ରାଇଘର/ ଭୁବନେଶ୍ବର : ନବରଂଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲା ଓଡ଼ିଶା ମାନବାଧିକାର ଆୟୋଗ  (ଓଏଚ୍‌ଆରସି)ଙ୍କ ନିକଟରେ ପହଞ୍ଚିଛି। ପୀଡିତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଯଦି ଅଧିକ ଚିକିତ୍ସା ପାଇଁ ଅନ୍ୟ କେଉଁଠିକୁ ନିଆଯିବାର ଆବଶ୍ୟକତା ରହିଛି, ତା’ହେଲେ ଏହା କରାଯାଇ ପାରିବ ବୋଲି କୁହାଯାଇଛି। ପୀଡିତାଙ୍କ ଚିକିତ୍ସା ପାଇଁ ସରକାର ସମସ୍ତ ଖର୍ଚ୍ଚ କରିବେ। ଏଥି ସହିତ ଓଏଚ୍‌ଆରସି ଏହି ମାମଲାରେ ତଦନ୍ତ ପାଇଁ ନବରଂଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ (ସିଡିଏମ୍‌ଓ) ଓ ପିଏଚ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି। ମାମଲାର ତଦନ୍ତ ରିପୋର୍ଟ ଆସନ୍ତା ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଓଏଚ୍‌ଆରସି ତରଫରୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅନ୍ୟପଟରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବାରୁ ଗୁରୁବାର ରାତିରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ପାଶବିକ ଘଟଣା ପଛରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ବାପା ଗୁରୁବାର ଅପରାହ୍ନରେ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଜାରି ରଖିଛି।

ସୂଚନା ଅନୁସାରେ, ଗତ ୭ତାରିଖ ପୀଡ଼ିତାଙ୍କ ସହ ଦୁଇ ଶିକ୍ଷକ ଦୁଷ୍କର୍ମ କରିଥିଲେ। ଲୋକଲଜ୍ଜା ସହ ମାନସିକ ଆଘାତ ଯୋଗୁଁ ପୀଡ଼ିତା ସ୍କୁଲରେ ହୋଇଥିବା ଅତ୍ୟାଚାର ସଂପର୍କରେ ଘରେ କାହାକୁ କିଛି କହିନଥିଲେ। ତେବେ ବୁଧବାର ଦିନ ସକାଳେ ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ଦୁଷ୍କର୍ମ ସଂପର୍କରେ ଆଦୌ ମୁହଁ ଖୋଲି ନଥିଲେ। ତେଣୁ ପରିବାର ଲୋକ ଡାକ୍ତରଖାନାକୁ ନେଇ କିଛି ପେନ୍‌ କିଲର ଆଣି ଖାଇବାକୁ ଦେଇଥିଲେ। ଗୁରୁବାର ସକାଳେ ପୁଣି ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନିଆଯାଇଥିଲା। ପେନ୍‌ କିଲର୍‌ ଖାଇବା ସତ୍ତ୍ବେ ଯନ୍ତ୍ରଣା କମିନଥିବାରୁ କାର୍ଯ୍ୟରତ ନର୍ସଙ୍କ ସନ୍ଦେହ ହୋଇଥିଲା। ଏକୁଟିଆ ପୀଡ଼ିତାଙ୍କ ସହ କଥାବାର୍ତ୍ତା କରିବାରୁ ବହୁ କଷ୍ଟରେ ଦୁଷ୍କର୍ମ ହୋଇଥିବା ପ୍ରକାଶ କରିଥିଲେ। ତୁରନ୍ତ ଏ ବିଷୟରେ ଡାକ୍ତରଙ୍କୁ ଅବଗତ କରାଯିବା ସହ ପୁଲିସକୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା।

ଗୁରୁବାର ଦିନ ଅପରାହ୍ନରେ ପୀଡ଼ିତାଙ୍କୁ ନେଇ ପରିବାର ଲୋକ ଥାନାରେ ପହଞ୍ଚିଥିଲେ। ଲିଖିତ ଏତଲା ଦେବାରୁ ପୁଲିସ ଅଭିଯୋଗକୁ ରଖି ଦୁଇ ଶିକ୍ଷକଙ୍କୁ ଥାନାକୁ ଡକାଇ ଥିଲା। ପରବର୍ତ୍ତୀ ସମୟରେ ପୀଡ଼ତାଙ୍କୁ ଚିକିତ୍ସା ନିମନ୍ତେ ଉମରକୋଟ ଡାକ୍ତରଖାନାକୁ ପଠାଯାଇଥିଲା। ରାତି ପ୍ରାୟ ୮ଟାରେ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପକ୍ସୋ ଆଇନରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରବଳ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଘଟଣା ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।