ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର: ଗୁରୁତର ଡ୍ରାଇଭରକୁ ଚିକିତ୍ସା ପାଇଁ ଭର୍ତ୍ତି କଲେ ବିଏସ୍‌ଏଫ୍‌ ଯବାନ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ଶରନ୍ଦାଯୋଡି ଗ୍ରାମ ନିକଟସ୍ଥ ଘାଟି ରାସ୍ତାରେ ଏକ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ଦୁର୍ଘଟଣାରେ ଟ୍ୟାଙ୍କର ଡ଼୍ରାଇଭରର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ସୂଚନା ଅନୁଯାୟୀ, ପାରାଦୀପରୁ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଡିଜେଲ ଟ୍ୟାଙ୍କର (ଓଡି ୦୨ ସି ୯୬୬୭) ସନ୍ଧ୍ୟାରେ ଶରନ୍ଦାଯୋଡି ନିକଟସ୍ଥ ଘାଟି ରାସ୍ତାରେ ହଠାତ୍ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଡ୍ରାଇଭର ରତ୍ନାକର ଗୈାଡ ଆହତ ହୋଇଥିଲେ। ବୈପାରିଗୁଡା ସ୍ଥିତ ୧୫୧ ବିଏସଏଫ ଯବାନ ମାନେ ପେଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣା ଦେଖି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର ରତ୍ନାକରକୁ ନିଜ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଘଟଣା ସଂପର୍କରେ ଖବର ପାଇ ବୈପାରିଗୁଡା ପୁଲିସ ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ୟାଙ୍କରର ଟ୍ୟାଙ୍କ ଫାଟି ଯିବାରୁ ପେଟ୍ରୋଲ ଓ ଡିଜେଲ ବହିବା ଆରମ୍ଭ ହୋଇଥିଲା। ପେଟ୍ରୋଲରେ ନିଆଁ ଲାଗି କୈାଣସି ଅଘଟଣ ନଘଟିବା ପାଇଁ ଅଗ୍ନିଶମ ବାହିନୀକୁ ଡକା ଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଫମ୍ କମ୍ପାଉଣ୍ଡ ଲିକ୍ୟୁଡ୍ ମାଧ୍ୟମରେ ପେଟ୍ରୋଲ ଓ ଡିଜେଲରୁ ବାହାରୁଥିବା ଗ୍ୟାସକୁ ନିଷ୍କ୍ରିୟ କରିଥିଲେ ଏବଂ କୈାଣସି ଅଘଟଣ ନଘଟିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ। ବୈପାରିଗୁଡା ଥାନା ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର