ବିଧାନସଭାରେ ବି ତେଲ ତାତି; ସାଇକେଲରେ ଆସିଲେ ତାରା, ଅଧିରାଜ ଓ ସୁର

ଅଧିକ ଟିକସ ଆଦାୟ କରୁଛି କେନ୍ଦ୍ର: ଅର୍ଥ ମନ୍ତ୍ରୀ

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ। ମହଙ୍ଗା ମାଡ଼କୁ ତୈଳ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି। ମୋଦୀ ସରକାର ଅଛେଦିନ୍‌ର ସ୍ବପ୍ନ ଦେଖାଇଥିଲେ। ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ୟାରେଲ ପିଛା ତୈଳ ଦର ୬୪ ଡଲାର ଥିବା ବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ, ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ସେସ୍‌ ବସାଇ ଲୋକଙ୍କୁ ପକେଟକୁ ଶୋଷୁଛନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ ଭାଟ ବୃଦ୍ଧି କରି ବୋଝ ଉପରେ ନଳିତା ବିଡ଼ା ଲଦିବା ଭଳି କାର୍ଯ୍ୟ କରୁଛନ୍ତି।

ଆଜି ବିଧାନସଭାରେ ତୈଳ ଦର ବୃଦ୍ଧି ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ଏପରି ବର୍ଷିଛି। ଦଳୀୟ ବିଧାୟକମାନେ ଦାବି କରିଛନ୍ତି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା ସେସ୍‌ ଆଦାୟ ବନ୍ଦ କରିବା ସହିତ ଉତ୍ପାଦ ଶୁଳ୍କ ଛାଡ଼ କରନ୍ତୁ। ଏହାସହିତ ରାଜ୍ୟ ସରକାର ମଧ୍ୟ ଭାଟ୍‌ କମାଇଲେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଜ୍ବାଳାରୁ ଲୋକଙ୍କୁ ଆଶ୍ବସ୍ତି ମିଳିବ। ତେବେ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ଓ ଅଧିରାଜ ମୋହନ ପାଣିଗ୍ରାହୀ ସାଇକେଲ ଚଲାଇ ବିଧାନସଭା ଆସିଥିଲେ।

‘ରାଜ୍ୟବାସୀଙ୍କୁ ମହଙ୍ଗା ମାଡ଼। ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇଁ ସାଧାରଣ ଲୋକେ ହନ୍ତସନ୍ତ। ରାଜ୍ୟର ଖାଉଟି କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଉତ୍ପାଦ ଶୁଳ୍କ, ସେସ୍‌ ବସାଇ କେନ୍ଦ୍ର ସରକାର ମୋଟ୍‌ ୩୨ ଟଙ୍କା ୯୦ ପଇସା ଲୋକଙ୍କଠୁ ନେଉଛନ୍ତି। ସେହିପରି ପେଟ୍ରୋଲ ଉପରେ ରାଜ୍ୟ ସରକାର ୩୨% ଭାଟ ବସାଇଥିବା ବେଳେ ଡିଜେଲ ବିକ୍ରି ଉପରେ ଲିଟର ପିଛା ୨୮% ଆଦାୟ କରୁଛନ୍ତି। ଉଭୟ ସରକାରଙ୍କର ଜନସାଧାରଣଙ୍କ ପ୍ରତି ଦରଦ ନାହିଁ। କେନ୍ଦ୍ର ସରକାର ଏତେ ନିଷ୍ଠୁର ହେଲେ ଯେ କରୋନା ମହାମାରୀ ସମୟରେ ଲୋକେ ଜୀବନ ଜୀବିକା ହରାଉଥିବା ବେଳେ ପେଟ୍ରୋଲ ଓ ଡିଜେଲ ଉପରେ ୧୦ ଟଙ୍କା ଟିକସ ବୃଦ୍ଧି କରିଦେଲେ। ୟୁପିଏ ସରକାର ସମୟରେ ମାତ୍ର ୫୦ ପଇସା ତୈଳ ଦର ବୃଦ୍ଧି ଘଟିଲେ ବିଜେଡି ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରୁଥିଲା। ଏବେ ସିବିଆଇ ଭୟରେ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଯାହା କଲେ ବି ପାଟି ଫିଟାଉନି। ସଲାସୁତରା ହୋଇ ଉଭୟ ସରକାର ଲୋକଙ୍କୁ ଲୁଟ କରିଚାଲିଛନ୍ତି।
ଏନ୍‌ଡିଏ ସରକାର କ୍ଷମତାକୁ ଆସିଲେ ପେଟ୍ରୋଲ ଲିଟର ୩୦ ଟଙ୍କାରେ ମିଳିବ। ଆଜି ଲିଟର ୯୦ରୁ ୧୦୦ ଟଙ୍କା ପହଞ୍ଚିଲାଣି। କେନ୍ଦ୍ର ସରକାରଙ୍କୁ ଏପରି ସମାଲୋଚନା କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ୟୁପିଏ ସରକାର ସମୟରେ ଗ୍ୟାସ୍‌ ସିଲିଣ୍ଡର ୪୦୦ ଟଙ୍କାରେ ମିଳୁଥିଲା। ଏବେ ୮୦୦ ଟଙ୍କା ପାର୍‌ କରିଗଲାଣି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଚଳାଇଛି। ଆଜି ଦଳର ବିଧାୟକମାନେ ସାଇକେଲ୍‌ରେ ବିଧାନସଭା ଆସିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ଚଳାଇ ସଚିବାଳୟ ଆସିଥିଲେ। ତାଙ୍କ ପୁତ୍ର ନବୀନ ବାବୁ ଅହେତୁକ ତୈଳ ଦର ବୃଦ୍ଧିକୁ ବିରୋଧ କରୁନାହାନ୍ତି। କେନ୍ଦ୍ର ସରକାର ଯାହା କରୁଛନ୍ତି ବିଜେଡି ତାକୁ ସମର୍ଥନ ଦେଇଚାଲିଛି। ଡିଜେଲର ଅହେତୁକ ଦର ବୃଦ୍ଧି ଯୋଗୁ ଚାଷୀର ଆୟ କମୁଛି। ଚାଷୀ ତାର ଟ୍ରାକ୍ଟର ଚଳାଇବାକୁ ଡରୁଛି। ଅନ୍ୟପଟେ ରାଜ୍ୟ ସରକାର ବି ଭାଟ୍‌ ହାର ନ କମାଇବାରୁ ଲୋକେ ଆହୁରି ମହଙ୍ଗା ସ୍ଥିତିର ସାମନା କରୁଛନ୍ତି।

ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ ଗୃହରେ ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରି କହିଥିଲେ, ମୋଦୀ ସରକାର ଲୁଟ କରିବା କଥା ଯାହା କଂଗ୍ରେସର ବନ୍ଧୁମାନେ ଅଭିଯୋଗ କରିଛନ୍ତି ସେମାନେ ଭୁଲି ଯାଇଛନ୍ତି ଯେ, ଅତୀତରେ ସେମାନେ କଣ କରିଥିଲେ। କରୋନା ମହାମାରୀରେ ଦେଶର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଥିଲା। ଏହାକୁ ସୁଧାରିବାକୁ ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆତ୍ମ ନିର୍ଭର ଭାରତ ଯୋଜନା ବାବଦରେ ୨୭ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିପାଇଁ ଅର୍ଥ ଆସିବ କେଉଁଠୁ? ପେଟ୍ରୋଲ ଓ ଡିଜେଲରୁ ଆଦାୟ ହେଉଥିବା ଟିକସ ଅର୍ଥ ଜନହିତକର କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଉଛି। କେନ୍ଦ୍ର ସରକାର ତାଙ୍କ ପକେଟକୁ ନେଇଯାଉନାହାନ୍ତି। ଲୋକଙ୍କ ବିକାଶମୂଳକ କାର୍ଯ୍ୟରେ ସବୁ ଅର୍ଥକୁ ବିନିଯୋଗ କରୁଛନ୍ତି।

ରାଜ୍ୟ ସରକାର ନିଜ ଭାଟ୍‌ ପରିମାଣ ହ୍ରାସ କରିବା ଦରକାର। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରେ ରାଜ୍ୟ ବି ଭାଗ ପାଉଛି। ତାହେଲେ ଭାଟ କମାଇଦେଲେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିଯାଆନ୍ତା। ଏପରି ନ କରି ରାଜନୀତି କରିବା ଆଳରେ ଗୋଟିଏ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଆଲୋଚନା କରାଯାଉଛି। ଓଡ଼ିଶାରେ ୪୫ ଲକ୍ଷ ୩୪ ହଜାର ଗରିବ ମହିଳାମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ପ୍ରଦାନ କରାଯାଇଛି। ଆଗରୁ କୋଉ ସରକାର ବି ଏ କଥା ଚିନ୍ତା କରିନଥିଲେ। ତେବେ ଗୃହ ବାହାରେ ଶ୍ରୀ ସେଠୀ ଯେପରି ମନ୍ତବ୍ୟ ଦେଇଥିଲେ ତାକୁ ନେଇ ବୁଦ୍ଧିଜୀବୀ ମହଲ ଆଶ୍ଚର୍ଯ୍ୟ ହୋଇଛି। ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ ସେ କହିଥିଲେ, ତୈଳ ଦର କମିବା ଉଚିତ୍‌ ନୁହଁ। ଜର୍ମାନ, ଫ୍ରାନ୍‌ସ୍‌ ପରି ଦେଶରେ ତେଲ ଦର ସେଠାକାର ମୁଦ୍ରା ଅନୁସାରେ ୧୦୦ ପାର୍‌ କରିଗଲାଣି। ପେଟ୍ରୋଲ ଓ ଡିଜେଲ ବାବଦରେ କେନ୍ଦ୍ର ୨୨ ଟଙ୍କା ନେଉଥିବା ବେଳେ ରାଜ୍ୟ ଭାଟ ବାବଦରେ ନେଉଛି ୩୨ ଟଙ୍କା ବୋଲି ଶ୍ରୀ ସେଠୀ ହିସାବ ଦେଇଥିଲେ।

ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ ଯେ ରାଜ୍ୟ ସରକାର ଋଣ କରି ଘିଅ ପିଇବା ନ୍ୟାୟରେ ଏବେ ସବୁ ଯୋଜନା ଚଳାଇଛନ୍ତି। ଋଣ ନ କଲେ ସରକାର କୌଣସି କାର୍ଯ୍ୟ କରିପାରୁନାହାନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଦର ନିୟନ୍ତ୍ରଣ କରିବା ଦାୟିତ୍ବ କେବଳ କେନ୍ଦ୍ର ସରକାରଙ୍କର ନୁହେଁ। ରାଜ୍ୟ ସରକାରଙ୍କ ପ୍ରମୁଖ ଭୂମିକା ରହିଛି। ଭାଟ୍‌ ଟିକସକୁ କାହିଁକି କମାଉନାହାନ୍ତି। ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗ, ମେଘାଳୟ ଓ ଛତିଶଗଡ଼ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ପରିମାଣକୁ ହ୍ରାସ କରିଛନ୍ତି। ଫଳରେ ସେସବୁ ରାଜ୍ୟରେ କମ୍‌ ଦରରେ ପେଟ୍ରୋଲ ମିଳୁଛି। ତୁରନ୍ତ ଭାଟ୍‌ କମାଇବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ।
ତୈଳ ଉପରେ କେନ୍ଦ୍ର ସରକାର ବସାଇଥିବା ଭିତ୍ତିଭୂମି ସେସ୍‌କୁ ଗୃହରେ ବିଜେଡି ସଦସ୍ୟମାନେ ବିରୋଧ କରିଛନ୍ତି।

ଏ ନେଇ ବିଜେଡି ବିଧାୟକ ଅଶ୍ବିନୀ କୁମାର ପାତ୍ର କହିଥିଲେ ଯେ ବିକାଶ ନାଁରେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ଅତିରିକ୍ତ ସେସ୍‌ ବସାଇଛି। ସେସ୍‌ ବାବଦରେ ଆଦାୟ ହେଉଥିବା ଅର୍ଥରୁ ରାଜ୍ୟକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଆସୁଛନ୍ତି। ତୈଳ ଦର ବୃଦ୍ଧି ଯୋଗୁ ଗରିବ ମାନେ ଆହୁରି ଗରିବ ହୋଇଚାଲିଛନ୍ତି। ସାଧାରଣ ବସ୍‌ ଭଡ଼ା ବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ର ବୃଦ୍ଧି ଯୋଗୁ ସେମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହେଲାଣି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବେ ଗରିବ ମାରଣ ନୀତିରେ ପରିଣତ ହୋଇଛି। ମୁଲତବୀ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ ବିଜେଡି ବିଧାୟିକା ଲତିକା ପ୍ରଧାନ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ବିଜେଡି ବିଧାୟକ ଧ୍ରୁବ ସାହୁ ଭାଗ ନେଇଥିଲେ।

କେନ୍ଦ୍ର ଓ ରାଜ୍ୟ ଟିକସ କମାନ୍ତୁ: କଂଗ୍ରେସ
ଜନହିତକର ଯୋଜନାରେ ଖର୍ଚ୍ଚ ହେଉଛି
ସେସ୍‌ ଅର୍ଥ: ବିଜେପି
କେନ୍ଦ୍ରର ଉତ୍ପାଦ ଶୁଳ୍କ କାହିଁକି?: ବିଜେଡି

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଉପରୁ କେନ୍ଦ୍ର ସରକାର ଅଧିକ ଟିକସ ଆଦାୟ କରୁଛନ୍ତି। କେନ୍ଦ୍ର ସରକାର ଏକ ଲିଟର ପେଟ୍ରୋଲ ଉପରୁ ମୋଟ ୩୨ ଟଙ୍କା ୯୦ ପଇସା ଆଦାୟ କରୁଥିଲା ବେଳେ ରାଜ୍ୟ ସରକାର ୨୧ ଟଙ୍କା ୪୦ ପଇସା ଆଦାୟ କରୁଛନ୍ତି। ଆଜି ବିଧାନସଭାରେ ମୁଲତବୀ ଆଲୋଚନାର ଉତ୍ତରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ତଥ୍ୟ ଦର୍ଶାଇଛନ୍ତି।
ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ତୈଳ ବିକ୍ରୟ କରୁଥିବା କମ୍ପାନିଗୁଡ଼ିକର ବେସ୍‌ ପ୍ର‌ାଇସ୍‌, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ମୂଲ୍ୟଯୁକ୍ତ କର(ଭାଟ୍‌)କୁ
ଭିତ୍ତି କରି ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ ନିରୂପଣ କରାଯାଇଥାଏ। ଉଦାହରଣ ସ୍ବରୂପ ଭୁବନେଶ୍ବରରେ ଆଜି ତାରିଖରେ ପେଟ୍ରୋଲର ଲିଟର ପିଛା ଖୁଚୁରା ବିକ୍ରୟ ମୂଲ୍ୟ ୯୧ ଟଙ୍କା ୬୬ ପଇସା ଥିଲା। ତାହା ମଧ୍ୟରୁ ତୈଳ ବିକ୍ରୟ କରୁଥିବା କମ୍ପାନିଗୁଡ଼ିକ ସ୍ଥିର କରିଥିବା ବେସ୍ ପ୍ରାଇସ୍‌ ହେଉଛି ୩୩ ଟଙ୍କା ୬୮ ପଇସା। ଏକ ଲିଟର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୧ ଟଙ୍କା ୪୦ ପଇସା, ଅତିରିକ୍ତ ଉତ୍ପାଦ ଶୁଳ୍କ ୧୧ ଟଙ୍କା, ଭିତ୍ତିଭୂମି ସେସ୍‌ ୧୮ ଟଙ୍କା ଓ କୃଷି ଭିତ୍ତିଭୂମି ବିକାଶ ସେସ୍‌ ୨ ଟଙ୍କା ୫୦ ପଇସାକୁ ମିଶାଇ କେନ୍ଦ୍ର ସରକାର ମୋଟ୍‌ ୩୨ ଟଙ୍କା ୯୦ ପଇସା ଆଦାୟ କରୁଛନ୍ତି। ରାଜ୍ୟ ସରକାର ୩୨% ଭାଟ୍‌ ବାବଦକୁ ୨୧ ଟଙ୍କା ୪୦ ପଇସା ଆଦାୟ କରୁଛନ୍ତି। ସେହିପରି ଆଜି ଭୁବନେଶ୍ବର ସହରରେ ଡିଜେଲର ଲିଟର ପିଛା ଖୁଚୁରା ବିକ୍ରୟ ମୂଲ୍ୟ ୮୮ ଟଙ୍କା ୬୩ ପଇସା ଥିଲା ‌ବେଳେ ତାହା ମଧ୍ୟରୁ ତୈଳ ବିକ୍ରୟ କମ୍ପାନି ସ୍ଥିର କରିଥିବା ବେସ୍‌ ପ୍ରାଇସ୍‌ ହେଉଛି ୩୫ ଟଙ୍କା ୪୩ ପଇସା। ଏକ ଲିଟର ଡିଜେଲ୍‌ ଉପରୁ ବେସିକ୍ ଏକ୍ସାଇଜ୍ ଡ୍ୟୁଟି ୧ ଟଙ୍କା ୮୦ ପଇସା, ଅତିରିକ୍ତ ଉତ୍ପାଦ ଶୁଳ୍କ ୮ ଟଙ୍କା, ଭିତ୍ତିଭୂମି ସେସ୍‌ ୧୮ ଟଙ୍କା, କୃଷି ଭିତ୍ତିଭୂମି ବିକାଶ ସେସ୍‌ ୪ ଟଙ୍କାକୁ ମିଶାଇ କେନ୍ଦ୍ର ସରକାର ମୋଟ୍‌ ୩୧ ଟଙ୍କା ୮୦ ପଇସା ଆଦାୟ କରୁଛନ୍ତି। ରାଜ୍ୟ ସରକାର ୨୮% ଭାଟ୍‌ ବାବଦକୁ ୧୮ ଟଙ୍କା ୯୦ ପଇସା ନେଉଛନ୍ତି। ରାଜ୍ୟ ସରକାର ଆଦାୟ କରୁଥିବା ଟିକସକୁ ଜନ ହିତକର କାର୍ଯ୍ୟରେ ବିନିଯୋଗ କରୁଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ସମ୍ବନ୍ଧିତ ଖବର