ସାଢ଼େ ୪ ବର୍ଷରେ ତୈଳ ଟିକସ ଦୁଇ ଗୁଣ ବୃଦ୍ଧି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : କେନ୍ଦ୍ର ସରକାର ଦିନକୁ ଦିନ ତୈଳ ଦର ବୃଦ୍ଧି କରୁଛନ୍ତି। ଅର୍ନ୍ତଜାତୀୟସ୍ତରରେ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି। କିନ୍ତୁ ବାସ୍ତବରେ କେନ୍ଦ୍ରମନ୍ତ୍ରୀ ଦେଶବାସୀଙ୍କୁ ଭକୁଆ ବନାଉଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅଶୋଧିତ ତୈଳର ମୂଳ ଦର ଅନ୍ତର୍ଜାତୀୟ ବଜାରରେ ଗତ ସାଢ଼େ ୪ ବର୍ଷ ମଧ୍ୟରେ ଭାରତୀୟ ମୁଦ୍ରାରେ ପ୍ରାୟ ୧୦ ଟଙ୍କା କମିଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ତାହା ଉପରେ ନିଜର ଟିକସ ବୋଝ ବଢ଼ାଇ ଚାଲିଛନ୍ତି। ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୪ ଏପ୍ରିଲ ୨ରେ ଟିକସ ଲାଗୁ ପୂର୍ବରୁ ପେଟ୍ରୋଲ ଦର ଲିଟର ପିଛା ୪୮.୭୯ ଟଙ୍କା ଥିଲା। ଏବେ ୩୯ ଟଙ୍କାକୁ ଖସି ଆସିଛି। ସେହିପରି ଡିଜେଲ୍‌ ଦର ଅପରିବର୍ତ୍ତିତ ଥିବା ବେଳେ ପେଟ୍ରୋଲ, ଡିଜେଲ୍‌ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ମାତ୍ରାଧିକ ଟିକସ ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଦର ବୃଦ୍ଧିର ସିଧାସଳଖ ପ୍ରଭାବ ପରିବହନ ଉପରେ ପଡ଼ୁଛି। ପରିବହନ ଭଡ଼ା ବୃଦ୍ଧିଜନିତ ପ୍ରତିକୂଳ ପ୍ରଭାବ କୃଷି କ୍ଷେତ୍ର ଉପରେ ପଡ଼ିଛି। ବସ୍‌ ଭଡ଼ା ବୃଦ୍ଧି ଓ ଟ୍ରାକ୍ଟରରେ ଚାଷ ଖର୍ଚ୍ଚ ବୃଦ୍ଧି ଚାଷୀଙ୍କ ଉପରେ ପ୍ରଭାବ ପକାଉଛି। ପେଟ୍ରୋଲ ଓ ଡିଜେଲ୍‌ ଉପରୁ ଉଭୟ ସରକାର ବିପୁଳ ଟିକସ ସଂଗ୍ରହ କରି ବୃହତ୍‌ ଶିଳ୍ପ ଓ ପୁଞ୍ଜିପତିମାନଙ୍କୁ ବହୁ କୋଟି ଟଙ୍କାର ମୁନାଫା ହେଉଛନ୍ତି। ସେପଟେ ଚାଷୀମାନେ ସବୁ କ୍ଷେତ୍ରରେ ଶୋଷିତ, ଅବହେଳିତ ହେଉଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସେ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର