କଟକ : କଟକ ନରସିଂହପୁର ଥାନାରେ ପୀଡ଼ିତା ନାବାଳିକାକୁ ନିର୍ଯାତନା ଘଟଣାରେ କଟକ ଏସ୍ପି ଓ ନରସିଂହପୁର ଥାନା ଅଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି ମାନବାଧିକାର କମିଶନ। ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟକୁ ଭିତ୍ତିକରି ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବିଜୟକୃଷ୍ଣ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାସଙ୍କ ଖଣ୍ଡପୀଠ ଆଜି ଏହି ମାମଲାରେ ନୋଟିସ ଜାରି କରିଥିବା ଜଣାପଡିଛି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୮ତାରିଖରେ କରିବାକୁ ଆୟୋଗ ସ୍ଥିର କରିଛନ୍ତି। ଏ ନେଇ ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର କୁମାର ଦାସ ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ପୀଡିତାଙ୍କୁ ଦଶଲକ୍ଷ ଟଙ୍କା କ୍ଷତିପୂରଣ ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ନରସିଂହପୁର ନାବାଳିକା ଦୁଷ୍କର୍ମ ପୀଡ଼ାତାଙ୍କୁ ତିନି ରାତି ଥାନାରେ ରଖି ନିର୍ଯାତନା ଦିଆଯାଇଥିବା ନେଇ ଚାଇଲ୍ଡ ଲାଇନ ନିକଟରେ ଚାଞ୍ଚଲ୍ୟକର ବୟାନ ଦେବା ପରେ ଘଟଣା ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ନାବାଳିକା ଦୁଷ୍କର୍ମ ପୀଡିତାଙ୍କୁ ଥାନାରେ ମାନସିକ ନିର୍ଯାତନା ଦିଆଯିବା, ବିନା ମହିଳା ପୁଲିସରେ ନାବାଳିକାଙ୍କ ଗର୍ଭ ପରୀକ୍ଷା କରାଇବା, ଘଟଣା ସଂପର୍କରେ କାହାରିକୁ କିଛି ନ ଜଣାଇବା ପାଇଁ କୁହାଯିବା ସହ ବାପା, ମା’ଙ୍କୁ ମିଛ ମାମଲାରେ ବାନ୍ଧି ଜେଲ ପଠାଇଦେବାକୁ ଧମକ ଦେଇଥିଲେ ନରସିଂହପୁର ଥାନାର ପୁଲିସ ବାବୁ। କେବଳ ସେତିକି ନୁହେଁ, ଥାନା ଭିତରେ ମାମଲାକୁ ରଫାଦଫା କରିଦେବା ପାଇଁ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ସଂପର୍କୀୟଙ୍କ ଉପସ୍ଥିତିରେ ଚାପ ପ୍ରୟୋଗ କରାଯାଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଚାଇଲ୍ଡ୍ଲାଇନ୍ ପକ୍ଷରୁ ନରସିଂହପୁର ଥାନାରେ ଏତଲା ଦିଆଯାଇଛି। ଏହି ଘଟଣାରେ ଏସ୍ପି ବି. ଯୁଗଳ କିଶୋର ବସୁନ୍ଧରାରେ ପହଞ୍ଚି ପୀଡିତାଙ୍କ ବୟାନ ନେବା ସହ ନରସିଂହପୁର ଥାନାରେ ପହଞ୍ଚି ତଦନ୍ତ କରିବା ପରେ ପୁଲିସ ଅଧିକାରୀ ରବିନ୍ଦ୍ର କୁମାର ନାୟକଙ୍କୁ ନିଲମ୍ବିତ କରିଥିଲେ। ଏହି ଘଟଣାରେ ସରପଞ୍ଚଙ୍କ ସ୍ବାମୀ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/narasinghpur-ps.jpg)