ଗୋପ : ପୁରୀ ଜିଲ୍ଲାର ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ର ସନ୍ଧାନ ମିଳିବାପରେ ଖୁବ୍ଶୀଘ୍ର ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ୩୭ ଜମି ମାଲିକଙ୍କୁ ସୋମବାର ଦିନ ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଅଏଲ୍ ଇଣ୍ତିଆ ଲିମିଟେଡ୍ର ଚିଫ୍ ମ୍ୟାନେଜର୍ ଡ. ବିଏନ୍ ସାହୁ ଏହି ଚେକ୍ ପ୍ରଦାନ କରିବା ସହିତ ଆଗାମୀଦିନରେ ଗୋପ ଜାତୀୟ ତଥା ଅର୍ନ୍ତଜାତୀୟ ଅର୍ଥନୀତିରେ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଭାରତ ସରକାରଙ୍କ ତୈଳ କମ୍ପାନି ଅଏଲ ଇଣ୍ତିଆ ଲିମିଟେଡ୍ ତରଫରୁ ଗତ ୨୦୨୦ ମସିହା ନଭେମ୍ବର ମାସ ୨୦ ତାରିଖରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ନିମନ୍ତେ ସେସ୍ମିକ୍ ସବେର୍କ୍ଷଣ କରାଯାଇଥିଲା। ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ସେସ୍ମିକ୍ ସବେର୍କ୍ଷଣ ବାବଦରେ ୨୨୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ତୈଳ ଓ ପ୍ରାକୃତିକ ଗ୍ୟାସ୍ର ସନ୍ଧାନ କରାଯାଇଥିଲା। ରାଜ୍ୟର ୫ଟି ବ୍ଲକ୍ରେ ତୈଳ ଓ ଗ୍ୟାସ୍ ଥିବାର ସୂଚନା ମିଳିଥିଲା। ସେଥିମଧ୍ୟରୁ ଗୋପ ବ୍ଲକ୍ର ଦୁଇଟି ସ୍ଥାନରେ ହିଁ ଖନନ କରାଗଲେ କମ୍ପାନି ଲାଭବାନ ହୋଇପାରିବ ବୋଲି ସ୍ପଷ୍ଟ ହୋଇଥିଲା। ସେହି ଅନୁଯାୟୀ ଗୋପ ପଞ୍ଚାୟତର କୁଶୁପୁରୁ କୁଶଭଦ୍ରା ନଦୀବନ୍ଧକୁ ଲାଗିରହିଥିବା ଜମି ଚିହ୍ନଟ ହୋଇଥିବାବେଳେ ମହଲପଡା ପଞ୍ଚାୟତର ଚିତ୍ରା ମୌଜାରେ ଥିବା ଜମି ଚିହ୍ନଟ କରାଯାଇଛି।
ସୋମବାର ଦିନ ଗୋପ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅଏଲ ଇଣ୍ଡିଆ ପକ୍ଷରୁ ୩୭ ଜଣ ଜମି ମାଲିକଙ୍କୁ ସେମାନଙ୍କ ସହ ହୋଇଥିବା ଚୁକ୍ତି ମୁତାବକ ଚେକ୍ ପ୍ରଦାନ କରାଯାଇଥିଲା। ଦୁଇଟି ସ୍ଥାନର ସମୁଦାୟ ୩୭ ଜଣ ଜମି ମାଲିକଙ୍କୁ ଗୁଣ୍ଠ(୪ ଡିସିମାଲ୍) ପ୍ରତି ୫୧ ହଜାର ଟଙ୍କା( ବର୍ଷକୁ ଗୁଣ୍ଡ ପ୍ରତି ୧୭ ହଜାର ଟଙ୍କା ହିସାବରେ ତିନି ବର୍ଷ ପାଇଁ ଚୁକ୍ତି ମୁତାବକ) ହିସାବରେ ସମୁଦାୟ ୧୦ କୋଟି ଟଙ୍କାର ଚେକ୍ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ କାକଟପୁର ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଖୁସି ପ୍ରକଟ କରିବା ସହ ଆଗାମୀଦିନରେ ରାଜ୍ୟ ଅର୍ଥନୀତିରେ ଗୋପ ଏକ ପ୍ରମୁଖ ଅଞ୍ଚଳ ହେବାକୁ ଯାଉଛି ବୋଲି କହିଛନ୍ତି। ସେହିଭଳି, ଗୋପ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ପାଇବାକୁ ଯାଉଛି ବୋଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ କହିଛନ୍ତି।
ଏ ସମ୍ପର୍କରେ ଚିଫ୍ ମ୍ୟାନେଜର୍ ଡ. ସାହୁ କହିଛନ୍ତି, ଗୋପ ବ୍ଲକ୍ର ଗୋପ ପଞ୍ଚାୟତ ଅନ୍ତର୍ଗତ କୁଶୁପୁରୁ ଓ ମହଲପଡ଼ା ପଞ୍ଚାୟତର ଚିତ୍ରା ମୌଜାରେ ଥିବା ୮ ଏକର ଲେଖାଏଁ ଜମି ସାଟେଲାଇଟ୍ ମାଧ୍ୟମରେ ଚିହ୍ନଟ କରାଯାଇ ସେଠାରେ ଖନନ କାର୍ଯ୍ୟ ଆରମ୍ଭ ହେବ।