ଶିଶୁକନ୍ୟା ଆଖି ହରାଇବା ଘଟଣା : ରିପୋର୍ଟ ମାଗିଲେ ମାନବାଧିକାର କମିସନ

ଭୁବନେଶ୍ୱର/ନୟାଗଡ଼/ଦଶପଲ୍ଲା : ହସ୍ପିଟାଲରେ ମାଗଣା ମିଳୁଥିବା ନିରାମୟ ଔଷଧ ବ୍ୟବହାର କରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ନଛିପୁର ଗ୍ରାମର ଚନ୍ଦ୍ରକାନ୍ତ ଗୋଚ୍ଛାୟତଙ୍କ ଝିଅ ରିଙ୍କି (୬) ଆଖି ହରାଇବା ଘଟଣାରେ ରାଜ୍ୟ ମାନବାଧିକାର କମିସନ ହସ୍ତକ୍ଷେପ କରିଛନ୍ତି। ଆଜି ସାମାଜିକ କର୍ମୀ ରାଘବ ମଲ୍ଲିକଙ୍କ ଆବେଦନକୁ ବିଚାର କରି କମିସନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ଡାକ୍ତର ପ୍ରେସ୍କ୍ରାଇବ୍ କରିଥିବା ଔଷଧକୁ ନିରାମୟ କେନ୍ଦ୍ର ନିଜ ଇଚ୍ଛା ମୁତାବକ ପରିବର୍ତ୍ତନ କଲା ଏବଂ କିଭଳି ଔଷଧ ଦେଖିବା ପରେ କାନ ଔଷଧକୁ ଆଖିରେ ପକାଇବା ପାଇଁ ଡାକ୍ତର ପରାମର୍ଶ ଦେଲେ, ନଭେମ୍ବର ୧୪ ତାରିଖ ସୁଦ୍ଧା ଏହାର କାରଣ ଦର୍ଶାଇବା ପାଇଁ ରାଜ୍ୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି କେଉଁ ପରିସ୍ଥିତିରେ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସା କେନ୍ଦ୍ର ରୋଗୀର ଆଖି ଅପରେସନ୍ କରି ବାହାର କଲା? ରୋଗୀର ଚିକିତ୍ସା ବାବଦରେ ସମସ୍ତ କାଗଜପତ୍ର ନଭେମ୍ବର ୧୯ ତାରିଖ ମଧ୍ୟରେ ଦାଖଲ କରିବା ପାଇଁ ଚିକିତ୍ସାଳୟର ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି ହୋଇଛି। ଆଖି ନଷ୍ଟ ହେବା ନେଇ ନିଜର ମତାମତ ଉପସ୍ଥାପନ କରିବା ପାଇଁ ଅନୁଷ୍ଠାନକୁ ଆଦେଶ ହୋଇଛି। ସେହିଭଳି, ଏସ୍‌ସିବି ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ ସୁପରିନଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ନୋଟିସ୍ ଜାରି ହୋଇଛି। ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ର ରିପୋର୍ଟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରିପୋର୍ଟ, ଔଷଧର ଫଟୋକୁ ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ଏଥିପାଇଁ ବିଶେଷଜ୍ଞଙ୍କୁ ନେଇ ୩ ଦିନ ମଧ୍ୟରେ ଏକ ଟିମ୍ ଗଠନ କରି ସମସ୍ତ ରିପୋର୍ଟ ଯାଞ୍ଚ କରିବାକୁ କୁହାଯାଇଛି। ଏହି ଟିମ୍‌ର ରିପୋର୍ଟ ୭ ଦିନ ମଧ୍ୟରେ କମିସନଙ୍କ ପାଖରେ ପହଞ୍ଚିବା ପାଇଁ ଆଦେଶ ହୋଇଛି। ଏହି ଔଷଧ ଆଖି ପାଇଁ କ୍ଷତିକାରକ କି ନୁହେଁ ତାହା ମଧ୍ୟ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯ ତାରିଖରେ ହେବାକୁ ସ୍ଥିର କରାଯାଇଛି। ଅଧ୍ୟକ୍ଷ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ତପୀଠ ଏହି ଆଦେଶ ଦେଇଛି।

ଅନ୍ୟ ପଟେ ଏହି ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କେନ୍ଦ୍ରପଡ଼ାର ସାଗର କୁମାର ଜେନା ମଧ୍ୟ ଗତ ୨୬ ତାରିଖରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସମ୍ପୃକ୍ତ ଡାକ୍ତର ଓ ନିରାମୟ କର୍ମଚାରୀଙ୍କୁ ନିଲମ୍ବନ କରିବା ପାଇଁ ଆବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟମ୍ବେର ୨୮ ତାରିଖ ରାତିରେ ରିଙ୍କି ହେଡ୍-କ୍ଲିପ୍ ଲଗାଉଥିବା ବେଳେ, ତା’ର ବାମ ଆଖିରେ ବାଜି ଯାଇଥିଲା। ୨୯ ତାରିଖ ଦିନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଇବା ପରେ ଆଉଟ୍‌ଡୋର୍‌ରେ ଡାକ୍ତର ତାଙ୍କୁ ‘ସାଇପ୍ରୋଫ୍ଲୋକ୍ସାସିନ ଡ୍ରପ୍’ ନେବା ପାଇଁ ପ୍ରେସକ୍ରାଇବ୍ କରିଥିଲେ। କିନ୍ତୁ ଏହା ଅସ୍ପଷ୍ଟ ଭାବରେ ଲେଖାଯାଇଥିଲା। ପିତା ଚନ୍ଦ୍ରକାନ୍ତ ନିରାମୟ କେନ୍ଦ୍ରକୁ ଯାଇ ଏହି ଔଷଧ ଆଣିଥିଲେ। ସେଠାରେ ତାଙ୍କୁ ନିରାୟମ କର୍ମଚାରୀ ସାଇରନ୍ ଡ୍ରଗ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ ପ୍ରା.ଲି.ର ‘କ୍ଲୋଟ୍ରିମାଜୋଲ୍‌ ଆଣ୍ଡ୍‌ ଲିଗ୍ନୋକାଇନ୍ ଇୟର୍ ଡ୍ରପ୍’ ଦେଇଥିଲେ। ଚନ୍ଦ୍ରକାନ୍ତ ଏହି ଡ୍ରପ୍‌କୁ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ମଧ୍ୟ ଡ୍ରପ୍‌କୁ ଦେଖି ଆଖିରେ ତିନି ଥର ଲେଖାଏଁ ପକାଇବାକୁ ପରାମର୍ଶ ଦେଇଥିଲେ। ଏହା ପରେ ରିଙ୍କିଙ୍କର ଆଖି ଖରାପ ହୋଇଯାଇଥିଲା। ଏଲ୍‌ଭି ପ୍ରସାଦରେ ଦେଖାଇବା ପରେ କାନ ଔଷଧକୁ ଆଖିରେ ପକାଇଥିବାରୁ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ସେଥିପାଇଁ ଅପରେସନ୍ ଜରିଆରେ ରିଙ୍କିଙ୍କର ଆଖିଟିକୁ କାଢ଼ି ଦିଆଯାଇଥିଲା।

ତେବେ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ବର୍ତ୍ତମାନ ସଫେଇ ଦେଉଛନ୍ତି ଯେ, ଏହି କାନ ଡ୍ରପ୍ ମେ’ ମାସ ପରଠାରୁ ନିରାମୟରେ ଉପଲବ୍ଧ ନାହିଁ। ଏହି କାନ ଡ୍ରପ୍ ସେ ଅନ୍ୟ ଜାଗାରୁ ନେଇଥାଇପାରନ୍ତି। କିନ୍ତୁ କୌତୂହଳର ବିଷୟ ହେଉଛି, ଏହି ଇୟର୍ ଡ୍ରପ୍ ଉପରେ ‘ଓଡ଼ିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହେଁ’ ବୋଲି ସ୍ପଷ୍ଟ ଲେଖାଯାଇଛି। ଏ ସବୁକୁ ଏଡ଼ାଇ ଦେଇ ‘ଯାହା ହେଲା ହେଲା; ବର୍ତ୍ତମାନ ଶିଶୁ କନ୍ୟାଟିକୁ ଥଇଥାନ ନିମନ୍ତେ ଚେଷ୍ଟା ଚାଲିଛି’ ବୋଲି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଉଛନ୍ତି ସିଡିଏମ୍ଓ ଡା. ଶ୍ବେତ ମହାପାତ୍ର।

ଏହି ଘଟଣା ତଦନ୍ତ ଆରମ୍ଭ ହେଲାଣି କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ମହାପାତ୍ର କହିଛନ୍ତି, ତଦନ୍ତ ଆରମ୍ଭ ହେବ। ଘଟଣା ଯେତିକି ସମ୍ବେଦନଶୀଳ, କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ତାହାଠୁ ଅଧିକ ବିସ୍ମୟକର। ଯଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଉପରୋକ୍ତ କାନ ଡ୍ରପ୍ ମେ ମାସରୁ ସରିଯାଇଥିବା କଥା କହୁଛନ୍ତି, ତେବେ ଚନ୍ଦ୍ରକାନ୍ତଙ୍କୁ କି ଔଷଧ ଦିଆଯାଇଛି ତାହା ଜାଣିବା ପାଇଁ ନିରାମୟ କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜ୍ କାହିଁକି ଯାଞ୍ଚ କରାଯାଉ ନାହିଁ ପ୍ରଶ୍ନରେ ସିଡିଏମ୍ଓ କୌଣସି ଉତ୍ତର ଦେଇନାହାନ୍ତି।

ସମ୍ବନ୍ଧିତ ଖବର