ରେକର୍ଡ ଭାଙ୍ଗୁଛି ତେଲ ଦର : ୮୫ ଛୁଇଁଲା ପେଟ୍ରୋଲ
ଭୁବନେଶ୍ୱରରେ ପେଟ୍ରୋଲ ୭୬ ଟଙ୍କା ୨୮ ପଇସା, ଡିଜେଲ ୭୩ ଟଙ୍କା ୪୬ ପଇସା
ଭୁବନେଶ୍ୱର : ପେଟ୍ରୋଲ୍ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। କ୍ରମାଗତ ୧୦ ଦିନ ଧରି ବୃଦ୍ଧି ପାଉଥିବା ପେଟ୍ରୋଲ ଦାମ ମୁମ୍ବାଇରେ ୮୫ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୦ ଟଙ୍କା ଅତିକ୍ରମ କରିଛି। ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୭୬ ଟଙ୍କା ଟପିଯାଇଛି। ଗୁରୁବାର ପାଇଁ ପେଟ୍ରୋଲ୍ ଲିଟର ପିଛା ଦର ୭୬ ଟଙ୍କା ୨୮ ପଇସା ଓ ଡିଜେଲ ଦର ୭୩ ଟଙ୍କା ୪୬ ପଇସା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ମାସ ୧୬ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୭୩ ଟଙ୍କା ୯୪ ପଇସା ଥିଲା। ୧୭ ତାରିଖରେ ତାହା ୭୪ ଟଙ୍କା ଓ ୨୦ ତାରିଖରେ ୭୫ ଟଙ୍କାର ସ୍ତର ଅତିକ୍ରମ କରିଥିଲା। ଆଜି ଏହା ୭୬ ଟଙ୍କା ସ୍ତରକୁ ଟପିଯାଇଛି। ସେହିପରି ଚଳିତ ମାସ ୧୬ ତାରିଖରେ ଡିଜେଲ ମୂଲ୍ୟ ଲିଟର ପିଛା ୭୧ ଟଙ୍କା ୩୫ ପଇସା ଥିଲା। ୧୯ ତାରିଖରେ ତାହା ୭୨ ଟଙ୍କା ସ୍ତର ଟପିଯିବା ପରେ ୨୩ ତାରିଖରେ ୭୩ ଟଙ୍କା ସ୍ତର ଅତିକ୍ରମ କରିଛି।
ଚଳିତ ମାସ ୧୪ ତାରିଖଠାରୁ କ୍ରମାଗତ ଭାବେ ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ିଚାଲିଛି। ପ୍ରତିଦିନ ଲିଟର ପିଛା ୩୦-୪୦ ପଇସାର ବୃଦ୍ଧି ହେଉଛି। ଏହି ୧୦ ଦିନ ଭିତରେ ଉଭୟ ତେଲର ମୂଲ୍ୟରେ ଅଢ଼େଇରୁ ତିନି ଟଙ୍କା ପାଖାପାଖି ବୃଦ୍ଧି ହୋଇସାରିଲାଣି।
କେବଳ ଭୁବନେଶ୍ୱର ନୁହେଁ ସାରା ଦେଶରେ ପେଟ୍ରୋଲ୍ ଓ ଡିଜେଲ ମହଙ୍ଗା ହୋଇଛି। ଆଜି ମୁମ୍ବାଇରେ ପେଟ୍ରୋଲ୍ର ଲିଟର ପିଛା ଦର ୮୪ ଟଙ୍କା ୯୯ ପଇସା ହୋଇଥିବା ବେଳେ ଚେନ୍ନାଇରେ ୮୦ ଟଙ୍କା ୧୧ ପଇସା ଓ ଦିଲ୍ଲୀରେ ୭୭ ଟଙ୍କା ୧୭ ପଇସା ହୋଇଯାଇଛି। ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକ ତୁଳନାରେ ଭୁବନେଶ୍ୱରରେ ଡିଜେଲ ଦର ବହୁତ ଅଧିକ ରହୁଛି।
ତେଲ ଦର କେବେ କମିବ ତାହାର କୌଣସି ସଙ୍କେତ ଏପର୍ଯ୍ୟନ୍ତ ମିଳୁନାହିଁ। ଚଳିତ ସପ୍ତାହରେ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। କିନ୍ତୁ କେଉଁ ଉପାୟରେ ଦର କମାଇବେ ତାହା ଜାଣିପାରୁନାହାନ୍ତି।