ଭୁବନେଶ୍ବର : ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଋଣ ହଡ଼ପ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଭିଜିଲାନ୍ସ କୋର୍ଟ ମାମଲାର ଶୁଣାଣି କରି ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ପୂର୍ବତନ ଆଇଏଏସ୍ ତଥା ଓଆର୍ଏଚ୍ଡିସିର ତତ୍କାଳୀନ ଏମ୍ଡି ବିନୋଦ କୁମାର, ସିଏସ୍ ସ୍ବସ୍ତିରଂଜନ ମହାପାତ୍ର, ଜୁନିଅର ଲୋନ୍ ଅଫିସର ସତ୍ୟପ୍ରକାଶ ବେହେରା, ଆସିଷ୍ଟାଣ୍ଟ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ବାଇଁ, ଭୂମିକା ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ ରାୟ ଓ ସହଯୋଗୀ ବିଭୂତି ଭୂଷଣ ସ୍ବାଇଁ। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସତ୍ୟ ନାରାୟଣ ଷଡ଼ଙ୍ଗୀ ମାମଲାର ଶୁଣାଣି କରି ଏହି ୬ ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲ୍ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ପ୍ରକାଶ କରାଯାଇଛି। ତେବେ ପୂର୍ବରୁ ବିନୋଦ କୁମାର ୪ଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ପଞ୍ଚମଥର ପାଇଁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସୂଚନା ମୁତାବକ, ୨୦୦୦ ମସିହାରେ ବିନୋଦ କୁମାର ଓଆର୍ଏଚ୍ଡିସିର ଏମ୍ଡି ଥିବା ସମୟରେ ଜାଲିଆତି କରି ଭୂମିକା ବିଲ୍ଡର୍ସକୁ ସାଢ଼େ ୧୮ଲକ୍ଷ ଟଙ୍କାର ଗୃହ ଋଣ ଦେଇଥିଲେ। ସେହି ସମୟରେ ବିଭୂତି ଭୂମିକା ବିଲ୍ଡର୍ସର କୌଣସି ଅଂଶୀଦାର ନଥିବା ବେଳେ କାଗଜପତ୍ରରେ ଜାଲିଆତି କରି ନିଜକୁ ସଂସ୍ଥାର ଅଂଶୀଦାର ବୋଲି ଦର୍ଶାଇଥିଲେ। ଡମଣା ଅଞ୍ଚଳରେ ଅଳକାପୁରୀ ଏବଂ ପଟିଆ ଅଞ୍ଚଳରେ ପୁଷ୍ପକ ଭିଲ୍ଲା ନାମକ ଦୁଇଟି ପ୍ରକଳ୍ପର ଜାଲ କାଗଜପତ୍ର କରି ଋଣ ପାଇଁ ଆବେଦନ କରିଥିଲେ। ତେବେ ଋଣ ମଞ୍ଜୁରି ପାଇଁ କେବଳ ବୋର୍ଡ ଅଫ୍ ଡାଇରେକ୍ଟରର୍ସଙ୍କ କ୍ଷମତା ଥିବା ବେଳେ ବିନୋଦ କୁମାର ଚଞ୍ଚକତା କରି ୪ଜଣଙ୍କ ନାଁରେ ସାଢ଼େ ୧୮ଲକ୍ଷ ଟଙ୍କାର ଋଣ ଦେଇଥିଲେ। ଅଡିଟ୍ ବେଳେ ହେର୍ଫେର୍ ଘଟଣା ପଦାକୁ ଆସିବା ପରେ ମାମଲା ଭିଜିଲାନ୍ସକୁ ଯାଇଥିଲା। ଭିଜିଲାନ୍ସ ତଦନ୍ତ ବେଳେ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କ ସମ୍ପୃକ୍ତି କଥା ପଦାକୁ ଆସିଥିଲା। ୨୨ ବର୍ଷ ପରେ ୧୪ଜଣ ସାକ୍ଷୀ ଏବଂ ୧୦୫ ଦସ୍ତାବିଜ୍କୁ ଆଧାର କରି ଭିଜିଲାନ୍ସ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଡିଏସ୍ପି ଶରତ ମହାପାତ୍ର ଓ ଡିପି ତ୍ରିପାଠୀ ମାମଲାର ତଦନ୍ତ କରୁଥିବା ବେଳେ ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ ମାମଲାର ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/binod-kumar.jpg)