ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ : ସରକାରଙ୍କୁ ରିପୋର୍ଟ ତଲବ କଲେ ଓଏଚ୍‌ଆର୍‌ସି

ଭୁବନେଶ୍ବର : ରାଜ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ପ୍ରତିଦିନ ଓଡ଼ିଶାରେ ସାପ କାମୁଡ଼ା‌ରେ ୨ଜଣଙ୍କ ମୃତ୍ୟୁ ହେଉଛି। ଏଥିମଧ୍ୟରୁ ଅଧିକାଂଶ ଇଞ୍ଜେକ୍ସନ ଅଭାବ ଓ ଝଡ଼ାଫୁଙ୍କାରେ ବିଶ୍ବାସ କରି ଜୀବନ ହରାଉଛନ୍ତି। ଏ ସଂପର୍କିତ ଏକ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ମାନବାଧିକାର କର୍ମୀ ରୋହନ ମହାନ୍ତି ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଆବେଦନକୁ ବିଚାର କରି ଆଜି କମିସନ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ ସବିଶେଷ ବିବରଣୀ କମିସନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଆସନ୍ତା ଡିସେମ୍ବର ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

କେତୋଟି ନିର୍ଦ୍ଦିଷ୍ଟ ବିନ୍ଦୁରେ କମିସନ ଏହି ସାପ କାମୁଡ଼ାକୁ ନେଇ ସରକାରଙ୍କ ଠାରୁ ଉତ୍ତର ଚାହିଁଛନ୍ତି। ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି? ଇଞ୍ଜେକ୍ସନ ଅଭାବରୁ ବା ଚିକିତ୍ସା ଅବହେଳାରୁ ହୋଇଥିବା ମୃତ୍ୟୁ ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ସାପ କାମୁଡ଼ିଲେ ଝଡ଼ାଫୁଙ୍କାରେ ଲୋକ ବିଶ୍ବାସ କରୁ ଥିବାରୁ ଅଧିକାଂଶ ଜୀବନ ଯାଉଥିବା ଅଭିଯୋଗ ଉପରେ ସରକାରଙ୍କ ପାଖରେ କ’ଣ ଉତ୍ତର ରହିଛି? ଝଡ଼ାଫୁଙ୍କାରେ ବିଶ୍ବାସ ନ କରିବା ପାଇଁ ସରକାର କି ପ୍ରକାର ସଚେତନ କରାଇଛନ୍ତି? ଆଗକୁ ଏହି ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାରଙ୍କର କ’ଣ ଯୋଜନା ରହିଛି? ଏ ସବୁ ଉତ୍ତର ସହ ଏକ ସବି‌ଶେଷ ବିବରଣୀ ଉପସ୍ଥାପନ କରିବା ପାଇଁ ସରକାରଙ୍କର ସ୍ବାସ୍ଥ୍ୟ ସଚିବଙ୍କ ସମେତ ମୁଖ୍ୟ ଶାସନ ସଚିବଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସରକାରୀ ହିସାବ ମୁତାବକ, ସାପ କାମୁଡ଼ା‌ଜନିତ ମୃତ୍ୟୁ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ତାଲିକାର ଶୀର୍ଷରେ ରହିଥିବା ବେଳେ ପୁରୀ ଶେଷରେ ରହିଛି। ସର୍ବେକ୍ଷଣ ମୁତାବକ, ୬୦ ପ୍ରତିଶତ ଘଟଣାରେ ଇଞ୍ଜେକ୍ସନ(ଆଣ୍ଟି ଭେନମ୍‌ ସେରମ୍‌) ଉପଲବ୍ଧ ନଥିବା କାରଣରୁ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ୭୫ ପ୍ରତିଶତ ମୃତ୍ୟୁ ଝଡ଼ାଫୁଙ୍କାକୁ ଭରସା କରି ହୋଇଛି। ଏହାକୁ ଅଧାର କରି ମାନବାଧିକାର କର୍ମୀ ଶ୍ରୀ ମହାନ୍ତି କମିସନଙ୍କୁ ଅଭିଯୋଗ କରିବା ସହ ପ୍ରତି ମେଡିକାଲରେ, ବିଶେଷ କରି ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ବେଶି ଥିବା ଅଞ୍ଚଳରେ ସରକାର ମାଗଣାରେ ଯଥେଷ୍ଟ ପରିମାଣର ଔଷଧ ଉପଲବ୍‌ଧ କରାଇବା ସହ ପ୍ରଶିକ୍ଷଣ ପ୍ରାପ୍ତ ଡାକ୍ତର ନିଯୁକ୍ତି ଓ ସ୍ବତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ପ୍ରାର୍ଥନା କରିଥିଲେ। ଏହା ସହ ଏହାକୁ ଏକ ବିଷୟ ଭାବେ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ରଖିବା ପାଇଁ ମଧ୍ୟ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର