ଭୁବନେଶ୍ବର: ବଜାରରେ ଏବେ ସୂର୍ଯ୍ୟମୁଖୀ ତେଲ ଦରରେ ବିକ୍ରି ହେଉଛି ପାମ୍ ତେଲ ବା ପାମୋଲିନ୍। ଏଣେ ପ୍ରୋତ୍ସାହନ ଅଭାବରୁ ରାଜ୍ୟରେ ଅଏଲ୍ ପାମ୍ ଚାଷ ଫେଲ୍ ମାରିଛି। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ପାମ୍ ପ୍ରୋସେସିଂ ୟୁନିଟ ସହିତ ରାଜିନାମା ୧୪ ବର୍ଷ ଅତିକ୍ରାନ୍ତ ପରେ ବି ଏଠାରେ ସିଧାସଳଖ ପାମ୍ ତେଲ ଉତ୍ପାଦନ ହୋଇ ପାରୁନାହିଁ। ଚାଷୀଙ୍କଠାରୁ ଅଏଲ୍ ପାମ୍ କ୍ରୟ ପାଇଁ ଯେଉଁ ୬ଟି ପ୍ରୋସେସିଂ ୟୁନିଟ୍କୁ ଦାୟିତ୍ବ ଦିଆଯାଇଥିଲା; ସେଥିରୁ ଗୋଟିଏକୁ ବାଦ୍ ଦେଲେ ଅନ୍ୟ କେହି ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି।
ରାଜ୍ୟରେ ଏବେ ଲିଟର ପିଛା ୧୨୬ରୁ ୧୨୮ ଟଙ୍କାରେ ପହଞ୍ଚିଛି ପାମ୍ ତେଲ। ୬ ମାସ ମଧ୍ୟରେ ଏହାର ମୂଲ୍ୟ ଏକାବେଳକେ ୪୧ ଟଙ୍କାକୁ ବୃଦ୍ଧି ପାଇଛି। ଦେଶର ସମୁଦାୟ ଆବଶ୍ୟକତାର ୯୫ ପ୍ରତିଶତ ପାମ୍ ତେଲ ଇଣ୍ଡୋନେସିଆ, ମାଲେସିଆ ଭଳି ଦେଶରୁ ଆମଦାନି କରାଯାଏ। ଆମଦାନି ଜନିତ ସମସ୍ୟା ତେଲ ଦରବୃଦ୍ଧିର କାରଣ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ଅନ୍ୟପକ୍ଷରେ ଆମ ଦେଶରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୯ଟି ମିଲ୍ରୁ ପାମ୍ ତେଲ ଉତ୍ପାଦନ କରାଯାଏ। କେରଳ, ତାମିଲନାଡ଼ୁ, ଛତିଶଗଡ଼, ଗୁଜରାଟ, ଗୋଆ, କର୍ଣ୍ଣାଟକ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଓଡ଼ିଶା ଭଳି ରାଜ୍ୟରେ ପାମ୍ ଚାଷ କରାଯାଉଥିଲେ ମଧ୍ୟ ଏହା ଦେଶର ଆବଶ୍ୟକତା ପୂରଣ କରିପାରୁ ନାହିଁ। ତେଣୁ ଆହୁରି ଅଧିକ ଅଞ୍ଚଳରେ ପାମ୍ ଚାଷ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି। ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏହାକୁ ନେଇ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏହା ସେତେ ସଫଳ ହୋଇ ପାରିନଥିଲା।
ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୦୭ ମସିହାରେ ପାମ୍ ଚାଷକୁ ନେଇ ବିଶେଷ ଆଗ୍ରହ ପ୍ରକାଶ କରାଯାଇଥିଲା। ୬ଟି ପ୍ରୋସେସିଂ ୟୁନିଟ ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା, ଯେଉଁଥିରେ ସରକାର କମ୍ପାନିମାନଙ୍କୁ ସବସିଡି ଦେବେ, କମ୍ପାନିଗୁଡ଼ିକ ଚାଷୀମାନଙ୍କୁ ପାମ୍ ଚାଷ ପାଇଁ ଆବଶ୍ୟକ ଉପକରଣ, ଜ୍ଞାନକୌଶଳ ଦେବା ସହିତ ଉତ୍ପାଦିତ ଅଏଲ୍ ପାମ୍ କ୍ରୟ କରିବେ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏଥିରେ ରାୟଗଡ଼ା, କୋରାପୁଟ, ନବରଙ୍ଗପୁରରେ ଲକ୍ଷ୍ମୀ ବାଲାଜୀ, ଗଞ୍ଜାମ, ଗଜପତି, ବରଗଡ଼ରେ ଗୋଦରେଜ ଆଗ୍ରୋଭେଡ, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକରେ ରୁଚିସୋୟା, ନୟାଗଡ଼, ବୌଦ୍ଧରେ ବୈଦେହି, ସୋନପୁରରେ ଇନଗ୍ରାମ, ଢେଙ୍କାନାଳ, କଟକ, ଯାଜପୁରରେ ସିପିଲେକ୍ ପ୍ରୋସେସିଂ ୟୁନିଟ ଭାବରେ କାର୍ଯ୍ୟ ପାଇଁ ଦାୟିତ୍ବ ଦିଆଯାଇଥିଲା। ଢେଙ୍କାନାଳ, କଟକ, ଯାଜପୁର, ସୁବର୍ଣ୍ଣପୁରରେ ଏହି ଚାଷ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଏଠାରେ ଦାୟିତ୍ବ ଦିଆଯାଇଥିବା ପ୍ରୋସେସିଂ ୟୁନିଟ ଚାଷୀଙ୍କଠାରୁ ଅଏଲ ପାମ୍ କ୍ରୟ କରୁନାହିଁ। ରାୟଗଡ଼ା, କୋରାପୁଟ, ନବରଙ୍ଗପୁରର ଦାୟିତ୍ବ ଦିଆଯାଇଥିବା ପାମ୍ ପ୍ରୋସେସିଂ ୟୁନିଟ୍ ସରକାରଙ୍କ ସହିତ ଚୁକ୍ତିନାମାର ଖିଲାପ କରି ଫେରାର ହୋଇଯାଇଛି। ଆଜି ପର୍ଯ୍ୟନ୍ତ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ଚୁକ୍ତିନାମା ସ୍ବାକ୍ଷର ସମୟରେ ୧୦ ବର୍ଷରେ ଏଠାରେ ପାମ୍ ତେଲ ଉତ୍ପାଦନ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହା ହୋଇ ପାରିଲାନାହିଁ।
୨୦୦୭ ମସିହାରେ ପ୍ରୋସେସିଂ ୟୁନିଟ ସହିତ ଚୁକ୍ତିନାମା ସ୍ବାକ୍ଷରିତ ପରେ ଜଳସେଚନ ସୁବିଧା ଥିବା ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ବର୍ତ୍ତମାନ ୭୦୩୦ ହେକ୍ଟର ଜମିରେ ଅଏଲ୍ ପାମ୍ ଚାଷ ହେଉଛି। ଏଥିରେ ବରଗଡ଼ ଜିଲ୍ଲାରେ ୧୯୫୭ ହେକ୍ଟର, ରାୟଗଡ଼ାରେ ୧୧୮୦ ହେକ୍ଟର, ମୟୂରଭଞ୍ଜରେ ୧୧୨୫ ହେକ୍ଟର, ନୟାଗଡ଼ରେ ୬୮୭ ହେକ୍ଟର, ଭଦ୍ରକରେ ୫୨୪ ହେକ୍ଟର, ବାଲେଶ୍ବରରେ ୨୪୩ ହେକ୍ଟର ରହିଛି। ମୁଖ୍ୟତଃ ଜଳସେଚିତ ଜମିରେ ଏହି ଚାଷ ହୁଏ। ଅଏଲ୍ ପାମ୍ ଚାଷର ସମସ୍ୟା ହେଲା, ଆରମ୍ଭ ବର୍ଷରୁ ଏହା ଉତ୍ପାଦନ ଦିଏ ନାହିଁ, ଏଥିପାଇଁ ୪ରୁ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ। ଏଥିପାଇଁ ଅଏଲ୍ ପାମ୍ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ହେକ୍ଟର ପିଛା ୫୫୦୦ ଟଙ୍କା ଦିଆଯାଏ। ମାତ୍ର ଏହା ଯଥେଷ୍ଟ ନଥିବା ଚାଷୀମାନେ ଅଭିଯୋଗ କରନ୍ତି। କିନ୍ତୁ ଏହି ସମୟରେ କୃଷି ବିଭାଗ କର୍ମଚାରୀମାନେ ଚାଷୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଏବଂ ପରାମର୍ଶ ଦେବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଏହି ଚାଷରେ ବିଳମ୍ବରେ ଉତ୍ପାଦନ ହେଉଥିବାରୁ ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ କୃଷି ଋଣ ମିଳେ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଯେଉଁଭଳି ଗୁରୁତ୍ବ ଦିଆଯାଉଥିଲା, ବର୍ତ୍ତମାନ ସେହିଭଳି ସ୍ଥିତି ନାହିଁ। ଏପରିକି ୩ ବର୍ଷ ହେଲା ଏ ସଂକ୍ରାନ୍ତରେ ସମୀକ୍ଷା ବୈଠକ ହୋଇ ନଥିବା ଚାଷୀମାନେ ଅଭିଯୋଗ କରନ୍ତି।
ଦ୍ବିତୀୟତଃ ଅଏଲ୍ ପାମ୍ ଫଳର ବିକ୍ରି ପାଇଁ କୌଣସି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍ପି ଧାର୍ଯ୍ୟ ହୋଇନାହିଁ। ଜୁଲାଇ ମାସରେ ଟନ୍ ହିସାବରେ ୧୬ ହଜାର ୬୪୧ ଟଙ୍କା ଦର ଧାର୍ଯ୍ୟ ହୋଇଛି। ଏତିକି ମୂଲ୍ୟରୁ ଚାଷୀଙ୍କୁ ଲାଭ ମିଳୁ ନାହିଁ। ଅନ୍ୟଦିଗରେ ଏହି ଚାଷ ପାଇଁ ପ୍ରଚୁର ପାଣିର ଆବଶ୍ୟକତା ରହିଛି। ବିଶେଷ କରି ଖରାଦିନରେ ଏତେ ପାଣି ଯୋଗାଇବା ସମ୍ଭବ ହେଉ ନ ଥିବାରୁ ବରଗଡ଼ ଓ ନୟାଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଚାଷୀ ସେହିଭଳି ସଫଳ ହୋଇ ପାରିନାହାନ୍ତି। ଗାଈଗୋରୁ ଉପଦ୍ରପ ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହେଉଛି ଏବଂ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ପାମ୍ ତେଲ ଆମଦାନି ଜନିତ ସମସ୍ୟା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମଦାନି ହାର ୯୫ ପ୍ରତିଶତରୁ ୮୦ ପ୍ରତିଶତ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାପରେ ବିଭିନ୍ନ ରାଜ୍ୟରେ ପାମ୍ ଚାଷୀଙ୍କୁ କେନ୍ଦ୍ର ସରକାର ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଦେବ ବୋଲି କୁହାଯାଉଛି। ତେବେ ଏହାର ଲାଭ ଓଡ଼ିଆ ଚାଷୀଙ୍କୁ କେତେ ମିଳିବ ଏହା ଏବେ ବି ଅନିଶ୍ଚିତତା ଭିତରେ ରହିଛି।