ଗୋପ : ଗୋପ ବ୍ଲକ୍‌ କୁଶୁପୁରୁଠାରେ ତୈଳ ସନ୍ଧାନ ମିଳିବା ପରେ ଖନନ ପାଇଁ ଅଏଲ୍‌ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ୧୫ ତାରିଖରୁ ତିନିଟି ପର୍ଯ୍ୟାୟରେ ୨୨୭୫ ମିଟର ବୋରିଂ ହେବ। ଅଏଲ ଇଣ୍ତିଆ ଲିମିଟେଡ୍‌ର ବରିଷ୍ଠ ଅଧିକାରୀମାନେ ଆଜି ଏହି ସୂଚନା ଦେଇଛନ୍ତି। ଏ ନେଇ ଗୋପ ବ୍ଲକ୍‌ କୁଶୁପୁରୁଠାରେ ଏକ ସଚେତନତା କାର୍ଯ୍ୟକ୍ରମ ରଖାଯାଇ କମ୍ପାନି ଭିଡିଓଗ୍ରାଫି ଜରିଆରେ ବିସ୍ତୃତ ସୂଚନା ଦେଇଛି।

Advertisment

ବୋରିଂ ନିମନ୍ତେ ଏବେ ଅତ୍ୟାଧୁନିକ ରିଗିଂ ମେସିନ୍ ପହଞ୍ଚିଛି। ପ୍ରଥମ ସ୍ତରରେ ୩୫୦ ମିଟର, ଦ୍ବିତୀୟ ସ୍ତରରେ ୧୦୦୦ ମିଟର ଓ ତୃତୀୟ ତଥା ଶେଷ ସ୍ତରରେ ଅବଶିଷ୍ଟ ୯୨୫ ମିଟର ବୋରିଂ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ସ୍ତର ବୋରିଂର ଗୋଲେଇ ୧୭.୫ ଇଞ୍ଚ କରାଯିବାକୁ ଥିବା ବେଳେ ଏହି ବୋରିଂ ପରେ ଯେଉଁ ତୈଳ କୂପ ହେବ ସେଥିରେ ମାଟି ନ ଧସିବା ପାଇଁ ସୁରକ୍ଷା ନିମନ୍ତେ ଲୁହାର ନନ୍ଦ ଦିଆଯିବ। ଲୁହା ନନ୍ଦର ଚାରିପଟେ ୧୩.୭୫ ଇଞ୍ଚର ସିମେଣ୍ଟ ଦିଆଯାଇ ଏହାକୁ ମଜବୁତ କରାଯିବ, ଯାହାକୁ କମ୍ପାନି ଭାଷାରେ କେସିଂ କୁହାଯାଉଛି। ସେହପରି ଦ୍ବିତୀୟ ସ୍ତରରେ ୧୦୦୦ ମିଟର ବୋରିଂ କରାଯିବାକୁ ଥିବା ବେଳେ ବୋରିଂର ଗୋଲେଇ ୫ ଇଞ୍ଚ କମାଇ ୧୨.୨୫ ଇଞ୍ଚ ରହିବ। ଏହାର କେସିଂ ୯.୧୨ ଇଞ୍ଚ ରହିବ। ତୃତୀୟ ସ୍ତରରେ ଅବଶିଷ୍ଟ ୯୨୫ ମିଟର ବୋରିଂ ନିମନ୍ତେ ଏହାର ଗୋଲେଇ ୮.୫ ଇଞ୍ଚ ଓ କେସିଂ ୫.୫ ଇଞ୍ଚ ରହିବା ନେଇ ସୂଚନା ମିଳିଛି।

ଅଏଲ ଇଣ୍ତିଆର ସଚେତନତା କାର୍ଯ୍ୟକ୍ରମ
ଅଣକୁଶଳୀ ଶ୍ରମିକଙ୍କୁ ମିଳିପାରେ ନିଯୁକ୍ତି

publive-image

କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ଯେ କମ୍ପାନିର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ କ୍ଷେତ୍ରରୁ ଚୟନ କରାଯାଇଛି। କିନ୍ତୁ ଅଣକୁଶଳୀ ଶ୍ରମିକ ଭାବେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ କରିବା ପାଇଁ ଏକ ଆଉଟ୍‌ସୋର୍ସିଂ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। କମ୍ପାନି ପକ୍ଷରୁ ଏଠାରେ ଆଉ ଅଧିକ ଜମି ଗ୍ରହଣ କରାଯିବ ନାହିଁ କିମ୍ବା କୌଣସି ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ ନାହିଁ କୁହାଯାଇଛି। ଯେଉଁ ୮ ଏକର ଜମି ଅଧିଗ୍ରହଣ କରାଯାଇଛି ସେତିକିରେ ହିଁ ଏହା ସୀମିତ ରହିବ। ତୈଳ ଉତ୍ତୋଳନ ନିମନ୍ତେ କିମ୍ବା ବୋରିଂ ନିମନ୍ତେ କମ୍ପାନି ପକ୍ଷରୁ ବ୍ୟବହାର କରାଯାଉଥିବା ରାସାୟନିକ ପରିବେଶ କିମ୍ବା ଲୋକଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବ ନାହିଁ। ସମୁଦାୟ ୧୦୦ କର୍ମଚାରୀ ଏଠାରେ ନିୟୋଜିତ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ତୈଳ ଉତ୍ତୋଳନ ନିମନ୍ତେ ସମୁଦାୟ ଦୁଇଟି ପର୍ଯ୍ୟାୟରେ ଶ୍ରମିକ ନିୟାଜିତ ହେବେ। ପ୍ରତ୍ୟେକ ପର୍ଯ୍ୟାୟରେ ୩୦ ରୁ ୪୦ କର୍ମଚାରୀ ନିୟୋଜିତ ହେବେ ଓ ଦିନରାତି କାର୍ଯ୍ୟ ଚାଲିବବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

କମ୍ପାନି ତରଫରୁ ବିଭିନ୍ନ ଜନହିତମୂଳକ କାର୍ଯ୍ୟ ଜାରି ରହିବ ବୋଲି କମ୍ପାନି ସୂଚନା ଦେଇଛି। ଆଗାମୀ ଦିନରେ ଗୋପର ଉନ୍ନତି ନିମନ୍ତେ ଏଠାରେ ମେଡିକାଲ କ୍ୟାମ୍ପ, କ୍ରୀଡ଼ାର ଉନ୍ନତି, ରାସ୍ତା କାର୍ଯ୍ୟ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ। ସେହିପରି ଗୋପର କାମସରିବା ପରେ ବ୍ଲକ୍‌ର ଦ୍ବିତୀୟ ସ୍ଥାନ ଭାବେ ଚିତ୍ରାଠାରେ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ସ୍ଥାନୀୟ ମହଲପଡ଼ାରେ ତୈଳ ଓ ଗ୍ୟାସ୍‌ ସନ୍ଧାନ ଖୁବ୍ ଶୀଘ୍ର କରାଯିବା ନେଇ କମ୍ପାନି ସୂଚନା ଦେଇଛି। ଯଦି ଗୋପରେ ଆଶନୁରୂପ ତୈଳ କିମ୍ବା ଗ୍ୟାସ୍‌ ମିଳେ ତେବେ ଗଚ୍ଛିତ ତୈଳକୁ ନେଇ ଆଗାମୀ ଦିନର ଯୋଜନା କରାଯିବ ଓ ଏଠାରୁ ଅଶୋଧିତ ତୈଳକୁ ପାରାଦୀପ ରିଫାଇନାରିକୁ ପଠାଯିବା ନେଇ ଚିନ୍ତା କରାଯିବ।

publive-image

କମ୍ପାନିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଏନ୍‌ ସାହୁ କହିଛନ୍ତି ଯେ ଗୋପରେ ଆଗାମୀ ଦିନରେ ଅଏଲ ଇଣ୍ତିଆ ନିମନ୍ତେ ଆଶାର ଆଲୋକ ଦେଇପାରେ ଏ ନେଇ ଆମେ ଅଧିକ ଉତ୍ସାହିତ ଅଛୁ।

publive-image

ଅନ୍ୟତମ କାର୍ଯ୍ୟନିର୍ବାହୀ ଅଧକାରୀ ଏଜେ ଫୁକନ୍ କହିଛନ୍ତି ଯେ ଆଗାମୀ ତିନିରୁ ୪ ମାସ ଆମ ପାଇଁ କଠିନ ରହିଛି। ଆସାମ ଭଳି ତୈଳ ଓ ପ୍ରାକୃତିକ ବାଷ୍ପ ନେଇ ଏଠାରେ ମଧ୍ୟ ଆମେ ଅଧିକ ଆଶାବାଦୀ ରହିଛୁ। ଏ ପର୍ଯ୍ୟନ୍ତ ବୋରିଂ କାର୍ଯ୍ୟ ସରି ନଥିବାରୁ ଗଚ୍ଛିତ ତୈଳ ସମ୍ପର୍କରେ କିଛି କୁହାଯାଇପାରିବ ନାହିଁ। ତିନିରୁ ଚାରି ମାସ ପରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି।