ବିଧାନସଭାରେ ତେଲ ତାତି

ପେଟ୍ରୋଲ-ଡିଜେଲ ଓ ଖାଇବା ତେଲ ଦରବୃଦ୍ଧି ନେଇ ଗୃହରେ ଧାରଣା ଦେଲେ ତାରା
ସରକାରଙ୍କ ଉପରେ ବର୍ଷିଲେ ନରସିଂହ
ବିରୋଧୀଙ୍କ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବୀ
ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର : ବିଧାନସଭାରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ତାତି। ଏହାସହିତ ଖାଇବା ତେଲର ଅହେତୁକ ଦରବୃଦ୍ଧି ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହ ମଧ୍ୟ ଭାଗରେ ଧାରଣା ଦେବା ସହ ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶୂନ୍ୟକାଳରେ ସମସ୍ତ ବିଧାୟକଙ୍କୁ କହିବାର ସୁଯୋଗ ନ ମିଳିବାରୁ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ୩ ଥର ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ।

ବୁଧବାର ଶୂନ୍ୟକାଳରେ ତୈଳ ଦର ବୃଦ୍ଧି ନେଇ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଥିଲେ, ୨ ମାସ ତଳେ ଖାଇବା ତେଲର ଦର ଲିଟର ପିଛା ୭୦ରୁ ୮୦ ଟଙ୍କା ଥିଲା। କିନ୍ତୁ ଏବେ ଲିଟର ୧୬୦ରୁ ୧୮୦ ଟଙ୍କାରେ ପହଞ୍ଚିଲାଣି। ପେଟ୍ରୋଲ ଦର ୧୦୦ ଟପିଲାଣି। ଫଳରେ ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହୋଇପଡ଼ିଲେଣି। ୟୁପିଏ ସରକାର ସମୟରେ ତୈଳ ଦର ୧୫୦ ଡଲାରରୁ ଅଧିକ ଥିଲାବେଳେ ପେଟ୍ରୋଲ ୭୦ ଟଙ୍କା ଓ ଡିଜେଲ ୫୦ ଟଙ୍କାରେ ମିଳୁଥିଲା। ଏବେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୬୦ ଡଲାର ଥିଲେ ବି କେନ୍ଦ୍ର ସରକାରଙ୍କ ଅତ୍ୟଧିକ ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାରଙ୍କ ଭାଟ ଯୋଗୁ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ହୋଇଛି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାନ୍ତୁ ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୧୦ ଟଙ୍କା ଭାଟ୍‌ କମାନ୍ତୁ। ଏହାସହିତ ଖାଇବା ତେଲ ଉପରୁ ସମ୍ପୂର୍ଣ୍ଣ ଭାବେ ଟିକସ ଛାଡ଼ କରାଯାଉ। ସମସ୍ତଙ୍କୁ ଅନୁରୋଧ କରି ଶ୍ରୀ ବାହିନୀପତି କହିଥିଲେ, ଏ ନେଇ ଗୃହରେ ଏକ ସଂକଳ୍ପ ଅଣାଯାଉ। ବାଚସ୍ପତି ରୁଲିଂ ଦିଅନ୍ତୁ। ଦଳମତ ନିର୍ବିଶେଷରେ ସବୁ ସଦସ୍ୟ ଏହି ସଂକଳ୍ପକୁ ସମର୍ଥନ ଦେବେ। ଯଦି ବାଚସ୍ପତି ରୁଲଂ ନ ଦେବେ ତାହେଲେ ସେ ଧାରଣାରେ ବସିବେ। ଶ୍ରୀ ବାହିନୀପତିଙ୍କ ରୁଲିଂ ଦାବି ଉପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କିଛି ନ କହିବାରୁ ଶ୍ରୀ ବାହିନୀପତି ଗୃହ ମଧ୍ୟଭାଗକୁ ଆସି ଧାରଣା ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ଅହେତୁକ ବୃଦ୍ଧି ହୋଇଛି। ଏହା ଛୋଟିଆ ପ୍ରସଙ୍ଗ ନୁହେଁ। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ଧାରଣାରେ ବସିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୩୩ ପ୍ରତିଶତ ସେସ୍‌ ବସାଇଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ସେସ୍‌ କମାଇବାକୁ ଖୋଦ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଦରଦାମ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ଭାଟ୍‌ କମାଇ ପାରିବେ। କିନ୍ତୁ ଉଭୟ ସରକାର କିଛି ବି ଶୁଣୁନାହାନ୍ତି। ତାହେଲେ ଆମେ କାହାକୁ କହିବୁ। ବାଚସ୍ପତି ଆପଣ ମଧ୍ୟ ଶୁଣୁନାହାନ୍ତି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏ ଗୃହରେ ସଂକଳ୍ପ ପାରିତ ହେଲା। ଦୁଇଟି ଗୃହ କମିଟି ଗଠନ ହେଲା। ଗୋଟିଏ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଉ ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ। ଦୁଇଟି ଯାକ ଗୃହ କମିଟିର ଆଜି ପର୍ଯ୍ୟନ୍ତ ଗୋଟିଏ ବି ବୈଠକ ବସିଲା ନାହିଁ। କଣ ବିବାଦର ସମାଧାନ ବାହାରି ପଡିଲା? ସେହିପରି ଧାନର ଏମ୍‌ଏସ୍‌ପି ନେଇ ସଂକଳ୍ପ ପାରିତ ହେଲା। ହାଇସ୍କୁଲ ବନ୍ଦ ନେଇ ଗୃହରେ ସ୍ବର ଉତ୍‌ଥାପନ କଲେ ଉପଯୁକ୍ତ ଫୋରମ୍‌ରେ ଆଣିବା ପାଇଁ ପରାମର୍ଶ ଦିଆଯାଉଛି। ଏଠି ଗୃହ ଚାଲିବ କିନ୍ତୁ ମନ୍ତ୍ରୀ ଗୃହକୁ ଆସିବେ ନାହିଁ। ରୋଷ୍ଟର ଡ୍ୟୁଟି କରିବା ଭଳି ଜଣେ ମନ୍ତ୍ରୀ ଗୃହରେ ରହିବେ। ଏପରି କଣ ଗୃହ ଚାଲେ? ପ୍ରଶ୍ନ ପଚାରିଲେ ଉତ୍ତର ମିଳେନାହିଁ। ତାହେଲେ ଏ ଗୃହ ଅଛି କାହିଁକି? କଣ ପାଇଁ?

