ଓଜେଇଇ କାଉନ୍‌ସେଲିଂ ଘୁଞ୍ଚିଲା : ୧୮ରୁ ବି.ଟେକ୍‌ ପାଇଁ କାଉନ୍‌ସେଲିଂ, ଜୁଲାଇରେ ଦ୍ୱିତୀୟ ଓଜେଇଇ

ଭୁବନେଶ୍ୱର : ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ(ସେଲ୍ଫ-ଫଣ୍ଡେଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌)ରେ ବି.ଟେକ୍‌ ସମେତ ବିଭିନ୍ନ ପ୍ରଫେସନାଲ କୋର୍ସରେ ନାମଲେଖା ପାଇଁ ଓଜେଇଇ କାଉନ୍‌ସେଲିଂ କରିବ। ଜୁନ୍‌ ୧୨ ତାରିଖ ତଥା ଆସନ୍ତାକାଲିଠାରୁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଓଜେଇଇ କର୍ତୃପକ୍ଷ ଅପାତତଃ ସ୍ଥିର କରିଥିଲେ। କିନ୍ତୁ ବିଭିନ୍ନ କାରଣ ପାଇଁ ତାହା ହୋଇପାରି ନାହିଁ। ଏପର୍ଯ୍ୟନ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ କାଉନ୍‌ସେଲିଂକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଓଜେଇଇ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଚଳିତବର୍ଷ ରାଜ୍ୟର ପ୍ରାୟ ୯୦ ଇଞ୍ଜିନିୟରିଂ କଲେଜର ୩୨ ହଜାର ବି.ଟେକ୍‌ ସିଟ୍‌ରେ ନାମଲେଖା ପାଇଁ ଓଜେଇଇ କାଉନ୍‌ସେଲିଂ କରିବ। ଜେଇଇ ମେନ୍‌ରେ ର‍୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ହିଁ କେବଳ ନାମ ଲେଖାଇବେ। ଛାତ୍ରଛାତ୍ରୀଙ୍କର ଜେଇଇ ମେନ୍‌ ର‍୍ୟାଙ୍କ ନ ଥିଲେ ନାମ ଲେଖାଇବାରୁ ବଞ୍ଚିତ ହେବେ। ବି.ପ୍ଲାନ୍‌ ପାଠ୍ୟକ୍ରମରେ ମଧ୍ୟ ଜେଇଇ ମେନ୍‌ ର‍୍ୟାଙ୍କଧାରୀ ପିଲାମାନେ ହିଁ ନାମ ଲେଖାଇବେ। ଉକ୍ତ ଦୁଇ ପାଠ୍ୟକ୍ରମ ଲାଗି ଜୁନ୍‌ ୧୮ରୁ ନାମ ପଞ୍ଜୀକରଣ, ଚଏସ୍‌ ଲକିଂ, ଚଏସ୍‌ ଫିଲିଂ ଆରମ୍ଭ ହେବ। ଜୁନ୍‌ ୨୭ରେ ନାମ ପଞ୍ଜିକରଣର ଶେଷ ତାରିଖ ରଖାଯାଇଛି। ଜୁଲାଇ ୨ରେ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଜୁଲାଇ ୬ରୁ ୧୨ ତାରିଖ ମଧ୍ୟରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ, ୭ରୁ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଜୁଲାଇ ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୮ରୁ ୨୦ ପର୍ଯ୍ୟନ୍ତ ଛାତ୍ର୍ରଛାତ୍ରୀ ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହ ପ୍ରକ୍ରିୟାରୁ ଓହରିପାରିବେ। ଜୁଲାଇ ୨୩ରେ ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ହେବ। ଏଥିପାଇଁ ୨୫ରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଜୁଲାଇରେ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇଇର ଛାତ୍ରଛାତ୍ରୀ ଓ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ରହିଯାଇଥିବା ଛାତ୍ରଛାତ୍ରୀ ଜୁଲାଇ ୨୭ରୁ ୨୯ ମଧ୍ୟରେ ନାମ ପଞ୍ଜୀକରଣ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟର ରାଉଣ୍ଡ-୧ ଆଲଟ୍‌ମେଣ୍ଟ ଜୁଲାଇ ୩୦ରେ ହେବ। ଅଗଷ୍ଟ ୧ ଓ ୨ ତାରିଖରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଏହାପରେ କଲେଜସ୍ତରରେ ନାମଲେଖା କରିବାକୁ ସ୍ଥିର ହୋଇଛି। ଏଥିରେ ପରିବର୍ତନ କରାଯାଇପାରେ। ଛାତ୍ରଛାତ୍ରୀ ‘www.ojee.nic.in/www.odishajee.com’ରେ ତଥ୍ୟ ପାଇପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ମନୀଷ ତ୍ରିପାଠୀ କହିଛନ୍ତି। ଚଳିତବର୍ଷ ଓଡ଼ିଶାର ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍‌ ର‍୍ୟାଙ୍କ ହାସଲ କରିଛନ୍ତି।

ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ ୧୨ଟି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମଧ୍ୟ ଓଜେଇଇ କାଉନ୍‌ସେଲିଂ କରିବ। ୪୨ ହଜାର ୨୮୩ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ସହ ର‍୍ୟାଙ୍କକାର୍ଡ ହାସଲ କରିଛନ୍ତି। ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି-ବିଟେକ୍‌, ଲାଟେରାଲ ଏଣ୍ଟ୍ରି-ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଫାର୍ମାସି, ବିଏସ୍‌ସି-ଲାଟେରାଲ ଏଣ୍ଟ୍ରି, ଏମ୍‌ଟେକ୍‌, ଏମ୍‌ଫାର୍ମା, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌ ଆଦି ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି କାଉନ୍‌ସେଲିଂ କରାଯିବ। ଏହି ପାଠ୍ୟକ୍ରମଗୁଡ଼ିକ ଲାଗି ଜୁନ୍‌ ୧୨ରୁ କାଉନ୍‌ସେଲିଂ କରିବାକୁ ସ୍ଥିର ହୋଇଥିଲେ ମଧ୍ୟ ତାହା ସମ୍ଭବପର ହୋଇ ନାହିଁ। ତେଣୁ ପରବର୍ତୀ ସମୟରେ ଏହି ପାଠ୍ୟକ୍ରମଗୁଡ଼ିକ ପାଇଁ କାଉନ୍‌ସେଲିଂ କରାଯିବ। ଏ ସମ୍ପର୍କରେ ଓଜେଇଇ େଓ୍ଵବସାଇଟ୍‌ରେ ତଥ୍ୟ ଦିଆଯିବ।

ସମ୍ବନ୍ଧିତ ଖବର