ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା: ବିରୋଧୀ

ଭୁବନେଶ୍ବର : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୩୦ ଡଲାର ରହିଛି। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ପାଦନ ଶୁଳ୍କ ଓ ଭାଟ୍‌ ଟିକସ ବୃଦ୍ଧି କରି ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟ ବଢ଼ାଇ ଚାଲିଛନ୍ତି। କରୋନା ମହାମାରୀର ପ୍ରକୋପରେ ସାଧାରଣ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ଉଭୟ ସରକାର ବୋଝ ଉପରେ ନଳିତା ବିଡ଼ା ଲଦିବା ଭଳି କାର୍ଯ୍ୟ କରୁଛନ୍ତି। ଗତକାଲି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ଟିକସ ବୃଦ୍ଧି କରିବା ପରେ ଆଜି ଏପରି ସମାଲୋଚନା କରିଛନ୍ତି ବିରୋଧୀ। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ତେଲ ଦର ବୃଦ୍ଧି ଦରଦାମ ବୃଦ୍ଧି କରିବ ଓ ଲୋକମାନେ ଆହୁରି ହିନସ୍ତା ହେବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସିଧା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅନ୍ୟପଟେ ପରିବହନ ମନ୍ତ୍ରୀଙ୍କ କହିବା କଥା, ଆର୍ଥିକ ସ୍ଥିତିକୁ ଦେଖି ସରକାର ଏପରି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତି ଜାରି କରି କହିଥିଲେ, କିଛି ଦିନ ତଳେ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି କରିଥିଲେ। ଏବେ ଓଡ଼ିଶା ସରକାର ପେଟ୍ରୋଲ ଲିଟିର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୩ ପଇସାକୁ ବଢ଼ାଇଛନ୍ତି। ବାସ୍ତବରେ ତୈଳ ମୂଲ୍ୟ ଲିଟର ପିଛା ୨୦ ଟଙ୍କା ଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୪୮ରୁ ୫୨ ଟଙ୍କା ଲୋକଙ୍କଠାରୁ ଲୁଟି ଚାଲିଛନ୍ତି। ପେଟ୍ରୋଲରେ କେନ୍ଦ୍ର ସରକାର ୩୩ ଟଙ୍କା ପାଉଥିବାବେଳେ ରାଜ୍ୟ ସରକାର ୧୭ ଟଙ୍କା ଭାଗ ପାଉଛନ୍ତି। ସେହିପରି ଡିଜେଲ୍‌ରେ ଲିଟର ପିଛା କେନ୍ଦ୍ର ୩୩ ଟଙ୍କା ଭାଗ ପାଉଛି ଓ ରାଜ୍ୟ ପାଉଛି ୧୪ ଟଙ୍କା। କରୋନା ମହାମାରୀ ସମୟରେ ଲୋକେ ଆର୍ଥିକ ଦୂରବସ୍ଥା ଦେଇ ଗତି କରି ହଇରାଣ ହେଉଥିବାବେଳେ ଏ ଦର ବୃଦ୍ଧି ସେମାନଙ୍କୁ ଆହୁରି କଷ୍ଟ ଦେବ। ଏପରି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି କି ସେମାନଙ୍କର ଆର୍ଥିକ ଅବସ୍ଥାକୁ ତଳିତଳାନ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ତାହା ବୁଝି ହେଉନି। ପ୍ରତିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ୟାକେଜ୍‌ ଘୋଷଣା କରିଚାଲିଛନ୍ତି। ତାକୁ ସମୀକ୍ଷା କଲେ ଜଣାପଡ଼ିବ, ଏହି ପ୍ୟାକେଜ୍‌ ସବୁ ଲୋକଙ୍କୁ ଲୁଟିବାର ଗୋଟିଏ ରାସ୍ତା ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ।

ଚଳିତ ମାସ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ କିନ୍ତୁ ଖାଉଟିଙ୍କ ପାଇଁ ଦର ବୃଦ୍ଧି ହୋଇନଥିଲା। ଏବେ ସାରା ଦେଶ କରୋନା ସ୍ଥିତିର ମୁକାବିଲା ପାଇଁ ସଂଗ୍ରାମ ଜାରି ରଖିଥିବାବେଳେ ଏପରି ସମୟରେ ରାଜ୍ୟ ସରକାରଙ୍କ କଣ ଆବଶ୍ୟକତା ପଡ଼ିଲା ଯେ, ଭାଟ ବୃଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଦରକାର ବୋଲି ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ। ବିରୋଧୀଙ୍କୁ ଜବାବ ଦେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ତାଲାବନ୍ଦ ସ୍ଥିତିରେ ଯାହା ଆବଶ୍ୟକ ରାଜ୍ୟ ସରକାର ସେସବୁ ପଦକ୍ଷେପ ନେଇଚାଲିଛନ୍ତି। ପେଟ୍ରୋଲ ଓ ଡିଜେଲ୍‌ ଉପରେ ସରକାର ସାମାନ୍ୟ ଭାଟ୍‌ ଟିକସ ବୃଦ୍ଧି କରିଛନ୍ତି। ବିରୋଧୀ ସ୍ଥିତିକୁ ନ ପରଖି କେବଳ ସମାଲୋଚନା ଆଳରେ ସରକାରଙ୍କ ତ୍ରୁଟି ବାହାର କରିଚାଲିଛନ୍ତି।

ସମ୍ବନ୍ଧିତ ଖବର