ଭୁବନେଶ୍ବର : ବିଦ୍ୟୁତ ଦର ବଢ଼ାଇବା ଲାଗି ବିଭିନ୍ନ ବିତରଣକାରୀ ଓ ଉତ୍ପାଦନକାରୀ କମ୍ପାନିଗୁଡ଼ିକର ଆବେଦନ ଉପରେ ଜନଶୁଣାଣି ଆରମ୍ଭ ହୋଇଛି। ଓଇଆର୍‌ସି(ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ) ପକ୍ଷରୁ ଆରମ୍ଭ ହୋଇଥିବା ଏହି ଜନଶୁଣାଣିର ପ୍ରଥମ ଦିନରେ ଓଏଚ୍‌ପିସି (ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ) ପକ୍ଷ ରଖିଛି। ସମସ୍ତ ଆନୁସଂଗିକ ଖର୍ଚ୍ଚ ବୃଦ୍ଧି ଘଟି ଥିବାରୁ ୟୁନିଟ ପିଛା ୭.୮୦ ପଇସା ବିଦ୍ୟୁତ ଦେୟ ବୃଦ୍ଧି କରିବା ପାଇଁ ଓଏଚ୍‌ପିସି ପ୍ରାର୍ଥନା କରିଛି। ବର୍ତ୍ତମାନ ଓଏଚ୍‌ପିସି ୟୁନିଟ୍‌ ପିଛା ୟୁନିଟ ପିଛା ୮୮ ପଇସାରେ ଗ୍ରିଡ୍‌କୋକୁ ବିଜୁଳି ବିକୁଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୟୁନିଟ ପିଛା ୯୫.୮୦ ପଇସା ବିଜୁଳି ଦର ଧାର୍ଯ୍ୟ କରିବାକୁ ଓଏଚ୍‌ପିସିର ଆବେଦନ ଉପରେ ଆଜି ଶୁଣାଣି ହୋଇଛି। ଓଏଚ୍‌ପିସିର ଦରବୃଦ୍ଧି ଦାବିକୁ ବିରୋଧ କରିଛି ଓଡ଼ିଶା ବିଦ୍ୟୁତ୍‌ ଉପଭୋକ୍ତା ସଂଘ।

Advertisment

ଏବର୍ଷ ମାଛକୁଣ୍ଡ ପ୍ରକଳ୍ପକୁ ବାଦ ଦେଇ ବାକି ସମସ୍ତ ପ୍ରକଳ୍ପରୁ ୫୬୦୨.୬୦ ମିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି। ଏଥିପାଇଁ ୫୩୬. ୭୩୮ କୋଟି ଖର୍ଚ୍ଚ ହେବ। ୨୦୧୭ରେ ବିଜୁଳି ଦର ୟୁନିଟ ପିଛା୧୦ ପଇସା ବଢ଼ିଥିଲା। ସାଧାରଣ ନିର୍ବାଚନ ତଥା ବିଭିନ୍ନ କାରଣରୁ ଗଲା ଦୁଇ ଆର୍ଥିକ ବର୍ଷରେ ଓଇଆରସି ବିଦ୍ୟୁତ ଦର ବୃଦ୍ଧି କରି ନଥିଲା। କିନ୍ତୁ ଏଥର ସମସ୍ତ ଉତ୍ପାଦନକାରୀ ଓ ଆବଣ୍ଟନକାରୀ କମ୍ପାନି ଦେୟ ବୃଦ୍ଧି ସପକ୍ଷରେ ଯୁକ୍ତି ରଖିଥିବାରୁ ଦର ବଢ଼ିବା ଏକ ପ୍ରକାର ଥୟ ହୋଇଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ, ରାଜ୍ୟ ସରକାରଙ୍କର ଲାଭପ୍ରଦାନକାରୀ ରାଷ୍ଟ୍ରାୟତ ଉଦ୍ୟୋଗ ତାଲିକାରେ ଓଏଚ୍‌ପିସି ରହିଛି। ଗତ ଜାନୁଆରି ମାସରେ ଓଏଚ୍‌ପିସି ଲାଭାଂଶ ବାବଦକୁ ୩୧ କୋଟି ୫୭ ଲକ୍ଷ ୮୮ ହଜାର ୭୨୯ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛି। ଏପଟେ କ୍ଷତି ଦର୍ଶାଇ ଦର ବୃଦ୍ଧି କରିବାକୁ ଆବେଦନ କରିଛି।

ଆଜି ଠାରୁ ଶୈଳଶ୍ରୀ ବିହାର ଓଇଆରସି ଅଫିସ୍‌ରେ ଆରମ୍ଭ ହୋଇଥିବା ଶୁଣାଣି ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ଅର୍ଥାତ୍‌ ୪ ତାରିଖରେ ଓପିଜିସିର ଆବେଦନ ଉପରେ ଶୁଣାଣି ହେବ। ପ୍ରଥମକରି ଓଇଆରସି ମୁଖ୍ୟ କାର୍ଯ୍ୟାଳୟ ବାହାରେ ତିନୋଟି ସ୍ଥାନରେ ଜନ ଶୁଣାଣିର ବ୍ୟବସ୍ଥା ହେଇଛି। ବାଲେଶ୍ୱରରେ ନେସ୍କୋ, ସମ୍ବଲପୁରରେ ୱେସ୍କୋ ଓ କୋରାପୁଟରେ ସାଉଥକୋର ଶୁଣାଣି ହେବ। ୨୬ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ବସିବ। ଏଥିରେ ସମସ୍ତ ଆବେଦନ ଉପରେ ଆଲୋଚନା କରାଯିବ। ମାର୍ଚ୍ଚ ତୃତୀୟ ସପ୍ତାହ ସୁଦ୍ଧା ଦେୟ ବୃଦ୍ଧି ନେଇ ଓଇଆରସି ନୀତିଗତ ନିଷ୍ପତି ନେବ ବୋଲି ଜଣାପଡ଼ିଛି। ଏବେ ୧ ରୁ ୫୦ ରୁ ୟୁନିଟ ପାଇଁ ୨ ଟଙ୍କା୫୦, ୫୦ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୩୦, ୨୦୦ରୁ ୪୦୦ ୟୁନିଟପାଇଁ ୫ଟଙ୍କା ୩୦, ୪୦୦ ରୁ ଅଧିକ ୟୁନିଟ ପାଇଁ ୫ଟଙ୍କା ୭୦ ହିସାବରେ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡୁଛି। ଦେୟ ବୃଦ୍ଧି ପାଇଁ ଆବେଦନ କରିଥିବା ତାଲିକାରେ ଓଏଚ୍‌ପିସି ଓ ଓପିଜିସି ସହ ଗ୍ରିଡ୍‌କୋ, ଓପିଟିସିଏଲ୍‌, ଏସ୍‌ଏଲ୍‌ଡିସି, ନେସ୍କୋ, ୱେସ୍କୋ ଓ ସାଉଥ୍‌କୋ ରହିଛନ୍ତି।