ଦଳିତ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ : ଉତ୍ତରାଞ୍ଚଳ ଡିଆଇଜିଙ୍କ ନିକଟରୁ ଜବାବ ତଲବ

କଟକ : ବଗରଡ ଜିଲ୍ଲା ଭେଡେନ୍ ଥାନା ଅନ୍ତର୍ଗତ ରୂପାପଲ୍ଲୀ ଗାଁରେ ତିନି ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ବରଗଡ ଏସପି ତଦନ୍ତ ରିପୋର୍ଟ ଦାଖଲ କରୁନଥିବାରୁ ରାଜ୍ୟ ମାନବାଧିକାର କମିସନ ଉଦବେଗ ପ୍ରକାଶ କରିଛନ୍ତି। ପାଞ୍ଚ ମାସ ତଳେ କମିସନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିବା ବେଳେ ଏପରି ଗୁରୁତ୍ବପୂର୍ଣ୍ଣ ପ୍ରସଂ‌ଗରେ ପକ୍ଷ ରଖିବାକୁ ଏସପି ଆଦୌ ଚିନ୍ତିତ ନାହାନ୍ତି। ଏପରି ପରିସ୍ଥିତିରେ ଉତ୍ତରାଞ୍ଚଳ ଡିଆଇଜି ଏହି ପ୍ରସଂଗରେ ଜବାବ ରଖିବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ତୃତୀୟ ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହି ଘଟଣାକୁ ଡିଭିଜନ ବେଞ୍ଚରେ ବିଚାର ପାଇଁ ମଧ୍ୟ କମିସନ ସ୍ଥିର କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ‘ପ୍ରଜାକୋର୍ଟ’ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ଘରୁ ୨୦୧୬, ସେପ୍ଟେମ୍ବର ୨୩ରେ ଭେଡେନ୍ ଥାନାର କିଛି କର୍ମଚାରୀ ପୁଲିସ୍ ଭ୍ୟାନରେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଏହାପରେ ଗାଁର କିଛି ଲୋକଙ୍କ ହାତରେ ଏହି ମହିଳାମାନଙ୍କୁ ସେମାନେ ସମର୍ପଣ କରିଦେଇଥିଲେ। ତିନି ମହିଳାଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ ଏହି ଦୁର୍ବୃତ୍ତମାନେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖସି ଆସିଥିବା ମହିଳାଜଣଙ୍କ ମାନବାଧିକାର କମିସନରେ ଅଭିଯୋଗ କରିଥିଲେ। ମହିଳା ଜଣକ ତାଙ୍କ ବଡ ଭାଇକୁ ଏ ସମ୍ପର୍କରେ ଜଣାଇଥିଲେ। ୨୦୧୭, ମେ ୬ରେ ତାଙ୍କ ଭାଇ ବରଗଡ ଏସପିଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରିଥିଲେ ଓ ଅନ୍ୟ ପୁଲିସ ଉଚ୍ଚ କତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କାର୍ଯାନୁଷ୍ଠାନ ବଦଳରେ ୨୦୧୭, ଜୁଲାଇ ୧୭ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ପୁଲିସ୍ ଓ ଗାଁ ଲୋକଙ୍କ ସଂପୃକ୍ତି ରହିଥିବା ଆବେଦନକାରୀ ଦର୍ଶାଇଛନ୍ତି। କମିସନଙ୍କ ନିର୍ଦ୍ଦେଶ ପରେ ପୁଲିସ୍ ଏକ ରିପୋର୍ଟ ଦେଇଥିଲା। ଏଥିରେ କୁହାଯାଇଥିଲା ଯେ, ୨୦୧୭, ଜୁଲାଇ ୧୯ରେ ଆବେଦନକାରୀଙ୍କ ସ୍ୱାମୀଙ୍କୁ ଗାଁର କିଛି ଲୋକ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥିତ ଭିଏସଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଦିନ ଠାରୁ ସେ ନିଖୋଜ ହୋଇଯାଇଛନ୍ତି। ସେହିପରି କମିସନଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ତଦନ୍ତ କରିବାକୁ ଯାଇଥିବା ସମୟରେ ଆବେଦନକାରୀଙ୍କୁ ଗାଁରେ କିମ୍ବା ତାଙ୍କ ବାପ ଘରେ ପାଇନଥିଲା। ତେଣୁ ତାଙ୍କ ବୟାନ ରେକର୍ଡ କରାଯାଇ ପାରିନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆବେଦନକାରୀଙ୍କ ସ୍ୱାମୀଙ୍କୁ ଖୋଜି ବାହାର କରିବା ଲାଗି କମିସନ ଉତ୍ତରାଞ୍ଚଳ ଡିଆଇଜି ଓ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପରିବାର ପକ୍ଷରୁ ରେଜେଷ୍ଟ୍ରି ଡାକ ଯୋଗେ ଦିଆଯାଇଥିବା ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ତଦନ୍ତ କରି ଜଣାଇବା ଲାଗି କମିସନ ବରଗଡ ଏସପିଙ୍କୁ ୨୦୧୯, ମାର୍ଚ୍ଚ ୧୫ରେ ନିର୍ଦ୍ଦେଶ ଦେଇଥିଲେ। ଏହାର ୫ ମାସ ପରେ ମଧ୍ୟ ପୁଲିସ୍ ଚୁପ୍ ବସିଛି। ପୁଲିସର ଏଭଳି ଆଭିମୁଖ୍ୟ ଉପରେ କମିସନ ଅସନ୍ତୋଷବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର