ଟ୍ୟାଙ୍କର ଓଲଟି ସୁନ‌ାନଦୀରେ ତେଲ ମିଶିଲା, ମାଛ ମରି ଭାସିଲେ

ଯୋଡ଼ା : ଯୋଡ଼ାସ୍ଥିତ ୫୨୦ ନମ୍ବର ଜାତୀୟ ରାଜପଥର ତଲକହଟିଂଠାରେ ଗତକାଲି ରାତିରେ ଏକ ତେଲ ଟ୍ୟାଙ୍କର ଓଲଟି ପଡ଼ିଛି। ତେଲ ବୋହିଯାଇ ସ୍ଥାନୀୟ ବସ୍ତିରେ ପଶିଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ସେହିପରି ସୁନାନଦୀରେ ମଧ୍ୟ ତେଲ ମିଶିଛି। ଫଳରେ ବହୁ ସଂଖ୍ୟାରେ ମାଛ ଓ ଅନ୍ୟାନ୍ୟ ଜଳଜୀବ ମରି ଭାସୁଥିବା ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ଟ୍ୟାଙ୍କର (ୟୁପି-୧୭ଟି-୮୧୧୪) ବଡ଼ବିଲସ୍ଥିତ ଏକ କାରଖାନାକୁ ବ୍ଲାଷ୍ଟ ଫର୍ଣ୍ଣେସ ତେଲ ନେଇଯାଉଥିଲା। କଳାପାହାଡ଼ ଘାଟି ଚଢ଼ି ନପାରି ଟ୍ୟାଙ୍କରଟି ପଛକୁ ଖସିବା ସହ ଓଲଟି ପଡ଼ିଥିଲା। ଟ୍ୟାଙ୍କରରେ ଥିବା ତେଲ ସ୍ଥାନୀୟ ବୋହିଯାଇ ବସ୍ତିରେ ପଶିବା ସହ ନିକଟସ୍ଥ ସୁନାନଦୀ ପାଣିରେ ମିଶିଥିଲା। ବିଷାକ୍ତ ତେଲ ଯୋଗୁଁ ନଦୀରେ ମାଛ, ବେଙ୍ଗ, ସାପ, ପୋକ ମରି ଭାସୁଥିବା ଆଜି ସ୍ଥାନୀୟ ଲୋକେ ଦେଖିଥିଲେ।

ସୁନାନଦୀ ପାଣିକୁ ତଲକହଟିଂ, ମୁଟୁଦା, ଲହଣ୍ତା, କାଳିଆବେଡ଼ା, ବିରିକଳା ଓ କଣ୍ତରା ଗ୍ରାମର ଲୋକେ ବ୍ୟବହାର କରିବା ସହ ସହରର ବିଭିନ୍ନ ସ୍ଥାନକୁ ଏଠାରୁ ଜଳ ଯୋଗାଣ ହେଉଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ତେଲ ଟ୍ୟାଙ୍କରକୁ ଜବତ କରିଛି। ସ୍ଥାନୀୟ ବସ୍ତିରୁ ତେଲ ସଫା କରାଯାଇ ନଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଛି। ତେବେ ଟ୍ୟାଙ୍କରଟି ଓଲଟିବା ପୂର୍ବରୁ ଡ୍ରାଇଭର ଓ ହେଲ୍‌ପର୍‌ ଗାଡ଼ିରୁ ଓହ୍ଲାଇ ଯାଇଥିଲେ। ଫଳରେ ସେମାନେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯୋଡ଼ା ଥାନା ଅଧିକାରୀ ରାଇସେନ ମୁର୍ମୁ କହିଛନ୍ତି।

ସମ୍ବନ୍ଧିତ ଖବର