ଶିଳ୍ପସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରସଙ୍ଗ : ସମ୍ବଲପୁର ଜିଲ୍ଲାପାଳ ଓ ପ୍ରଦୂଷଣ ଅଧିକାରୀଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର : ସମ୍ବଲପୁର ଅଞ୍ଚଳର କେତେକ ଶିଳ୍ପ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ରାଜ୍ୟ ସରକାର ଏଭଳି ଶଳ୍ପସଂସ୍ଥାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନି‌ର୍ଦେଶ ଦେଇଥିଲେ ମଧ୍ୟ ବୋର୍ଡର ସମ୍ବଲପୁର ଶାଖା ଏହାକୁ ଚାପି ରଖିଛି। ଏହାର ପ୍ରତିବାଦ କରି ସ୍ଥାନୀୟ ଅଞ୍ଚଳର କେତେକ ବାସିନ୍ଦା ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଫେରାଦ ହୋଇଥିଲେ। କମିସନ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ତଥ୍ୟ ରଖିବା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କମିସନ୍‌ ସମ୍ବଲପୁର ଜିଲ୍ଲାପାଳଙ୍କୁ ମଧ୍ୟ ରିପୋର୍ଟ ତଲବ କରିଛନ୍ତି। ପ୍ରକାଶ ଥାଉକି, ଏହି ବେଆଇନ ଶିଳ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳର ପିଇବା ପାଣି ପ୍ରଦୂଷିତ ହେଉଛି। ମଣିଷଙ୍କଠାରୁ ଆରମ୍ଭ ଜୀବଜନ୍ତୁ ବିପଦ‌‌ରେ ପଡ଼ୁଛନ୍ତି। ଅନେକେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଉଛନ୍ତି। ଏ ସଂପର୍କ‌ରେ କେତେକ ଗ୍ରାମବାସୀ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ ବୋଲି ସେମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନୀଜୀବୀ ରାଜେନ୍ଦ୍ର ମିଶ୍ର ଓ ସିଦ୍ଧାର୍ଥ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର