ତୈଳଭଣ୍ଡାର ପ୍ରକଳ୍ପ ଅଟକାଇ ଦେଲେ, ସ୍ବପ୍ନ‌ ହୋଇଗଲା ୩୮୦୦ କୋଟିର ପ୍ରକଳ୍ପ

ଆନ୍ଧ୍ର, କର୍ଣ୍ଣାଟକରେ ହେଲା, ଧର୍ମେନ୍ଦ୍ରଙ୍କ ରାଜ୍ୟରେ ହେଲାନି
ଗୁରୁତ୍ବ ଦେଉ ନାହାନ୍ତି କେନ୍ଦ୍ର, ରାଜ୍ୟ

ଯାଜପୁର : ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡ଼ ତଳେ ୩୮ଶହ କୋଟି ଟଙ୍କା ବ୍ୟୟରେ ତୈଳ ପ୍ରକଳ୍ପ ହେବ। ପେଟ୍ରୋଲିୟମ୍ ବିଭାଗ ଦାୟିତ୍ବରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମିତି ଗୋଟିଏ ବଡ ଘୋଷଣା କରିଥିଲେ। ଏହି ଘୋଷଣାକୁ ପାଞ୍ଚବର୍ଷ ଛୁଇଁଲାଣି। ସମାନ ସମୟରେ ଘୋଷଣା ହୋଇଥିବା ଆନ୍ଧ୍ରପ୍ରଦେଶର ମାଙ୍ଗାଲୋର ଓ କର୍ଣ୍ଣାଟକର ପୁଡୁଲର ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇସାରିଛି। ଗତବର୍ଷ ଧର୍ମେନ୍ଦ୍ରଙ୍କର ବିଭାଗ ବଦଳିଗଲା; ଅଥଚ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏକଥା ନୁହେଁ ଯେ ଏଥିପାଇଁ ଅନୁଦାନ ବ୍ୟବସ୍ଥା ନଥିଲା। ବରଂ ଅନୁସନ୍ଧାନରୁ ଯାହା ଜଣାପଡୁଛି, କଳାପଥର କେଳେଙ୍କାରୀ ପାଇଁ ଏହି ବୃହତ୍‌ ପ୍ରକଳ୍ପ ବଳି ପଡ଼ିଗଲା। କଳାପଥର ବ୍ୟବସାୟୀ ଏବଂ ଅସାଧୁ ଗୋଷ୍ଠୀ ଯୋଜନାବଦ୍ଧ ଭାବେ ବିରୋଧ କରି କେନ୍ଦ୍ର ସରକାରଙ୍କ ଏହି ଭୂତଳ ‌ତୈଳ ସଂରକ୍ଷଣ ଭଣ୍ଡାରକୁ ଅଟକାଇ ଦେଇଛନ୍ତି। ରାଜ୍ୟ ସରକାର ବି ନିରବଦ୍ରଷ୍ଟା। ଉଭୟ କେନ୍ଦ୍ର-ରାଜ୍ୟ ମଧ୍ୟରେ ସର୍ବନିମ୍ନ ସମନ୍ବୟ ପରିଲକ୍ଷିତ ହେଉନାହିଁ।

ଧର୍ମେନ୍ଦ୍ର ବିଭାଗ ବଦଳାଇବା ପରେ ଆଉ ତନାଘନା କରୁନାହାନ୍ତି କିମ୍ବା ବର୍ତମାନର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଏହି ପ୍ରକଳ୍ପକୁ ଯେତିକି ଗୁରୁତ୍ବ ଦେବା କଥା ତାହା ପରିଲକ୍ଷିତ ହେଉନାହିଁ। ପରିଣାମ ହେଲା, ଏହି ପ୍ରକଳ୍ପର ଭାଗ୍ୟ ସରକାରୀ ନଥି ଭିତରେ ବନ୍ଧା ପଡ଼ିଛି ଏବଂ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇଥିଲେ ଯେତିକି ଲୋକ ନିଯୁକ୍ତି ପାଇଥାନ୍ତେ, ସେ ବାଟ ବି ବନ୍ଦ। ଆହୁରି ସାଂଘାତିକ କଥା ହେଲା, ନିକଟରେ ଡଙ୍କାରୀ ପାହାଡ଼ରେ ୬ଟି ସୈରାତକୁ ଧର୍ମଶାଳା ତହସିଲ ପୁଣି ନିଲାମ କରିଛି। ପରୋକ୍ଷରେ କହିଲେ, ରାଜସ୍ବ ଆଳରେ ପ୍ରସ୍ତାବିତ ଭୂତଳ ‌ତୈଳ ସଂରକ୍ଷଣ ଭଣ୍ଡାରକୁ ଏକ ପ୍ରକାର ଆହୁତି ଦିଆଯାଇଛି।

orissapost.com

୨୦୧୭-୧୮ ଆର୍ଥିକବର୍ଷରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ ତଳେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପାଇଁ କେନ୍ଦ୍ର ସରକାରଙ୍କର ପେଟ୍ରୋଲିୟମ୍ ମନ୍ତ୍ରାଳୟ ଘୋଷଣା କରିଥିଲେ। ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭିନ୍ନ ଭିନ୍ନ ସମୟରେ ଅଞ୍ଚଳ ଗସ୍ତ କରି ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ଦେଇଥିଲେ। ‌ଧର୍ମଶାଳା ତହସିଲର ଡଙ୍କାରୀ ମୈାଜା ଖାତା ନମ୍ବର ୨୨୧, ପ୍ଲଟ୍ ନମ୍ବର ୬୦୦ ରେ ୪ଶହ ଏକର ଜମିକୁ ନେଇ ପାହାଡ଼ ତଳେ ଏହି ପ୍ରକଳ୍ପର ପ୍ରସ୍ତାବ ରହିଛି। ୨୦୧୮ ଜୁନ୍‌ରେ ୩୮୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ୧୦କିମି ‌ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ୧୦ଟି କଳାପଥର ଖାଦାନ ଓ କ୍ରସର ବନ୍ଦ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ୨୦୧୮ ମାର୍ଚ୍ଚ ୨୦ରେ ନିର୍ଦ୍ଦେଶ ଦେଇଥିଲେ। ମାତ୍ର, ଧର୍ମଶାଳା ତହସିଲରେ ଲଘୁଖଣିଜ ସମ୍ପଦ କାରବାରରେ ହଜାର ହଜାର କୋଟି ଟଙ୍କା ମୁନାଫା କରୁଥିବା ପ୍ରଭାବଶାଳୀ ଏମିତି ଗୋଟିଚାଳନା କଲେ ଯେ ଏହି ପ୍ରକଳ୍ପ ସଂକ୍ରାନ୍ତ ଫାଇଲ ବିଶେଷ ଆଗେଇଲା ନାହିଁ। ଓଲଟା ଡଙ୍କାରୀ ପାହାଡ଼ରେ ଏକାଧିକ କଳାପଥର ଖାଦାନ ବିବାଦକୁ ନେଇ ହାଇକୋର୍ଟ, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟରେ ମାମଲା ହେଲା, ଯାହା ଏବେ ଜାରି ରହିଛି। ଏସବୁ ମାମଲା ଫଏସଲା ଦିଗରେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ କେହି ସ୍ବତନ୍ତ୍ର ଉଦ୍ୟମ କରୁନାହାନ୍ତି।

ଉଲ୍ଲେଖଥାଉକି, ଡଙ୍କାରୀ ତୈଳଭଣ୍ଡାର କାର୍ଯ୍ୟକାରୀ ହୋଇଥିଲେ ସିଧାସଳଖ ୫ଶହ ନିଯୁକ୍ତି ଓ ହଜାର ହଜାର ଲୋକ ଆତ୍ମନିଯୁକ୍ତି ସହିତ ଅଞ୍ଚଳର ବିକାଶ ତ୍ବରାନ୍ବିତ ହୋଇପାରିଥା’ନ୍ତା। ଏପରିକି ଖଣିଖାଦାନ ଦ୍ବାରା ପ୍ରଦୂଷଣରେ ଅଣନିଶ୍ବାସୀ ହେଉଥିବା ଅଞ୍ଚଳବାସୀ ବିକାଶରେ ସାମିଲ ‌ହୋଇଥା’ନ୍ତେ।

ସମ୍ବନ୍ଧିତ ଖବର