ମାନବାଅଧିକାର କମିସନ୍‌ଙ୍କ ରିପୋର୍ଟ ତଲବ : କୋଟିଆ ପାଇଁ କ’ଣ କରିଛ ଜଣାଅ

କଟକ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ କଣ ସବୁ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ମାନବାଧିକାର କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ଭିତରେ କୋଟିଆ ପଞ୍ଚାୟତରେ ଗ୍ରହଣ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟ ପ୍ରସଂଗରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ଦକ୍ଷିଣାଞ୍ଚଳ ଆର୍‌ଡିସି ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ମାନବାଧିକାର କର୍ମୀ ଅଖଣ୍ଡଙ୍କ ପକ୍ଷରୁ ଆଗତ ଏ ସଂପର୍କିତ ଅଭିଯୋଗର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

କମିସନଙ୍କ ନିକଟରେ ଦାଖଲ ଅଭିଯୋଗରେ ଶ୍ରୀ ଅଖଣ୍ଡ ଦର୍ଶାଇଛନ୍ତି ଯେ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ଟି ଗାଁରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ ହୋଇ ନାହିଁ। ବର୍ଷ ବର୍ଷ ଧରି ଏହି ଗାଁ ଗୁଡିକୁ ସରକାରୀ ଅଧିକାରୀଙ୍କ ପାଦ ପଡି ନାହିଁ। ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତୀ କୋଟିଆ ହୋଇଥିବା ବେଳେ ଆନ୍ଧ୍ର ସରକାର ଏହି ଅଞ୍ଚଳର ଲୋକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରୁଛନ୍ତି। ଆନ୍ଧ୍ର ସରକାରଙ୍କ ଅଧିକାରୀ ଏହି ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ବିଭିନ୍ନ ସାମଗ୍ରୀ ବାଣ୍ଟୁଛନ୍ତି। ସେହିପରି ନାରାୟଣପାଟଣା ବ୍ଲକର ଗେଡାଲୱାଲସା ଗାଁରେ ୨୦ଟି ପରିବାର ରହିଛନ୍ତି। ସେଠାରେ ଓଡିଶା ସରକାରଙ୍କୁ ଲୋକେ ଜାଣନ୍ତି ନାହିଁ। ଏହି ଅଞ୍ଚଳବାସୀଙ୍କୁ ଆନ୍ଧ୍ର ପକ୍ଷରୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏକ ଜନ ମଙ୍ଗଳକାରୀ ରାଷ୍ଟ୍ରରେ ନାଗରିକଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ସ୍ଥାନୀୟ ସରକାରଙ୍କ କାମ। କିନ୍ତୁ କୋରାପୁଟ ଜିଲ୍ଲାର ଏମିତି ଅନେକ ସୀମାବର୍ତ୍ତୀ ଗାଁରେ ବିକାଶ ଅପହଞ୍ଚ ହୋଇ ରହିଛି। ଏହି ସବୁ ଅଞ୍ଚଳବାସୀ ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ସୁବିଧା ପାଇ ପାରୁ ନାହାନ୍ତି। ଏପରି ଘଟଣା ସଂପୃକ୍ତ ଅଞ୍ଚଳବାସୀଙ୍କ ମାନବାଧିକାର ଉଲ୍ଲଘଂନ ହୋଇଥିବା ବେଳେ ଏହି ପ୍ରସଂଗରେ କମିସନଙ୍କ ହସ୍ତକ୍ଷେପ ଲୋଡା ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର