ଟ୍ରକ୍‌ ଆଗରେ ଯୁବକଙ୍କୁ ବାନ୍ଧି ଭିଡିଓ ଭାଇରାଲ ଘଟଣା : ନିଜ ଆଡ଼ୁ ମାମଲା ରୁଜୁ କଲେ ଓଏଚ୍‌ଆରସି, ଜଗତସିଂହପୁର ଏସ୍‌ପିଙ୍କୁ ତଦନ୍ତ ପାଇଁ ନୋଟିସ୍

ଭୁବନେଶ୍ବର/ପାରାଦୀପ: ବନ୍ଦର ନଗରୀ ‘ପାରାଦୀପ’ ଅଞ୍ଚଳରେ କିଛି ଦିନ ପୂର୍ବରୁ ଏକ ଚଳନ୍ତା ଟ୍ରକ୍‌ ଆଗରେ ଜଣେ ଯୁବକଙ୍କୁ ମୋବାଇଲ୍ ଚୋରୀ ଅଭିଯୋଗରେ ବଳପୂର୍ବକ ଝୁଲାଇ ଦେଇ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯିବା ଘଟଣାକୁ ନେଇ ଓଡ଼ିଶା ମାନବାଧିକାର କମିସନ୍‌ (ଓଏଚ୍‌ଆରସି) ହସ୍ତକ୍ଷେପ କରିଛନ୍ତି। ୨୦୨୪ ମେ’ ୨୪ ତାରିଖରେ ଗଣମାଧ୍ୟମରେ  ‘ମୋବାଇଲ ଚୋରି କଲା ବୋଲି ଚଳନ୍ତା ଟ୍ରକ୍‌ରେ ଝୁଲାଇ ଦେଲେ’ ଶୀର୍ଷକରେ ଖବର ପ୍ରକାଶିତ ହେବା ପରେ ଏହି ଘଟଣା ନେଇ ଓଏଚ୍‌ଆରସି ନିଜ ଆଡୁ ମାମଲା ରୁଜୁ କରି କରିଛନ୍ତି। ଓଏଚ୍‌ଆରସି ଜଗତସିଂହପୁର ଏସ୍‌ପିଙ୍କୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମରେ ସେୟାର ହୋଇଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକଙ୍କ ବେକରେ ଜୋତାମାଳ ପିନ୍ଧାଯାଇଛି। ଦୁଇ ହାତକୁ ବାନ୍ଧି ଟ୍ରକ୍‌ର ଇଞ୍ଜିନ ସମ୍ମୁଖରେ ଝୁଲାଇ ଦିଆଯାଇଛି। ଏଭଳି ଅବସ୍ଥାରେ ଟ୍ରକ୍‌ଟି ଏକ ପୋଲ ଉପରେ ଗତି କରିବା ବେଳେ ଭିଡିଓ ସୁଟିଂ କରାଯାଇଛି। ଯେଉଁ ଟ୍ରକ୍‌ରେ ଯୁବକଙ୍କୁ ବନ୍ଧା ଯାଇଛି, ଏହାର ଶେଷ ୪ଟି ନମ୍ବର ହେଉଛି ୦୧୯୨। ଏହି ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତି ଜଣକ କହୁଛନ୍ତି କି ପାରାଦୀପର ଭୂତମୁଣ୍ଡେଇ ବ୍ରିଜ ଉପର ଦେଇ ଟ୍ରକଟି ଯାଉଛି ଏବଂ ଲୋକଟି ମୋବାଇଲ ଚୋରି କରିଥିବାରୁ ତାକୁ ଏପରି ଦଣ୍ଡ ଦିଆଯାଇଛି।

ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ଏକ ମୋବାଇଲ୍‌ ଫୋନ୍‌ ଚୋରିକୁ ନେଇ ଅଭିଯୁକ୍ତ ଯୁବକଙ୍କୁ ଦଣ୍ଡ ଦିଆଯିବା ପାଇଁ ଏଭଳି କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି। ରିପୋର୍ଟ ଅନୁସାରେ ମୋବାଇଲ ଚୋରି ହୋଇଯିବା ପରେ ଟ୍ରକ୍‌ର ଡ୍ରାଇଭରମାନେ ତାଙ୍କୁ ଗୋଡେଇ ଗୋଡେଇ ଧରିଥିଲେ। ଏହା ପରେ ବଳପୂର୍ବକ ଟ୍ରକ୍‌ ସାମ୍ନାରେ ଝୁଲାଇ ଦେଇଥିଲେ। ସେ ଯେତେ କାକୁତିମିନତି କରୁଥିଲେ ମଧ୍ୟ ତାଙ୍କର କଥା କେହି ଶୁଣି ନଥିଲେ। ଅଭିଯୁକ୍ତର ପ୍ରକୃତ ପରିଚୟ ମିଳି ନାହିଁ। ତେବେ ସ୍ଥାନୀୟ ଆଇଆଇସି ସବ୍ୟସାଚୀ ରାଉତଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଏହି ଘଟଣା କେଉଁଠାରେ ଘଟିଛି ତାହା ଜଣାପଡ଼ି ନାହିଁ ଏବଂ  ଏଭଳି ଘଟଣା ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

 

ସମ୍ବନ୍ଧିତ ଖବର