କଟକ : ଓଡିଶା ରାଜ୍ୟ ସିଟି ଏବଂ ଜିଏସ୍ଟି ଏନଫୋର୍ସମେଣ୍ଟ ଶାଖା ପକ୍ଷରୁ ଏକକାଳୀନ ୭ଟି ରାଇସ୍ବ୍ରାନ୍ ତେଲ ଉତ୍ପାଦନକାରୀ ସଂସ୍ଥା ଉପରେ ଚଢଉ କରାଯାଇଛି। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।
ସମ୍ବଲପୁର, ବରଗଡ଼, କଳାହାଣ୍ଡି ଜିଲ୍ଲାରେ ଥିବା ଉକ୍ତ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ପୂର୍ବରୁ ଟିକସ ଫାଙ୍କି ଅଭିଯୋଗ ଥିଲା। ଏହି ଅଭିଯୋଗ ଭିତ୍ତିରେ ରାଜ୍ୟ ପ୍ରବର୍ତ୍ତନ ସଂସ୍ଥା ବିଭିନ୍ନ ରାଇସବ୍ରାନ୍ ବେଲ ଉତ୍ପାଦନକାରୀ କମ୍ପାନିମାନଙ୍କ ବ୍ୟବସାୟ ଉପରେ ନଜର ରଖିଆସୁଥିଲା। ବିଭାଗ ପାଖରେ ଥିବା ବିଭିନ୍ନ ତଥ୍ୟକୁ ପରୀକ୍ଷା କରି, ପ୍ରାଥମିକ ଅନୁସନ୍ଧାନର ଫଳାଫଳ ଆଧାରରେ ରାଜ୍ୟ ସିଟି ଏବଂ ଜିଏସଟି ଏନ୍ଫୋର୍ସମେଣ୍ଟ ଶାଖା ତରଫରୁ ରାଇସବ୍ରାନ ତେଲ ଉତ୍ପାଦନକାରୀ ସଂସ୍ଥାମାନଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ସେମାନଙ୍କ ଉତ୍ପାଦନ ୟୁନିଟ୍, ବ୍ୟବସାୟ ସ୍ଥାନ ଏବଂ ଗୋଦାମ ଉପରେ ଏକକାଳୀନ ଚଢଉ କରାଯାଇଥିଲା। ଏହି ଚଢଉରେ ରାଜ୍ୟ ସିଟି ଏବଂ ଜିଏସ୍ଟି ଏନଫୋର୍ସମେଣ୍ଟ ଶାଖାର ୩୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି।
ସୂଚନା ଅନୁସାରେ; ଅନୁସନ୍ଧାନକାରୀ ଦଳ କ୍ରୟ, ବିକ୍ରୟ ବିବରଣୀ, ଉତ୍ପାଦନ ଆକାଉଣ୍ଟ୍, କମ୍ପ୍ୟୁଟର, ଲାପଟପ୍ ଇତ୍ୟାଦିରେ ଉପଲବ୍ଧ ସୂଚନା ଯାଞ୍ଚ କରୁଛନ୍ତି। ଯାଞ୍ଚ ଅଧିକାରୀ ସେମାନଙ୍କର ବ୍ୟବସାୟ ପରିସରରେ ଉପଲବ୍ଧ କଞ୍ଚାମାଲ ତଥା ରାଇସବ୍ରାନ୍ ଏବଂ ଉତ୍ପାଦିତ ଦ୍ରବ୍ୟ ତଥା ତେଲର ସବିଶେଷ ବିବରଣୀ ଆକାଉଣ୍ଟ୍ ବୁକ୍ ସହିତ ମେଳ କରୁଛନ୍ତି। ଚଢଉ ସମୟରେ ଉପଲବ୍ଧ କମ୍ପ୍ୟୁଟର, ଲାପଟପ୍ ଏବଂ ଅନ୍ୟାନ୍ୟ ଦଲିଲଗୁଡ଼ିକୁ ଅଧିକ ଅନୁସନ୍ଧାନ ପାଇଁ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଟିକସଦାତାମାନେ ବିପୁଳ ପରିମାଣର କାରବାର ସତ୍ତ୍ବେ ବହୁତ କମ ଟିକସ ପୈଠ କରୁଛନ୍ତି। ନିୟମ ଅନୁସାରେ ଥିବା କରମୁକ୍ତ ଜିନିଷ ଉପରେ ସମାନୁପାତିକ ଆଇଟିସି (ଇନପୁଟ ଟ୍ୟାକ୍ସ କ୍ରେଡିଟ) ବ୍ୟବହାର ନ କରି, ଅଧିକ ପରିମାଣରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ଦେଖାଇ ଦେୟ ଟିକସ ପରିମାଣକୁ ହ୍ରାସ କରୁଛନ୍ତି। ଏହାଦ୍ବାରା ସରକାରଙ୍କ ବିପୁଳ ରାଜସ୍ବ କ୍ଷତି ଘଟୁଛି।