ଓଜେଇଇ ଆଡମିଟ୍‌ କାର୍ଡ ଜାରି

ଭୁବନେଶ୍ବର : ସେପ୍ଟେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଜେଇ) ପାଇଁ ଆଡମିଟ୍‌ କାର୍ଡ ଜାରି ହୋଇଛି। ପରୀକ୍ଷାର୍ଥୀ www.ojee.nic.in ୱେବସାଇଟ୍‌ରେ ସେମାନଙ୍କ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦେଇ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍ କରିପାରିବେ। ୪ ପୃଷ୍ଠା ସମ୍ବଳିତ ଆଡମିଟ୍‌ କାର୍ଡର ପ୍ରିଣ୍ଟ କାଢ଼ିବା ସହ ପ୍ରାର୍ଥୀମାନେ ତାହାକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପରୀକ୍ଷାର୍ଥୀଙ୍କ ଫଟୋ ଭଲ ଭାବେ ଦୃଶ୍ୟମାନ ହେଉ ନଥିବ, ସେମାନେ ବର୍ତ୍ତମାନର ଦୁଇଟି ଫଟୋ ସାଙ୍ଗରେ ଆଣି ପରୀକ୍ଷା କେନ୍ଦ୍ରକୁ ଆସିବେ। ଏଥିସହ ପରୀକ୍ଷା ଦେବା ପୂର୍ବରୁ ଯେଉଁମାନେ ମକ୍‌ଟେଷ୍ଟ ଦେବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଓଜେଇଇ ୱେବସାଇଟ୍‌ରେ ସୁବିଧା ଉପଲବ୍ଧ କରାଯାଇଛି। ଓଜେଇଇ-୨୦୨୧ ମକ୍‌-ଟେଷ୍ଟ ଲିଙ୍କ୍‌ ଉପରେ କ୍ଲିକ୍‌ କରି ପଞ୍ଜୀକୃତ ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଟେଷ୍ଟରେ ଯେତେଥର ଚାହିଁବେ, ଅଂଶଗ୍ରହଣ କରିପାରିବେ। ‌

୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା ପ୍ରତିଦିନ ୩ଟି ସିଟିଂରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ଓ ଅପରାହ୍‌ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ତୃତୀୟ ସିଟିଂ ଚାଲିବ। ପ୍ରଥମ ଦିନ ବି.ଫାର୍ମାରେ ନାମଲେଖା ଲାଗି ପରୀକ୍ଷା ହେବାକୁ ଥିବା ବେଳେ ୭ରୁ ୯ ତାରିଖ ଯାଏ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ପରୀକ୍ଷା ରହିଛି। ଏଥିସହ ୭ତାରିଖରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ୮ ତାରିଖରେ ଏମ୍‌ ଫାର୍ମା, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ବିଏସ୍‌ସି) ପରୀକ୍ଷା କରାଯିବ। ୯ ତାରିଖରେ ଏମ୍‌.ଟେକ୍‌(୧୧ ବିଷୟ), ଏମ୍‌ ଆର୍କିଟେକ୍‌ ଓ ଏମ୍‌ ପ୍ଲାନ, ୧୫ ତାରିଖରେ ଏମ୍‌ବିଏ, ୧୬ ତାରିଖରେ ବି.ଟେକ୍‌ ଓ ୧୮ରେ ଏମ୍‌ସିଏ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର