ନିର୍ବାଚନ ସରିଲା ପରେ ତେଲ ବଢ଼ିଲା, କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର : ନିର୍ବାଚନ ଯେତେବେଳେ ହେଉଛି, ସେତେବେଳେ ଦେଖାଯାଉଛି ଯେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହୁଛି। ହେଲେ ନିର୍ବାଚନ ସରିବା ମାତ୍ରେ ତୈଳଦର ବଢ଼ୁଛି। ଏମିତି ମନ୍ତବ୍ୟ ଦେଇ ଆଜି ବିଜେଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ବିଜେଡି ସଂଗଠନ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା ଆଜି ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ଯେ ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି। ପ୍ରତିଦିନ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୪ ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ବହୁ ରାଜ୍ୟରେ ଲକ୍‌ଡାଉନ୍‌ ସଟ୍‌ଡାଉନ୍ ଆଦି କଟକଣା ଜାରି ରହିଛି। ଏଥିଯୋଗୁ ଦୋକାନ, ବଜାର ବନ୍ଦ। ଗାଡ଼ି ମଟର ଚଳାଚଳ ବି ପୂର୍ବାପେକ୍ଷା କମିଛି। କରୋନା ମହାମାରୀ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ବର୍ଗର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି।ହେଲେ ଏଭଳି ସଂକଟଜନକ ପରିସ୍ଥିତିରେ ତୈଳଦର ବୋଝ ଉପରେ ନଳିତା ବିଡ଼ା ସାଜିଛି । ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପର ଠାରୁ ପ୍ରତିଦିନ ତୈଳଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି ବୋଲି ବିଜେଡି କହିଛି।

ଶ୍ରୀ ଦାସବର୍ମା କହିଛନ୍ତି, ଚଳିତବର୍ଷ ଏପ୍ରିଲ୍ ୧୫ ତାରିଖରେ ଶେଷଥର ପାଇଁ ତୈଳଦର ପରିବର୍ତ୍ତନ ହୋଇଥିଲା।ଏହାପରେ ନିର୍ବାଚନ ଥିବାରୁ ତୈଳଦର ବୃଦ୍ଧି ହୋଇନଥିଲା। ହେଲେ ଗତ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ ତାରିଖ ଠାରୁ ତେଳଦର ବଢ଼ିଚାଲିଛି। ଦେଶର କିଛି ସହରରେ ଏବେ ପେଟ୍ରୋଲ ଦର ୧ଠଠ ପାର୍ କରିଯାଇଥିବାବେଳେ ଡିଜେଲ୍ ଲିଟର ପିଛା ୯୫ ଟଙ୍କାକୁ ବଢ଼ିଛି। ଅଧିକାଂଶ ସହରରେ ପେଟ୍ରୋଲ୍ ଦର ୧ଠଠ ନିକଟବର୍ତ୍ତୀ ରହିଛି। ସାଧାରଣ ଲୋକଙ୍କ ଉପରେ ମହାମାରୀ ଭଳି କଠିନ ସମୟରେ ମହଙ୍ଗା ମାଡ଼କୁ ସେ ନିନ୍ଦା କରିଛନ୍ତି।

ସେ ଆହୁରି କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ଗତ ୪ ଦିନରେ ୯୨ ପଇସା ତୈଳଦର ବଢ଼ିଛି। ୪ ତାରିଖରେ ୧୯ ପଇସା, ୫ ତାରିଖରେ ୧୯ ପଇସା, ୬ ତାରିଖରେ ୨୫ ପଇସା ଏବଂ ୭ ତାରିଖରେ ୨୯ ପଇସା ପେଟ୍ରୋଲ୍ ଦର ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଗତ ୪ଦିନରେ ଡିଜେଲ୍ ଦର ୧ ଟଙ୍କା ୧୩ ପଇସା ବୃଦ୍ଧି ପାଇସାରିଲାଣି। ଅଚ୍ଛେଦିନ୍‌ର ନାରା ଦେଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା । ହେଲେ ସେ ଅଚ୍ଛେଦିନ୍ ନାରା ଏବେ ବୁରେଦିନ୍‌ରେ ପରିଣତ ହୋଇଛି। ମହଙ୍ଗା ମାଡ଼ରେ ଲୋକେ ତ୍ରାହିତ୍ରାହି ଡାକିଲେଣି। ପେଟ୍ରୋଲ, ଡିଜେଲର କ୍ରମାଗତ ମୂଲ୍ୟବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ ହେବାରେ ଲାଗିଛି।

ଚଳିତ କେନ୍ଦ୍ର ବଜେଟ୍‌ରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ସରକାର କୃଷି ସେସ୍ ଲଦି ଦେଇ ଆଶ୍ୱାସନା ଦେଇଥିଲେ କି ତୈଳଦର ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି। ଖୋଦ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏ ବକ୍ତବ୍ୟ ପାଣିର ଗାର ସଦୃଶ ହୋଇଛି। ଏଭଳି ଅଭିଯୋଗ ଆଣି ବିଜେଡି କହିଛି, ପରେ ଟିକସ ଲଦି ଜନସାଧାରଣଙ୍କୁ ଶୋଷଣ କରାଯାଉଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ। ନଚେତ୍ ଆଗାମୀ ଦିନରେ ସାଧାରଣ ଜନତା ବିଜେପି ସରକାରର ଦୋମୁହାଁ ନୀତିର ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର