ଫନି ବାତ୍ୟା ପାଇଁ ନିୟନ୍ତ୍ରଣ କକ୍ଷ ଗଠନ କଲା ତେଲ ମନ୍ତ୍ରାଳୟ, ଜାରି କଲା ହେଲପଲାଇନ ନମ୍ବର

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଫନିର ଆସନ୍ତା କାଲି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ବାତ୍ୟା ପରେ ଯେପରି ବିଭିନ୍ନ ପେଟ୍ରୋଲିୟମ ସାମଗ୍ରୀ ଯେପରିକି ପେଟ୍ରୋଲ, ଡିଜେଲ, ଏଲପିଜି ଆଦି ଯୋଗାଣରେ ସମସ୍ୟା ସୃଷ୍ଟି ନହୁଏ ଓ ଯେପରି ଏଗୁଡ଼ିକ ବଜାରରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିବ ସେ ନେଇ ତୈଳ ମନ୍ତ୍ରାଳୟ ପକ୍ଷରୁ ଏକ କଣ୍ଟ୍ରୋଲ ସେଲ ଭୁବନେଶ୍ବରରେ ଥିବା ଇଣ୍ଡିଆନ ଅଏଲର ଆଂଚଳିକ ଅଫିସରେ ଖୋଲାଯାଇଛି । ଏଥିରେ ସବୁ ତେଲ କମ୍ପାନିର ଅଧିକାରୀ ରହିଛନ୍ତି । ବାତ୍ୟା ପ୍ରଭାବିତ ପ୍ରତି ଜିଲ୍ଲାରେ ଯେପରି ଏସବୁ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିବ ତାହା ଉପରେ ଏହି କଣ୍ଟ୍ରୋଲ ରୁମ ନଜର ରଖିବ । ଯଦି କୌଣସି ଅଞ୍ଚଳରେ ସମସ୍ୟା ଦେଖାଦିଏ ଲୋକମାନେ କଣ୍ଟ୍ରୋଲ ରୁମ ନମ୍ବର ୦୬୭୪-୨୭୪୫୮୬୧ରେ ଫୋନ କରିପାରିବେ ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ।
ବାତ୍ୟା ପରିସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ସେଲ୍ କାମ କରିବ । ଏହି ନିୟନ୍ତ୍ରଣ କକ୍ଷ ବିଭିନ୍ନ ତୈଳ ବିପଣନ କମ୍ପାନୀ ମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ । ବିଭିନ୍ନ ଜିଲା ତଥା ବାତ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରୁ ସୂଚନା ସଂଗ୍ରହ କରି ଏହି କମ୍ପାନୀମାନେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାର ବ୍ୟବସ୍ଥା କରିବେ ।

ସମ୍ବନ୍ଧିତ ଖବର