ଭିସୁଟ୍‌ କୁଳସଚିବ, ହୋମିଓପାଥି କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ରାଗିଂ ନିରାକରଣ ପଦକ୍ଷେପ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କୁ ବି ନୋଟିସ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ‌ରେ ରାଗିଂ ଅଭିଯୋଗକୁ ଗୁରୁତର ସହିତ ନେଇଛନ୍ତି ଓଡ଼ିଶା ମାନବ ଅଧିକାର ଆୟୋଗ(ଓଏଚ୍‌ଆର୍‌ସି)। ଆଗରୁ ଭିମ୍‌ସାର କୁଳସଚିବଙ୍କୁ ରିପୋର୍ଟ ମାଗିଥିବା ବେଳେ ଗତକାଲି ପୁଣି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌) ଏବଂ ଦେବେଇପାଲିସ୍ଥିତ ହୋମିଓପାଥି କଲେଜର ଅଧ୍ୟକ୍ଷଙ୍କୁ ରାଗିଂ ସଂକ୍ରାନ୍ତରେ ରିପୋର୍ଟ ମାଗିଛନ୍ତି। କେବଳ ସେତିକି ନୁହେଁ, ରିପୋର୍ଟରେ ରାଗିଂରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେନେଇ ମଧ୍ୟ ଉଲ୍ଲେଖ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୭ ତାରିଖ ଶନିବାର ରାତିରେ ଚତୁର୍ଥ ବର୍ଷର କିଛି ଛାତ୍ର ନିଜେ ରହୁଥିବା ଛାତ୍ରାବାସର କନିଷ୍ଠ ଛାତ୍ର ରହୁଥିବା କୋଠରିରେ ପ୍ରବେଶ କରିଥିଲେ। କନିଷ୍ଠ ଛାତ୍ରମାନଙ୍କୁ ଗୋଟିଏ ଜାଗାରେ ଧାଡ଼ିରେ ଆଣ୍ଠେଇ ମୁହଁ ପୋତି ବସିବାକୁ କହିଥିଲେ। ଏହାପରେ ୨ ଘଣ୍ଟା ଧରି ସେମାନଙ୍କୁ ବିଭିନ୍ନ ଅବାନ୍ତର ପ୍ରଶ୍ନ ପଚାରିବା ସହିତ ନିର୍ଯାତନା ଦେଇଥିଲେ। ଏପରିକି ଜଣେ ଛାତ୍ରଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଥିଲା। ସେହିପରି ଗତ ୧ ଏପ୍ରିଲ ଦିନ ହୋମିଓପାଥି କଲେଜର ଛାତ୍ରୀନିବାସରେ ରହୁଥିବା ୪ ଜଣ ଛାତ୍ରୀ ରାଗିଂ ଶିକାର ହୋଇଥିବା ନେଇ ନେସ୍‌ନାଲ ଆଣ୍ଟି ରାଗିଂ ସେଲ୍‌,ଦିଲ୍ଲୀକୁ ଫୋନ୍ କରି ଅଭିଯୋଗ ଆଣିଥିଲେ। ୫ ଜଣ ଛାତ୍ରୀ ଏବଂ ଜଣେ ଛାତ୍ରଙ୍କ ବିରୋଧରେ ସେମାନେ ଅଭିଯୋଗ ଆଣିଥିଲେ। ଏହା ପୂର୍ବରୁ କିନ୍ତୁ, ୩୧ ମାର୍ଚ୍ଚରେ ଛାତ୍ରୀନିବାସରେ ରହୁଥିବା ଅନ୍ୟ ଛାତ୍ରୀମାନେ ମିଳିତ ଭାବ‌େ ସଂପୃକ୍ତ ଛାତ୍ରୀମାନଙ୍କ ନାମରେ ଆଗୁଆ ଅଭିଯୋଗ ଆଣିଥିବା କୁହାଯାଇଛି। ତେବେ, ଉଭୟ ଶିକ୍ଷାନୁଷ୍ଠାନରେ ହୋଇଥିବା ରାଗିଂ ଅଭିଯୋଗ ସଂକ୍ରାନ୍ତରେ ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ବର ପରିଡ଼ା ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ‌ ହୋଇଥିଲେ।

ମାମଲାକୁ ଗମ୍ଭୀରତାର ସହିତ ନେଇ ଓଡ଼ିଶା ମାନବ ଅଧିକାର ଆୟୋଗ ଶ୍ରୀ ପରିଡ଼ାଙ୍କ ଆବେଦନକୁ ବିଚାରକୁ ନେଇଥିଲେ। ଗତ ୬ ଏପ୍ରିଲରେ ଏହା ଉପରେ ଶୁଣାଣି କରି ଭିସୁଟ୍‌ର କୁଳସଚିବ ଓ ହୋମିଓପାଥି କଲେଜର ଅଧ୍ୟକ୍ଷଙ୍କୁ ରିପ‌ୋର୍ଟ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୬ ଏପ୍ରିଲରେ ରଖାଯାଇଛି। ଶ୍ରୀ ପରିଡ଼ା ଆଗରୁ ଭିମ୍‌ସାରରେ ରାଗିଂ ମାମଲାରେ ବି ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ବି ଭିମ୍‌ସାର କୁଳସଚିବଙ୍କୁ ରିପୋର୍ଟ ମଗାଯାଇଛି। କେବଳ ସେତିକି ନୁହେଁ, ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ନୋଟିସ୍ କରାଯାଇଛି। ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ନିରାକରଣ ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ସରକାରୀ ପଦକ୍ଷେପ ସଂକ୍ରାନ୍ତରେ ମତ ରଖିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର