ଓଡ଼ିଶା‌ରେ ୧୦୦ ଛୁଇଁଲା, କାଲିମେଳାରେ ପେଟ୍ରୋଲ୍‌ ୧୦୦ ଟଙ୍କା ୨୯

ଶକ୍ତିକାନ୍ତ କହିଲେ ଟିକସ କମାଅ, ‌ଶୀଘ୍ର କମିବ ତେଲ ଦର: ଧର୍ମେନ୍ଦ୍ର

କାଲିମେଳା: ଦୁଇ ଦିନ ଦର ଅପରିବର୍ତ୍ତିତ ରହିବା ପରେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପେଟ୍ରୋଲ ଦର ଶହେ ଟପିଛି। ଦୁଇ ଦିନ ତଳେ କାଲିମେଳା ସ୍ଥିତ ଭାରତ ପେଟ୍ରୋଲିୟମର ପମ୍ପରେ ସାଧାରଣ ପେଟ୍ରୋଲ ଦର ୯୬ଟଙ୍କା ୭୮ ପଇସା ଏବଂ ସ୍ପିଡ୍ ପେଟ୍ରୋଲ ଦର ୯୯ଟଙ୍କା ୯୩ ପଇସା ରହିଥିଲା। ଆଜି ୩୬ ପଇସା ବଢ଼ିବା ପରେ ପଟ୍ରୋଲ ଦର ଯଥାକ୍ରମେ ୯୭ ଟଙ୍କା ୧୪ପଇସା (ସାଧାରଣ) ଏବଂ ୧୦୦ଟଙ୍କା ୨୯ ପଇସା (ସ୍ପିଡ୍) ରହିଛି। ଏହା ହେଉଛି ଓଡ଼ିଶାରେ ସର୍ବାଧିକ ପେଟ୍ରୋଲ ଦର। ସେହିପରି ଡିଜେଲ ଦର ମଧ୍ୟ ଆଜି ୩୮ପଇସା ବଢ଼ିଛି। କାଲିମେଳାରେ ଆଜି ଡିଜେଲ ଦର ୯୩ ଟଙ୍କା ୮୬ ପଇସା ରହିଛି।

ଚଳିତ ମାସ ୯ତାରିଖ ଠାରୁ କ୍ରମାଗତ ଭାବେ ଉଭୟ ପଟ୍ରୋଲ ଏବଂ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ତେବେ ଗତ ୨୧ ଏବଂ ୨୨ତାରିଖ ଦୁଇଦିନ ଧରି ଦର ପରିବର୍ତ୍ତନ ହୋଇ ନଥିଲା। ଆଜି ପୁଣି ଦର ବଢ଼ିବା ସହ ରାଜ୍ୟର ଉପାନ୍ତ ଅଞ୍ଚଳରେ ଶତକ ପାର କରିଛି ସ୍ପିଡ୍ ପେଟ୍ରୋଲ ଦର। ଯଦି ଆସନ୍ତାକାଲି ମଧ୍ୟ ଦର ବଢ଼ିବ ତେବେ ସାଧାରଣ ପେଟ୍ରୋଲ ଦର ମଧ୍ୟ ଶତକ ନିକଟତର ହେବ ବୋଲି କୁହାଯାଉଛି।

