ବନ୍ଦ ପଡ଼ିଛି ଅଏଲ ଓଡ଼ିଶା, ଯଥେଷ୍ଟ ହେଉନି ଏମ୍‌ଏସ୍‌ପି: ତୈଳବୀଜ ଚାଷୀଙ୍କ ଆଗ୍ରହ ନାହିଁ

ଖାଇବା ତେଲ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର

ଭୁବନେଶ୍ବର: ବନ୍ଦ ପଡ଼ିଛି ଅଏଲ ଓଡ଼ିଶା। ଏଭଳି ସ୍ଥିତିରେ ଚାଷୀଙ୍କ ପାଇଁ ଏମ୍‌ଏସ୍‌ପି ଯଥେଷ୍ଟ ହେଉନି। ଫଳରେ ତୈଳବୀଜ ଚାଷ ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଥିଯୋଗୁଁ ଅଣଧାନ ଚାଷ ପ୍ରୋତ୍ସାହନ ଫେଲ୍‌ ମାରୁଛି। ୯୦ ଦଶକରେ ଖାଇବା ତେଲ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ଥିବା ବେଳେ ବର୍ତ୍ତମାନ ଖାଉଟିଙ୍କ ଆବଶ୍ୟକତା ପୂରଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହାର ସିଧାସଳଖ ପ୍ରଭାବ ବିଶେଷକରି ବାଦାମ, ସୋରିଷ ଏବଂ ସୂର୍ଯ୍ୟମୁଖୀ ଚାଷ ଉପରେ ପଡ଼ିଛି।

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୯୯୫ ମସିହାରେ ରାଜ୍ୟରେ ୧୧୪୬ ହେକ୍ଟର ଜମିରେ ତୈଳବୀଜ ଚାଷ ହେଉଥିଲା। ବର୍ତ୍ତମାନ ଉଭୟ ଖରିଫ ଏବଂ ରବି ଋତୁକୁ ମିଶାଇ ଚାଷ ହେଉଛି ମାତ୍ର ୬୭୫.୬୨୪୩ ହେକ୍ଟର। ସୂର୍ଯ୍ୟମୁଖୀ, ଚିନାବାଦାମ ଚାଷର ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସତ୍ତ୍ବେ ମଧ୍ୟ ଏଭଳି ସ୍ଥିତି ରହିଛି। ଏଥିରେ ବାଦାମ ଚାଷ ୨୨୪ ହେକ୍ଟର, ସୋରିଷ ୨୨୬ ହେକ୍ଟର, ସୂର୍ଯ୍ୟମୁଖୀ ୧୭.୧୫୯୭ ହେକ୍ଟର, ସାଫ୍ଲାଓ୍ବାର ୦.୪୬ ହେକ୍ଟର, ଶୋରିଷ ୧୧୯ ହେକ୍ଟର ଜମିରେ ଚାଷ ହେଉଛି। ପୂର୍ବରୁ ରାଜ୍ୟରେ ଥିବା ଅଏଲ ଓଡ଼ିଶା ନିଗମ ଅନ୍ତର୍ଗତରେ ଭବାନୀପାଟନାସ୍ଥିତ ତୈଳବୀଜ ସମବାୟ ସୋସାଇଟି ଅଧୀନରେ ବାଦାମ, ଅଳସି ସମେତ ବିଭିନ୍ନ ପ୍ରକାର ତୈଳବୀଜ ସଂଗ୍ରହ ହେଉଥିଲା। ଖୋର୍ଧାସ୍ଥିତ ମିଲ୍‌ ତେଲ ଉତ୍ପାଦନ କରୁଥିଲା। ଯାହା ସୁବର୍ଣ୍ଣା ତେଲ ନାମରେ ଗ୍ରାହକଙ୍କ ନିକଟରେ ପ୍ରସିଦ୍ଧି ଲାଭ କରିଥିଲା। ଏହି ତେଲର ଗୁଣାତ୍ମକମାନ ମଧ୍ୟ ଅତି ଉଚ୍ଚମାନର ଥିଲା। ମାତ୍ର ସମୟ କ୍ରମେ ଗୁଜରାଟ ସମେତ ବିଦେଶର ଆକର୍ଷଣୀୟ ପ୍ୟାକେଜ ଥିବା ବ୍ରାଣ୍ଡେଡ ତେଲ କମ ଦରରେ ବଜାରକୁ ଆସିବା ପରେ ଏହି ତେଲର ଚାହିଦା ହ୍ରାସ ପାଇଲା। ସମୟକ୍ରମେ ଏହା ବନ୍ଦ ହୋଇଗଲା।

ବିଶେଷଜ୍ଞଙ୍କ ଅନୁସାରେ, ସୁବର୍ଣ୍ଣା ବାଦାମ ତେଲର ଗୁଣାତ୍ମକମାନ ଅନ୍ୟ ବ୍ରାଣ୍ଡେଡ ତେଲ ଠାରୁ ଉନ୍ନତ। କିନ୍ତୁ ସୁବର୍ଣ୍ଣା ବଜାର ସହିତ ପ୍ରତିଯୋଗିତା କରିପାରିଲା ନାହିଁ। ଏହାର ପ୍ରଭାବ ଉଭୟ ଚାଷୀ ଏବଂ ଖାଉଟିଙ୍କ ଉପରେ ପଡ଼ୁଛି। ବର୍ତ୍ତମାନ ଯେଉଁଭଳି ଭାବେ ଖାଇବା ତେଲ ଦର ବଢୁଛି, ରାଜ୍ୟ ତେଲ ଉତ୍ପାଦନରେ ଆତ୍ମନିର୍ଭରଶୀଳ ଥିଲେ ଖାଉଟିଙ୍କ ଉପରେ ଏଭଳି ମହଙ୍ଗା ମାଡ଼ ପଡ଼ନ୍ତା ନାହିଁ। ଅନ୍ୟଦିଗରେ ତୈଳବୀଜକୁ ନେଇ କେନ୍ଦ୍ର ସରକାର ଘୋଷଣା କରିଥିବା ଏମ୍‌ଏସପି ମଧ୍ୟ ଯଥେଷ୍ଟ ନଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଏଥିଯୋଗୁଁ ନାଫେଡକୁ ବିକ୍ରୟ ବଦଳରେ ସେମାନେ ଖୋଲା ବଜାରରେ କ୍ରୟ କରିବେ ବୋଲି ଲେଖିଛନ୍ତି। ତୈଳବୀଜ ଯଥା ଚିନାବାଦାମ, ସୋରିଷ, ସୋୟାବିନ, ସୂର୍ଯ୍ୟମୁଖୀ, ସାଫ୍ଲାୱାର ଏମ୍‌ଏସ୍‌ପି ଘୋଷଣା ହୋଇଛି। ଏଥିମଧ୍ୟରୁ ବାଦାମ ଏବଂ ସୋରିଷ ଚାଷ ହିଁ ରାଜ୍ୟରେ ଆଖିଦୃଶିଆ ହୋଇଥାଏ। ଦେଶୀ ବିହନ ସୁରକ୍ଷା ମଞ୍ଚ ପକ୍ଷରୁ ଦିଆଯାଇଥିବା ଦାବିପତ୍ର ଅନୁସାରେ, ଚିନାବାଦାମର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୫୨୩୦ ଟଙ୍କା ରହିଛି। କିନ୍ତୁ ୬୫୦୦ ଟଙ୍କାରୁ ଅଧିକ ନମିଳିଲେ ଚାଷୀଙ୍କ ଲାଭ ହେବ ନାହିଁ।। ଚିନାବାଦାମ ବିହନ ଠିକ ସମୟରେ ମିଳୁନଥିବାରୁ ଚାଷୀ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନଥିବା କହିଛନ୍ତି। ସୋରିଷର ଏମ୍‌ଏସ୍‌ପି ୫୦୫୦, ସାଫ୍ଲାଓ୍ବାରର ଏମ୍‌ଏସ୍‌ପି ୫୪୪୧ ଟଙ୍କା ରହିଛି। ଏହାର ଏମ୍‌ଏସ୍‌ପି ଦରକୁ ନେଇ ମଧ୍ୟ ଚାଷୀମାନେ ସନ୍ତୁଷ୍ଟ ନାହାନ୍ତି। ଖର୍ଚ ତୁଳନାରେ ଏମ୍‌ଏସ୍‌ପି କମ ନିର୍ଧାରଣ କରାଯାଇଥିବା ଚାଷୀମାନେ କହିଛନ୍ତି। ନାଫେଡ ପକ୍ଷରୁ କୁହାଯାଇଛି, ଯେଉଁଠି ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଠିକ ପ୍ରାପ୍ୟ ମିଳେ ନାହିଁ ନାଫେଡ ପକ୍ଷରୁ ତାହା ସଂଗ୍ରହ କରାଯାଏ। ଗତବର୍ଷ କେବଳ ମାଲକାନଗିରିରୁ କିଛି ତୈଳବୀଜ ନାଫେଡ ସଂଗ୍ରହ କରିଥିଲା। ଅନ୍ୟ ସବୁଠି ଚାଷୀ ଖୋଲା ବଜାରରେ ବିକ୍ରି କରିଥିଲେ। ତୈଳବୀଜ ଚାଷ ସାଧାରଣତ ପଞ୍ଜାବ, ହରିୟାଣାରେ ହୋଇଥାଏ। ଓଡ଼ିଶାରେ ବେଶି ଚାଷ ହୁଏ ନାହିଁ ତେଣୁ ଏଠାରେ ସଂଗ୍ରହ ମଧ୍ୟ କମ ରହିଛି।

ସମ୍ବନ୍ଧିତ ଖବର