କେନ୍ଦ୍ରାପଡ଼ା ନରହରି ହତ୍ୟା ମାମଲା‌ରେ ଓଏଚ୍‌ଆର୍‌ସିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ମୃତକଙ୍କ ପରିବାରକୁ ପେନ୍‌ସନ୍‌ ଓ ଥଇଥାନ ନିର୍ଦ୍ଦେଶ

ଭୁବନେଶ୍ବର : ୨୦୧୪ ମସିହା କେନ୍ଦ୍ରାପଡ଼ା ଜିଲ୍ଲା ନରହରି ସେଠୀ ହତ୍ୟା ମାମଲାରେ ଓଡ଼ିଶା ମାନବାଧିକାର କମିସନ୍‌ (ଓଏଚ୍‌ଆର୍‌ସି) ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ମୃତକଙ୍କ ପତ୍ନୀଙ୍କୁ ମାସିକ ୩ ହଜାର ଟଙ୍କା ପେନସନ୍‌ (୧ଜାନୁଆରି ୨୦୧୫ରୁ ପିଛିଲା ଭାବେ), ପିଲାଙ୍କ ଶିକ୍ଷାଦାନ ସମେତ ନିର୍ଯାତିତ ପରିବାରକୁ ଥଇଥାନ ଓ ୩ ମାସର ରାସନ୍‌ ସାମଗ୍ରୀ ଆସନ୍ତା ୪ ମାସ ମଧ୍ୟରେ ଦେବାକୁ କମିସନ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମହାକାଳପଡ଼ା ଥାନା ଆଖଡ଼ାଶାଳ ଗ୍ରାମରେ ନରହରିଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ବାରମ୍ବାର ଆକ୍ରମଣ କରିଥିଲେ। ୨୦୧୧ ମସିହାରେ ତାଙ୍କ ଘର ପୋଡ଼ିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ। ୨୦୧୩ ମସିହାରେ ଆକ୍ରମଣକାରୀମାନେ ନରହରିଙ୍କ ପତ୍ନୀ ନିର୍ମଳା ସେଠୀଙ୍କ ଗୋଡ଼କୁ ହାଣି ଦେଇଥିଲେ। ଏଥିରେ ସେ ସବୁଦିନ ପାଇଁ ନିଜ ଗୋଡ଼ ହରାଇ ବସି ଦିବ୍ୟାଙ୍ଗ ହୋଇଯାଇଥିଲେ। ପୁଣି ୨୦୧୪ ମସିହାରେ ସଂଘବଦ୍ଧ ଆକ୍ରମଣ କରି ସେମାନେ ନରହରିଙ୍କୁ ହତ୍ୟା କରିଥିଲେ। ଏଭଳି ବାରମ୍ବାର ଅତ୍ୟାଚାର ଓ ହତ୍ୟା ପରେ ମଧ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଓ ଥଇଥାନ ବ୍ୟବସ୍ଥା କରାଯାଇନଥିଲା। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ସଭାପତି ସଂଗ୍ରାମ କେଶରୀ ମଲିକ ୨୦୧୯ ମସିହାରେ ଓଏଚ୍‌ଆରସିଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର