନା ଅନୁସାରେ, ଅଭିଳାଷ ପୂର୍ବରୁ ବ୍ୟାଙ୍କରେ ଚାକିରି କରିଥିଲେ। କିଛି ମାସ ତଳେ ଓଏଫ୍ଏସ୍ ପାଇଥିଲେ। ଓଡ଼ିଶା ଫାଇନାନ୍ସ ସର୍ଭିସରେ କୃତକାର୍ଯ୍ୟ ହୋଇଥିଲେ। ସୋମବାର ଟ୍ରେଜେରି ଅଫିସରେ ଓଏଫ୍ଏସ ଭାବେ ଯୋଗଦାନ କରିବାର ଥିଲା। କିନ୍ତୁ ଗତକାଲି ସଂଧ୍ୟାରେ ସବୁ ଓଲଟପାଲଟ ହୋଇଯାଇଥିଲା। ଘରେ ପରିବାରଲୋକ ଥିଲେ ହେଁ ଅଭିଳାଷ ଗୋଟିଏ ରୁମ୍‌କୁ ଯାଇ ଭିତରୁ କବାଟ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ତାଙ୍କ ପତ୍ନୀ କବାଟ ବାଡ଼େଇ ଡାକିଥିଲେ ହେଁ ଅଭିଳାଷ ଶୁଣି ନ ଥିଲେ। ସନ୍ଦେହ ହେବାରୁ ପଡ଼ୋଶୀଙ୍କ ସହାୟତାରେ ପତ୍ନୀ କବାଟ ଭାଙ୍ଗିବା ପରେ ଅଭିଳାଷଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଭିଳାଷ କାହିଁକି ଆତ୍ମହତ୍ୟା କଲେ? ସୋମବାର କାର୍ଯ୍ୟରେ ଯୋଗଦେବା ପୂର୍ବରୁ କାହିଁକି ଏଭଳି ନିଷ୍ପତ୍ତି ନେଲେ? କ’ଣ ରହିଥାଇପାରେ କାରଣ? କୌଣସି ଘଟଣାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ କି? ତାଙ୍କର କାହା ସହ କିଛି ବିବାଦ ରହିଥିଲା କି? ଏ ସବୁ ଏବେ ବି ପୁଲିସ ପାଇଁ ଅସମାହିତ ହୋଇ ରହିଛି। ଖବର ପାଇ ଅଭିଳାଷ ଓ ତାଙ୍କ ପତ୍ନୀଙ୍କ ପରିବାରଲୋକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୁରୀରେ ଅଭିଳାଷଙ୍କର ଅନ୍ତିମ ସଂସ୍କାର କରା ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର