୨ ନିର୍ଦୋଷଙ୍କୁ ଗିରଫ ମାମଲା : ଓଏଚ୍‌ଆର୍‌ସିରେ ଉତ୍ତର ରଖିଲେନି ପୁଲିସ ଅଧିକାରୀ, ଅକ୍ଟୋବର ୩୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଜଣେ ନାବାଳକକୁ ମୃତ ଦର୍ଶାଇବା ସହ ହତ୍ୟା ଅଭିଯୋଗରେ ଦୁଇଜଣ ନିର୍ଦ୍ଦୋଷଙ୍କୁ ଗିରଫ କରିବା ମାମଲାରେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନାର ତତ୍‌କାଳୀନ ଇନ୍‌ସ୍‌ପେକ୍ଟର ଓ ଡିଏସ୍‌ପିଙ୍କ ପାଇଁ ଅଡ଼ୁଆ ବଢ଼ିଛି। ସମ୍ପୃକ୍ତ ଦୁଇ ଅଧିକାରୀ ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକୁ ବେଖାତିର କରି ଧାର୍ଯ୍ୟ ସମୟରେ ରିପୋର୍ଟ ଦାଖଲ କରିନାହାନ୍ତି କିମ୍ବା ଅଧିକ ସମୟ ମଧ୍ୟ ମାଗି ନାହାନ୍ତି। ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୩୦ ତାରିଖରେ ରହିଛି। ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ କରିବା ପାଇଁ ଉଭୟ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ଅଧିକାରୀ ଦ୍ବୟ ହେଉଛନ୍ତି ଇନ୍‌ସ୍‌ପେକ୍ଟର ପି.କେ କରଣ ଓ ଡିଏସ୍‌ପି ଏଲ୍‌. ଏନ୍‌ ମହାନ୍ତି। ‘ଦୋଷୀ ପଛେ ଖସି ଯାଆନ୍ତୁ, ହେଲେ ଜଣେ ହେଲେ ନିର୍ଦ୍ଦୋଷ ଦଣ୍ଡ ନ ପାଉ’ ନ୍ୟାୟରେ ବରଗଡ଼ ପୁଲିସ ପାଇଁ ଏହି ମାମଲା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି।

ସୂଚନା ମୁତାବକ, ବରଗଡ଼ ଜିଲ୍ଲା ପାଇକମାଳ ପିପାଲିପାଳି ଗ୍ରାମର ମନୋରଞ୍ଜନ ଦଣ୍ଡସେନାଙ୍କ ନାବାଳକ ପୁଅ ନିଖୋଜ ହୋଇଯାଇଥିଲା। ଏ ନେଇ ପଦ୍ମପୁର ଥାନାରେ ୨୦୧୬ ଡିସେମ୍ବର ୭ ତାରିଖରେ ସେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପାଇକମାଳ ପୁଲିସ ଅନୁସନ୍ଧାନ କଲାବେଳେ ନାବାଳକର ମୋବାଇଲ ଫୋନ ଉଦ୍ଧାର କରି ଅନେକ ତଥ୍ୟ ପାଇଥିଲା। ଏହି ତଥ୍ୟକୁ ଆଧାର କରି ପୁଲିସ ହାଲୁ ଗୁର୍ଲା ଓ ରାଘବ ନାୟକଙ୍କୁ ଗିରଫ କରି ପଦ୍ମପୁର କୋର୍ଟକୁ ଚାଲାଣ କରିଥିଲା। ଉଭୟଙ୍କୁ ପଚରାଉଚରା ସହ ବୟାନ ରେକର୍ଡ କରି ୨୦୧୭ ଅକ୍ଟୋବର ୨୨ ତାରିଖରେ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ଦେଢ଼ବର୍ଷ ପରେ ଘଟଣା ନୂଆ ମୋଡ଼ ନେଇଥିଲା। ୨୦୧୮ ମେ’ ଆଠ ତାରିଖରେ ମନୋରଞ୍ଜନଙ୍କ ନିଖୋଜ ନାବାଳକ ପୁଅ କୋଲକାତାରୁ ଫେରିଥିଲା। ଗଣମାଧ୍ୟମରେ ଏହାର ଚର୍ଚ୍ଚା ହେବା ପରେ ପୁଲିସର ମୁଣ୍ଡବ୍ୟଥା ହୋଇଥିଲା। ଇତିମଧ୍ୟରେ ମାନବାଧିକାର କର୍ମୀ ବିଜୟ କୁମାର ପଣ୍ଡା, ଚନ୍ଦ୍ର ନାଥ ଦାନି ଓ ବିଶ୍ବପ୍ରିୟ କାନୁନ୍‌ଗୋ ଓଏଚଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମିସନ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ସହ ରିପୋର୍ଟ ତଲବ କରିଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି କମିସନଙ୍କ ନିକଟରେ ୨୦୧୮ ଅକ୍ଟୋବର ୩୦ ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲା। ରିପୋର୍ଟ ଓ ଅଭିଯୋଗକାରୀଙ୍କ ଜବାବ ଅନୁଧ୍ୟାନ କରି କମିସନର ତତ୍କାଳୀନ ସଦସ୍ୟ ବିଚାରପତି ରଘୁବୀର ଦାଶ ପୁଲିସ ଇନ୍ସପେକ୍ଟର ଶ୍ରୀ କରଣ ଓ ଡିଏସ୍‌ପି ଶ୍ରୀ ମହାନ୍ତିଙ୍କୁ ରିପୋର୍ଟ ତଲବ କରିଥିଲେ। ପରବର୍ତ୍ତୀ ଶୁଣାଣି ୨୦୧୯ ସେପ୍ଟେମ୍ବର ୨୬କୁ ଧାର୍ଯ୍ୟ ହୋଇଥିଲା। ଦୁଇଦିନ ତଳେ ଏହାର ଶୁଣାଣି ପାଇଁ ମାମଲାର ବିବରଣୀ କୋର୍ଟରେ ଉପସ୍ଥାପନ ହୋଇଥିଲା। କିନ୍ତୁ ଉଭୟ ଅଧିକାରୀଙ୍କ ଉତ୍ତର ପହଞ୍ଚିନଥିବା ଜଣାପଡ଼ିଥିଲା। ତେବେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପୂର୍ବରୁ ଉଭୟଙ୍କୁ ଆଉଥରେ ସୁଯୋଗ ଦିଆଯାଇଛି। କମିସନ ସଦସ୍ୟ ଅସୀମ ଅମିତାଭ ଦାସ ଅକ୍ଟୋବର ୩୦ ତାରିଖକୁ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର