ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ନବନିର୍ମିତ ଆଜାଦ ପାର୍କ ସମ୍ମୁଖରେ ମଙ୍ଗଳବାର ଏକ ବାଇକ୍ (ଓଡି ୨୩ଏ-୨୪୮୭)କୁ ଏକ ତେଲବାହୀ ଟ୍ୟାଙ୍କର (ଓଆର୍ ୨୩ଇ-୮୦୮୬) ଧକ୍କା ଦେବାରୁ ବାଇକ୍ରେ ବସିଥିବା ମହିଳା ପ୍ରତିମା ରାଉତ (୫୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବାଇକ୍ ଚଳାଉଥିବା ସ୍ବାମୀ ରମେଶ ରାଉତ (୬୪) ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ଦିନ ପ୍ରାୟ ୧୨.୪୫ରେ ଘଟିଛି। ଆହତ ରମେଶଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଦରିଆମାଲ ଗ୍ରାମରେ।
ସ୍ବାମୀ-ସ୍ତ୍ରୀ ବାଇକ୍ରେ ବନ୍ଧବାହାଲ ବିଓସିଏମ୍ କୋଇଲା ଖଣିରେ କାମ କରୁଥିବା ବଡ଼ ଝିଅ ରଶ୍ମିରେଖା ରାଉତଙ୍କ ପାଖକୁ ଯାଉଥିଲେ। ଦୁର୍ଘଟଣାରେ ବାଇକ୍ଟି ଟ୍ୟାଙ୍କର ଭିତରକୁ ପଶି ଯାଇଥିଲା। ରମେଶଙ୍କୁ ସଙ୍ଗେ ସଙ୍ଗେ ମଣ୍ଡଳିଆର କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଜାତୀୟ ରାଜପଥରେ ୧ ଘଣ୍ଟା ପାଇଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଖବରପାଇ ଓରିଏଣ୍ଟ ଥାନା ଅଧିକାରୀ କଲ୍ୟାଣୀ ବେହେରା, ବ୍ରଜରାଜନଗର ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ, ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଭୂଷଣ ପୋଢ଼ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଥିଲେ। ପୁଲିସ୍ ତେଲ ଟ୍ୟାଙ୍କର୍କୁ ଜବତ କରିଥିବା ବେଳେ ଚାଳକ ଫେରାର୍ ଥିବା ଜଣାପଡ଼ିଛି। ଥାନାଧିକାରୀ ଶ୍ରୀମତୀ ବେହେରା ମାମଲାର ତଦନ୍ତ କରୁଛନ୍ତି।
ସୂଚନାଯୋଗ୍ୟ ଆଜାଦ ପାର୍କ ସମ୍ମୁଖରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହି ଛକଟି ଜାତୀୟ ରାଜପଥ ଅଧୀନରେ ଆସୁଥିବାରୁ ଦୁର୍ଘଟଣା ଏଡ଼ାଇବା ପାଇଁ ଏହାର ମରାମତି ଓ ନବୀକରଣ ଜରୁରୀ ବୋଲି ଦାବି ହୋଇଛି।