କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲା: ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋରାପୁଟର କୁନ୍ଦୁଲିଠାରେ ଗତ ମଙ୍ଗଳବାର ଘଟି ଯାଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମନବାଧିକାର କମିସନ୍‌। ସଂପୃକ୍ତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଯବାନମାନଙ୍କର ସଂପୃକ୍ତି ଅଭିଯୋଗ ଥିବାରୁ ଏହି ମାମଲାକୁ ଅତ୍ୟନ୍ତ ସ୍ପର୍ଶକାତର ତଥା ଗୁରୁତ୍ୱପୂର୍ଣ୍ଣ ମାମଲା ଭାବରେ ଗ୍ରହଣ କରିଛନ୍ତି ରାଜ୍ୟ ମାନବାଧିକାର କମିସନ୍‌। ରାଜ୍ୟ ସରକାରଙ୍କର ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ସଚିବ ଓ ଏଚ୍‌ଆର୍‌ପିସିର ଡିଆଇଜି ମିଳିତ ଭାବେ ଏହି ଘଟଣାର ତଦନ୍ତ କରି ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଆଜି ଅପରାହ୍ନରେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌। ଏଥିସହ କମିସନ ପୀଡ଼ିତା ନାବାଳିକାଙ୍କ ଚିକିତ୍ସା କ୍ଷେତ୍ରରେ ଯେପରି କୌଣସି ପ୍ରକାର ତ୍ରୁଟି ନ ଘଟେ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ କୋରାପୁଟ ମେଡିକାଲ୍‌ କଲେଜର ସୁପରିଟେଣ୍ଡେଣ୍ଟ୍‌ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କୁ ଉପଲବ୍ଧ ଥିବା ଉନ୍ନତମାନର ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ କମିସନ ତାଙ୍କର ତଦନ୍ତ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଏହି ସମ୍ବେଦନଶୀଳ ଘଟଣାର ସ୍ୱତନ୍ତ୍ର ତଦନ୍ତ କରି ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର