କଟକ : ବିଦ୍ୟୁତ ଆଘାତରେ ଗୋଡ ହାତ ହରାଇଥିବା ଅନାଥ ବାଳକ ବିଷ୍ଣୁ ଲୋହାରଙ୍କୁ ସାଢେ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ମାନବାଧିକାର କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୯ ବର୍ଷିୟ ବାଳକ ବିଷ୍ଣୁଙ୍କୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ଦେଢ ଲକ୍ଷ ଟଙ୍କା ଓ ବିଦ୍ୟୁତ ବିତରଣ କମ୍ପାନି ନେସ୍କୋ ୩ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କମିସନ୍ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬ ମାର୍ଚ ୩ ତାରିଖରେ ସାରସକଣାର ବିଷ୍ଣୁ ଏକ ଛାତ ଉପରେ ଛିଡା ହୋଇ ଫୁଟବଲ୍ ମ୍ୟାଚ ଦେଖୁଥିବା ବେଳେ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ବିଷ୍ଣୁଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ୍ ଓ ପରେ କଟକ ଏସସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ସମୟରେ ବିଷ୍ଣୁଙ୍କ ଡାହାଣ ଗୋଡ ଓ ହାତ କଟା ଯାଇଥିଲା । ଏପରି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ସଂପର୍କରେ ଆଇନଜୀବୀ ଶ୍ରୀ ମିଶ୍ର ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମିସନ ଏହାକୁ ଗୁରୁତର ଭାବେ ନେଇ ବିଦ୍ୟୁତ ବିତରଣ କମ୍ପାନି ନେସ୍କୋ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଏସସିବି ମେଡିକାଲ୍ କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ ସବିଶେଷ ରିପୋର୍ଟ ତଲବ କରିଥିଲେ।
ବିଦ୍ୟୁତ ବିଭାଗ ନିଜ ଉପରୁ ସବୁ ଦୋଷ ଛଡାଇବାକୁ ଚେଷ୍ଟା କରି ଏପରି ଘଟଣା ପାଇଁ ଦାୟୀ ନୁହେଁ ବୋଲି ଦର୍ଶାଇଥିଲା। କିନ୍ତୁ କମିସନ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଏମ.ସି. ମେହେଟା ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି କମିସନ ନେସ୍କୋକୁ ଏପରି ଘଟଣା ପାଇଁ ଦାୟୀ କରିଥିଲେ। ବିଦ୍ୟୁତ ତାରର ସଠିକ ରକ୍ଷଣାବେକ୍ଷଣା ଅଭାବରୁ ଏପରି ଘଟଣା ଘଟିଥିଲା। ଗୁରୁତର ଆହତ ବାଳକକୁ ନେସ୍କୋ ୟୁଟିଲିଟି ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏପରି ପରିସ୍ଥିତିରେ ନେସ୍କୋ ବିଷ୍ଣୁଙ୍କ ନିକଟ ସଂପର୍କିୟଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି କମିସନ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ପୀଡିତଙ୍କୁ ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨୦ ହଜାର ଟଙ୍କାର ସହାୟତା ଅତି କମ୍ ବୋଲି କମିସନଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ତେଣୁ ସରକାର ବିଷ୍ଣୁଙ୍କ ନିକଟ ସଂପର୍କିୟଙ୍କୁ ଦେଢ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତିା ଅର୍ଥାତ୍ ବିଷ୍ଣୁ ସର୍ବମୋଟ୍ ସାଢ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ପାଇବେ । ଏହି କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ବିଦ୍ୟୁତ ବିଭାଗ ସଚିବ, ରାଜସ୍ୱ ସଚିବ, ମୟୂରଭଂଜ ଜିଲ୍ଲାପାଳ ଓ ନେସ୍କୋ ୟୁଟିଲିଟି କମ୍ପାନି କର୍ତ୍ତୃପକ୍ଷ କମିସନଙ୍କ ନିକଟରେ ୨ ମାସ ଭିତରେ ରିପୋର୍ଟ ଦାଖଲ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/OHRC.jpg)