କାଉନ୍‌ସେଲିଂକୁ କଡ଼ାକଡ଼ି କରିବ ଓଜେଇଇ

ଭୁବନେଶ୍ୱର : ସ୍ୱତନ୍ତ୍ର ଓଜେଇଇ ଚାଲିଥିବା ବେଳେ ରବିବାର ବାଲେଶ୍ୱରରେ ଦୁଇ ଜଣ ଓ ଜଗତ୍‌ସିଂହପୁରରେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ଏଭଳି ଘଟଣା ପଦାକୁ ଆସିବା ପରେ ଓଜେଇଇ ପକ୍ଷରୁ ଚିନ୍ତାପ୍ରକଟ କରାଯାଇଛି। କେଉଁ ପରିସ୍ଥିତିରେ ନକଲି ପରୀକ୍ଷାର୍ଥୀ ଆସିଲେ ତାହାର ତନାଘନା ଆରମ୍ଭ ହୋଇଛି। ଏହା ପଛରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି ଏହାର ଖୋଳତାଡ଼ କରିବା ପାଇଁ ସ୍ଥାନୀୟ ପୁଲିସର ସହାୟତା ନିଆଯାଇଛି। ଏଥିସହ ଆଗକୁ ସ୍ୱତନ୍ତ୍ର ଓଜେଇଇରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ କାଉନ୍‌ସେଲିଂ ହେବାକୁ ଥିବାରୁ ସେଥିପ୍ରତି ମଧ୍ୟ କଡ଼ା ନଜର ରଖିବାକୁ ପ୍ରସ୍ତୁତି ଚଲାଇଛି ଓଜେଇଇ।

ଓଜେଇଇ ସଚିବ ରଞ୍ଜନ କୁମାର ଜେନା କହିଛନ୍ତି ଯେ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ପରେ ପରୀକ୍ଷା କେନ୍ଦ୍ର ଭିତରେ ସେମାନଙ୍କ ଡକ୍ୟୁମେଣ୍ଟଗୁଡ଼ିକୁ ଜବତ କରାଯାଇଛି। ନିକଟସ୍ଥ ଥାନାରେ ଏତଲା ଦେବାକୁ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟମାନଙ୍କୁ ବି କୁହାଯାଇଛି। କୌଣସି ପରିସ୍ଥିତିରେ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ସମୟରେ କୌଣସି ସମସ୍ୟା ହୋଇ ନ ଥିଲା। ଏଥର କାଉନସେଲିଂ ଉପରେ କଡ଼ା ନଜର ରଖାଯିବ। କେତେକ କଲେଜ ସେମାନଙ୍କ ସିଟ୍‌ ପୂରଣ କରିବା ପାଇଁ ନକଲି ପରୀକ୍ଷାର୍ଥୀଙ୍କୁ ସାମିଲ କରୁଛନ୍ତି। ତେଣୁ ସେଥିପ୍ରତି କଡ଼ା ନଜର ରଖାଯିବ।

ସମ୍ବନ୍ଧିତ ଖବର