ଆଚାର୍ଯ୍ୟ ହରିହରରେ କର୍କଟ ରୋଗୀଙ୍କୁ ଅଣଦେଖା, ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

ଭୁବନେଶ୍ବର : କରୋନା ସମୟରେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯିବା ପ୍ରସଙ୍ଗକୁ ରାଜ୍ୟ ମାନବାଧିକାର କମିସନ ଗୁରୁତ୍ବର ସହ ନେଇଛନ୍ତି। ଏ ସଂକ୍ରାନ୍ତରେ ‌ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ଏସ୍‌ସିବି ମେଡିକାଲ କଲେଜ, ଡିଏମ୍‌ଇଟି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରିବା ପାଇଁ କମିସନ୍‌ କହିଛନ୍ତି। ଏହାସହ କଟକ ଜିଲ୍ଲାର ଆଇନଜୀବୀ ତଥା ସମାଜସେବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ଅବହେଳା ପ୍ରସଙ୍ଗରେ ସତ୍ୟାସତ୍ୟ ସାମ୍ନାକୁ ଆଣିବା ଲାଗି କମିସନ ନିବେଦନ କରିଛନ୍ତି।

କଟକସ୍ଥିତ ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ଠିକ୍‌ରେ ଚିକିତ୍ସା କରାଯାଉ ନ ଥିବା ନେଇ ରାଜ୍ୟ ମାନବାଧିକାର କମିସନଙ୍କୁ ଏକ ଟେଲିଫୋନ୍ ଆସିଥିଲା। ଏହାସହ ‘ସମ୍ବାଦ’ରେ ଯାଜପୁରର ଜଣେ ମହିଳାଙ୍କୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସା କରା ନ ଯିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଦୁଇ ଘଟଣାକୁ କମିସନ୍‌ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। କର୍କଟ ରୋଗୀମାନେ କରୋନା ରୋଗ ସହ ସିଧାସଳଖ ଜଡ଼ିତ ନୁହନ୍ତି। ଏହା ସେମାନଙ୍କ ଜୀବନ/ମୃତ୍ୟୁ ସହିତ ଜଡ଼ିତ। ତେଣୁ ଏହି ଘଟଣାରେ ସତ୍ୟାସତ୍ୟ ସାମ୍ନାକୁ ଆଣିବା ଲାଗି କଟକ ଜିଲ୍ଲା ଆଇନ ସେବା କର୍ତୃପକ୍ଷଙ୍କ ସଦ୍ୟ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କୁ କମିସନ ଘଟଣାରେ ସାମିଲ କରିବା ସହିତ ଏକ ରିପୋର୍ଟ ପ୍ରଦାନ କରିବା ଲାଗି କହିଛନ୍ତି। ଆଚାର୍ଯ୍ୟ ହରିହର କେନ୍ଦ୍ରର ନିର୍ଦ୍ଦେଶକ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ସହ ସହଯୋଗ କରିବା ଲାଗି କୁହାଯାଇଛି। କୋଭିଡ ବ‌ାଦ୍ ଅନ୍ୟ ରୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ପାଳନ କରାଯାଇଛି କି ନାହିଁ, ତାହାର ରିପୋର୍ଟ ମଧ୍ୟ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଦାନ କରିବେ। ଚିକିତ୍ସା ଲାଗି ଯାଉଥିବା ରୋଗୀମାନେ ଯେଭଳି କୌଣସି ଅବହେଳାର ଶିକାର ନ ହୁଅନ୍ତି, ସେଥିପ୍ରତି ଗୁରୁତ୍ବ ଦେବାକୁ କେନ୍ଦ୍ରର ଉପାଧ୍ୟକ୍ଷଙ୍କୁ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ ତାରିଖ ସୁଦ୍ଧା ଏହି ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର