ଭୁବନେଶ୍ୱର : ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଗୁରୁବାର ତୁଳନାରେ ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୪୭ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୫୬ ପଇସା ବୃଦ୍ଧି ପାଇଛି। ନିକଟ ଅତୀତରେ ଗୋଟିଏ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଏଭଳି ବୃଦ୍ଧି ପ୍ରାୟତଃ ଦେଖାଦେଇ ନଥିଲା। ଏହି ବୃଦ୍ଧି ଯୋଗୁ ଭୁବନେଶ୍ୱରେ ଭାରତୀୟ ତୈଳ ନିଗମର ପେଟ୍ରୋଲ ପମ୍ପରେ ଲିଟର ପିଛା ପେଟ୍ରୋଲ ଦର ୭୮ ଟଙ୍କା ୮୫ ପଇସା ଏବଂ ଡିଜେଲ ଦର ୭୭ ଟଙ୍କା ୩୩ ପଇସାରେ ପହଞ୍ଚି ଯାଇଛି। ଚଳିତମାସ ଆରମ୍ଭରେ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୭ ଟଙ୍କା ୫୫ ପଇସା ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ୭ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୩୦ ପଇସା ବୃଦ୍ଧି ଘଟିଲାଣି। ସେହିଭଳି ଏହି ୭ ଦିନ ମଧ୍ୟରେ ଡିଜେଲ ଦର ଲିଟର ପିଛା ୧ ଟଙ୍କା ୭୮ପଇସା ମହଙ୍ଗା ହୋଇଗଲାଣି। ଦେଶରେ ପେଟ୍ରୋଲ ଦର ଗତ କିଛିଦିନ ହେଲା କ୍ରମାଗତ ଭାବେ ବଢ଼ି ଚାଲିଥିଲେ ମଧ୍ୟ ସରକାର ଏହାର ଦର ହ୍ରାସ କରି ଖାଉଟିଙ୍କୁ ରିହାତି ଦେବା ଲାଗି କୌଣସି ପଦକ୍ଷେପ ନେଉନାହାନ୍ତି। ଏତଦ୍ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟରେ ଥିବା ପାର୍ଥକ୍ୟ ଦିନକୁ ଦିନ କମିବାରେ ଲାଗିଛି। ଏବେ ପେଟ୍ରୋଲଠାରୁ ଡିଜେଲ ମୂଲ୍ୟ ଲିଟର ପିଛା ମାତ୍ର ୧ ଟଙ୍କା ୫୨ ପଇସା କମ୍ ରହିଛି। ତେବେ ଡିଜେଲ ଦର ଅଧିକ ମାତ୍ରାରେ ବଢ଼ୁଥିବାର ଆଉ ଅଳ୍ପ ଦିନ ମଧ୍ୟରେ ଡିଜେଲ ମୂଲ୍ୟ ପେଟ୍ରୋଲକୁ ଟପିଯିବା ଆଶଙ୍କା ସୃଷ୍ଟି ହୋଇଛି।