ମୁମ୍ବାଇ: ତେଲ ଉପରେ ଟିକସ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଆହ୍ବାନ ଦେଇଛନ୍ତି। ପରୋକ୍ଷ ଟିକସ କମ୍ ହେବା ଦରକାର ବୋଲି ଯୁକ୍ତି ବାଢ଼ିଛନ୍ତି। ଏହା ହେଲେ ତେଲ ଦାମ୍ କମିବ। ସେ କହିଛନ୍ତି ଯେ ଭାରତରେ ତେଲ ଟିକସ ହାର ଅତ୍ୟଧିକ ଉଚ୍ଚ ସ୍ତରରେ ରହିଛି। ଇତିମଧ୍ୟରେ କିଛି ରାଜ୍ୟ ଟିକସ ହ୍ରାସ କରିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ସେମାନଙ୍କୁ ଅନୁସରଣ କଲେ କେବଳ ସେହି ରାଜ୍ୟଗୁଡ଼ିକରେ ନୁହେଁ ବରଂ ସାରା ଦେଶରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ ନିୟନ୍ତ୍ରଣକୁ ଆସିବ। ତେଲ ଦାମ୍ ହ୍ରାସ କରିବା ଲାଗି ପରୋକ୍ଷ ଟିକସରେ ହ୍ରାସ ଜରୁରୀ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ=: ‌କୋଭିଡ୍‌ ମହାମାରୀ ପ୍ରଭାବ ଯୋଗୁଁ ବିଶ୍ବ‌ ସ୍ତରରେ ତେଲର ଯୋଗାଣ ଓ ଉତ୍ପାଦନ ପ୍ରଭାବିତ ହୋଇଛି। ସେଥିପାଇଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ ବଢ଼ୁଛି। ଫଳରେ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ମହଙ୍ଗା ‌‌ହେଉଛି। ତେବେ ତେଲ ଦାମ୍ ଶୀଘ୍ର କମିବ ବୋଲି ଆଶା ଦେଖାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ କହିଛନ୍ତି ଯେ ତେଲରୁ ସଂଗ୍ରହ ହେଉଥିବା ରାଜସ୍ବ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉଛି। କୋଭିଡ୍ ମହାମାରୀ ପାଇଁ ଟିକସ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ତେଲ ଟିକସରୁ ସଂଗ୍ରହ ହେଉଥିବା ରାଜସ୍ବରେ ବିକାଶ କାର୍ଯ୍ୟ ଜାରି ରହିଛି। ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ତେଲ ଦର ନିୟନ୍ତ୍ରଣ ମଧ୍ୟକୁ ଆସିବ ବୋଲି ସେ କହିଛନ୍ତି। ପେଟ୍ରୋଲିୟମ୍ ସାମଗ୍ରୀଗୁଡ଼ିକୁ ଜିଏସ୍‌ଟି ପରିସରରେ ସାମିଲ କରିବା ଲାଗି ପେଟ୍ରୋଲିୟ ମନ୍ତ୍ରଣାଳୟ ରାଜି ଥିଲେ ମଧ୍ୟ ଏପ୍ରସଙ୍ଗରେ ଜିଏସ୍‌ଟି ପରିଷଦକୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡ଼ିବ।

ଏହି ପ୍ରସ୍ତାବକୁ ଗୁରୁତ୍ବର ସହ ବିଚାର କରିବାକୁ ସେ ଜିଏସ୍‌ଟି ପରିଷଦକୁ ଆହ୍ବାନ ଦେଇଛନ୍ତି। ଜିଏସ୍‌ଟି ପରିଷଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଅଛନ୍ତି ଓ ସବୁ ନିଷ୍ପତ୍ତି ସହମତି ଭିତ୍ତିରେ ଗ୍ରହଣ କରାଯାଏ। ଏବେ ଜିଏସ୍‌ଟି ପାଇଁ ଚାରିଟି ସ୍ଲାବ୍‌ ଯଥା ୫%, ୧୨%, ୧୮% ଓ ୨୮% ରହିଛି। ଯଦି ପେଟ୍ରୋଲ୍ ଓ ଡିଜେଲ୍ ଜିଏସ୍‌ଟିରେ ସାମିଲ ହେବ ତେବେ ସର୍ବାଧିକ ୨୮% ଭାଟ୍‌ ଲାଗିପାରିବ ଯାହା ଏହି ଦୁଇ ଇନ୍ଧନର ଦର ହ୍ରାସ କରିବାରେ ବିଶେଷ ସହାୟକ ହୋଇପାରିବ। ଏବେ ପେଟ୍ରୋଲ୍ ଓ ଡିଜେଲ୍‌ରେ ୬୦% ପାଖାପାଖି ଟିକସ ରହିଛି।

ସମ୍ବନ୍ଧିତ ଖବର