ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ଆଇଏଏସ୍‌ ବିନୋଦ କୁମାର ଜେଲ୍‌ ଗଲେ; ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା, ୧୨ରେ ପରବର୍ତ୍ତୀ ଶୁଣାଣି

କଟକ: ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ କର୍ତ୍ତୃପକ୍ଷ (ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଓଆରଏଚ୍‌ଡିସି ପୂର୍ବତନ ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଶୁକ୍ରବାର ଜାମିନ ଆବେଦନ କରି ହାଇକୋର୍ଟରେ ନିରାଶ ହେବାକୁ ପଡ଼ିଛି। ତିନି ବର୍ଷ ଜେଲ ଦଣ୍ଡ ମିଳିବା ପରେ ଜାମିନ ପାଇଁ ଆବେଦନ କରିଥିବା ବିନୋଦ କୁମାରଙ୍କ ଆବେଦନର ଶୁଣାଣିକୁ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ ୧୨ରେ ହାଇକୋର୍ଟରେ ବିନୋଦ କୁମାରଙ୍କ ଜାମିନ ଆବେଦନର ଶୁଣାଣି ହେବ। ଫଳରେ ୧୨ ପର୍ଯ୍ୟନ୍ତ ବିନୋଦ କୁମାର ଜେଲରେ ରହିବେ ବୋଲି ଜଣାପଡ଼ିଛି।

‘ଓଆରଏଚଡିସି’ର ୫୫ ଲକ୍ଷ ଟଙ୍କାର ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ବିନୋଦ କୁମାର ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲଦଣ୍ଡ ହୋଇଛି। କାରଣ ପୂର୍ବରୁ ବିନୋଦଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ଵାନା(ଏନ୍‌ବିଡବ୍ଲୁ) ଜାରି କରିଥିଲେ। ତାଙ୍କ ନାଁରେ ୨ଟି ମାମଲା ରହିଛି।

ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଦୋଦ କୁମାର, ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଞ୍ଜନ ମଲ୍ଲିକଙ୍କ ନାଁରେ ଏନବିଡବ୍ଲୁ ଜାରି କରିଥିଲେ। ହାଇକୋର୍ଟ ୨ଟି ପର୍ଯ୍ୟାୟରେ ଅଗଷ୍ଟ ୧୦ରେ ବିନୋଦ କୁମାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡ ମିଳିଛି।

ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ଦୁଇ ଦିନ ତଳେ ଅଗଷ୍ଟ ୮ରେ ପ୍ରଦୀପ ରାଉତ ଓ ଚିତ୍ତ ମଲ୍ଲିକଙ୍କୁ ୩-୩ ବର୍ଷ ଜେଲଦଣ୍ଡ ହୋଇଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ଜେଲ ଦଣ୍ଡ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ପ୍ରଦୀପ ଓ ଚିତ୍ତ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ।

ସମ୍ବନ୍ଧିତ ଖବର