ପରେ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, ତେଲ ଦର ବୃଦ୍ଧି ଉପରେ ଗୃହରେ ସଂକଳ୍ପ ଆସିବ କି ନାହିଁ ସେ ନେଇ ସରକାରୀ ଦଳ ସ୍ଥିର କରିବେ। ଶୂନ୍ୟକାଳ ସମାପ୍ତ ହେଲା ବୋଲି ବାଚସ୍ପତି ଘୋଷଣା କରିବାରୁ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ। ଅଭିଯୋଗ କରି କହିଥିଲେ ଜଣେ ଦୁଇଜଣ ସଦସ୍ୟଙ୍କୁ ବାଚସ୍ପତି ଶୂନ୍ୟକାଳରେ ସୁଯୋଗ ଦେଉଛନ୍ତି। ଅଥଚ ବାକି ସଦସ୍ୟମାନେ ବିଭିନ୍ନ ସମସ୍ୟାମୂଳକ ପ୍ରସଙ୍ଗରେ କହିବାକୁ ଗୃହରେ ସୁଯୋଗ ପାଉନାହାନ୍ତି। ସେମାନଙ୍କୁ ସୁଯୋଗ ଦେବାକୁ ବିରୋଧୀ ଅଡ଼ି ବସିଥିଲେ। ଗୃହ ମଧ୍ୟଭାଗରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଭିତରେ କଥା କଟାକଟି ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ଚଲାଇବା ପାଇଁ ସର୍ବଦଳୀୟ ବୈଠକ ଡାକିବା ସହ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର